କନକ ବ୍ୟୁରୋ: ଇସ୍ରାଏଲ ଟାର୍ଗେଟ୍‌ରେ ଇରାନର ପରମାଣୁ କେନ୍ଦ୍ର। ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବା ପରେ ଏହାର ବିରୋଧ ବଡ଼ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ। ଇରାନ ପରମାଣୁ କେନ୍ଦ୍ର ଓ ଅଏଲ ଡିପୋକୁ ଟାର୍ଗେଟ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ଇସ୍ରାଏଲ। 

Advertisment

ଇସ୍ରାଏଲ ଉପରେ ଇରାନ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନକୁ ଧ୍ୱଂସ କରିବାକୁ ଶପଥ ନେଇଛନ୍ତି। ଇରାନ ବିରୋଧରେ ପ୍ରତିଶୋଧ ନେବାକୁ ଇସ୍ରାଏଲ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ।  ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତେଲ ଅଭିଭରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟରେ ସୁରକ୍ଷା ମୁଖ୍ୟଙ୍କୁ ଭେଟିଛନ୍ତି। ଏଭଳି ପରିସ୍ଥିତିରେ ଇସ୍ରାଏଲ ଖୁବ ଶୀଘ୍ର ଇରାନ ଉପରେ ଭୟଙ୍କର ଆକ୍ରମଣ ଆରମ୍ଭ କରିପାରେ ବୋଲି ଅନୁମାନ କରାଯାଉଛି। ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁଯାୟୀ, 

- ଇସ୍ରାଏଲ୍ ଅଧିକାରୀମାନେ କହିଛନ୍ତି ଯେ ଇରାନର ଗ୍ୟାସ୍ ଏବଂ ତୈଳ ଡିପୋ ପରି ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ଯୋଜନା ହେଉଛି
- କିମ୍ବା ଇରାନର ଆଣବିକ ସ୍ଥାନକୁ ସିଧାସଳଖ ଟାର୍ଗେଟ କରି ଏହାର ଜବାବ ଦେଇପାରେ ଇସ୍ରାଏଲ
- ଇରାନର ତୈଳ ଡିପୋ ଉପରେ ଆକ୍ରମଣ କରି ଦେଶର ଅର୍ଥନୀତିକୁ ଇସ୍ରାଏଲ୍ ନଷ୍ଟ କରିପାରେ
ଇସ୍ରାଏଲ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି,
- ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ବିଫଳ ହୋଇଛି
- ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଏବେ ପ୍ରସ୍ତୁତ
- ଇରାନ କରିଥିବା ଭୁଲ ପାଇଁ ତାକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ବଡ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଇସ୍ରାଏଲ ଏବଂ ହିଜବୁଲ୍ଲା ସଂଘର୍ଷ ମଧ୍ୟରେ ଲେବାନନରେ ଇସ୍ରାଏଲର କମାଣ୍ଡର ସମେତ ୮ ସୈନିକଙ୍କ ମୃତ୍ୟୁ ହୋଇଛି। ଲେବାନନରେ ପଶି ଅପରେସନ୍‌ କରୁଥିବା ଇସ୍ରାଏଲ ସୈନିକଙ୍କ ଏହା ପ୍ରଥମ ମୃତ୍ୟୁ। ଦିନକୁ ଦିନ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି, ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ କହିଛି। ଏହାରି ଭିତରେ ଇସ୍ରାଏଲ ଇରାନର ଆଣବିକ ଘାଟି ଉପରେ ଆକ୍ରମଣ କରିବ ବୋଲି ସୂଚନା ଆସିଛି। ଯଦି ଏପରି ହୁଏ ତେବେ ଆମେରିକା ଏହାକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ।

ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଏହି ଆକ୍ରମଣର ମୂଲ୍ୟ ଇରାନକୁ ଦେବାକୁ ପଡିବ। ଏହାରି ଭିତରେ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଜି୭ ଦେଶ ଏକ ଜରୁରୀ ବୈଠକ ଡାକିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି 
- ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି
- କିନ୍ତୁ ଯଦି ଇରାନର ଆଣବିକ ଘାଟି ଉପରେ ଇସ୍ରାଏଲ ଆକ୍ରମଣ କରେ ତେବେ ଆମେରିକା ଏହାକୁ ସମର୍ଥନ କରିବ ନାହିଁ
- କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ଇରାନର ଆଣବିକ ଘାଟି ଉପରେ ଇସ୍ରାଏଲ୍ ଆକ୍ରମଣକୁ ସମର୍ଥନ କରିବେ ନାହିଁ ବୋଲି ବାଇଡେନ କହିଛନ୍ତି
- ଶତ୍ରୁ ବିରୋଧରେ ଆନୁପାତିକ ପଦକ୍ଷେପ ନେବାକୁ ଇସ୍ରାଏଲକୁ ଅନୁରୋଧ କରିଛନ୍ତି

ଇରାନ ଦ୍ୱାରା ହୋଇଥିବା ଏହି ଆକ୍ରମଣକୁ ବାଇଡେନ ପୂର୍ବରୁ ପ୍ରଭାବହୀନ ବୋଲି ବର୍ଣ୍ଣନା କରିଥିଲେ। ବାଇଡେନ କହିଛନ୍ତି ଯେ ଇରାନ ଉପରେ ଅଧିକ କଟକଣା ଲାଗୁ କରାଯିବ ଏବଂ ସେ ଶୀଘ୍ର ନେତାନ୍ୟାହୁଙ୍କ ସହ କଥା ହେବେ। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଏପ୍ରିଲରେ ଇସ୍ରାଏଲରେ ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଅପେକ୍ଷା ଏଥର ଇସ୍ରାଏଲର ପ୍ରତିକ୍ରିୟା ଅଧିକ ସାଂଘାତିକ ହୋଇପାରେ। ଏଥର ଇସ୍ରାଏଲ୍ ତେହେରାନର ଆଣବିକ ଘାଟି କିମ୍ବା ତୈଳ ଡିପୋକୁ ଟାର୍ଗେଟ କରିପାରେ। ଇସ୍ରାଏଲର ଅଧିକାରୀମାନେ ସେମାନଙ୍କ ଆମେରିକୀୟ ପ୍ରତିପକ୍ଷଙ୍କୁ କହିଛନ୍ତି ଯେ ସେମାନେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେବା ପାଇଁ ଲକ୍ଷ୍ୟ, ସମୟ ଏବଂ ସ୍ଥାନ ସ୍ଥିର କରୁଛନ୍ତି। ଆକ୍ରମଣ ପାଇଁ କ୍ଷେପଣାସ୍ତ୍ର ବାହାର କଲାଣି ଇସ୍ରାଏଲ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ୍ ଉପରେ ମିଜାଇଲ ଆକ୍ରମଣ ପରେ ଇରାନ୍ ବିରୋଧରେ ନୂଆ କଟକଣା ଲାଗୁ କରିବା ବ୍ୟବସ୍ଥା କରାଯାଉଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜି-୭ ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନରେ କଥା ହୋଇଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ବାଇଡେନ୍ ଓ ଜି-୭ ନେତାମାନେ ଇରାନର ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ରାଷ୍ଟ୍ରପତି ବାଇଡେନ ଇସ୍ରାଏଲ ଏବଂ ଏହାର ଜନସାଧାରଣଙ୍କ ପ୍ରତି ଆମେରିକାର ଏକତା ଏବଂ ସମର୍ଥନକୁ ଦୋହରାଇଛନ୍ତି। ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିଶୃତିବଦ୍ଧ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଇସ୍ରାଏଲ ନିଜ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବ, କିନ୍ତୁ ଇରାନର ପରମାଣୁ ଆକ୍ରମଣକୁ ସମର୍ଥନ କରୁନାହୁଁ ଆମେରିକା।  ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେବାର ଅଧିକାର ଇସ୍ରାଏଲର ରହିଛି। ସେମାନେ କ'ଣ କରିବାକୁ ଯାଉଛନ୍ତି ସେନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ବୋଲି ହ୍ବାଇଟ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସେପଟେ ଏନେଇ ଇରାନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।