କନକ ବ୍ୟୁରୋ : ଅପରେସନ ସିନ୍ଦୂର ସମୟରେ ଲୁଚିଥିବା ପାକିସ୍ତାନ ଫିଲ୍ଡ ମାର୍ଶଲ ଆମେରିକାରେ ଭାରତକୁ ଧମକ ଦେଇଛନ୍ତି । ଯୁଦ୍ଧର କଥା ଉଠାଇଛନ୍ତି ମୁନିର, ତା ସହ ଭାରତ ଉପରେ ପରମାଣୁ ବୋମା ପକାଇବା ଧମକ ବି ଦେଇଛନ୍ତି । ବିଶ୍ୱରେ ଉଭା ହୋଇଥିବା ନୂଆ ଶାନ୍ତିଦୂତ ଟ୍ରମ୍ପଙ୍କ ମାଟିରେ ଯୁଦ୍ଧର କଥା ଶୁଣି ଆଶ୍ଚର୍ଯ୍ୟ ଲାଗିବା ବି ସ୍ୱାଭାବିକ । ଅତିଥି ହୋଇଗଲେ ହେଲେ ଯୁଦ୍ଧର କଥା କହିଲେ ଆଉ ଏହା ମଧ୍ୟ ସ୍ପଷ୍ଟ କରିଦେଲେ ଯେ ସେନା ମୁଖ୍ୟ କେମିତି ଆତଙ୍କବାଦୀଙ୍କ ସ୍ୱରରେ କଥା କୁହେ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ନୋବେଲ ପୁରସ୍କାର ପଛରେ ପଡ଼ିଛନ୍ତି । ଆଉ ଟ୍ରମ୍ପଙ୍କ ପାଇଁ ଲବି ବି ଜୋରଦାର ଚାଲିଛି । ହଁ ଲବି ହେବନି ଯେ କେମିତି, ଭାରତ-ପାକିସ୍ତାନ, ଥାଇଲାଣ୍ଡ-କମ୍ବୋଡିଆ, ରୁଷ- ୟୁକ୍ରେନ, ଇସ୍ରାଏଲ - ହମାସ ଯୁଦ୍ଧ ବନ୍ଦ ବା କମିବା ପଛରେ କେବଳ ଟ୍ରମ୍ପଙ୍କ ହାତ । ଯେଉଁ ରାଷ୍ଟ୍ରପତି ନୋବେଲ ପୁରସ୍କାର ଚାହୁଛନ୍ତି ତାଙ୍କ ଦେଶର ମାଟିରେ ଆତଙ୍କୀ ସଙ୍ଗଠନ ସହ ଜଡ଼ିତ ଥିବା ପାକିସ୍ତାନ ଆର୍ମି ଚିଫ୍ ଭାରତ ବିରୁଦ୍ଧରେ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ।
କଥାଟା ହେଉଛି, ଅପରେସନ ସିନ୍ଦୂର ପରେ ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ପାକିସ୍ତାନ ଫିଲ୍ଡ ମାର୍ଶଲ ଆସିମ ମୁନିର । ଫ୍ଲୋରିଡାର ଟାମ୍ପା ସ୍ଥିତ ପାକିସ୍ତାନ ଦୂତାବାସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଭାରତର ବନ୍ଧୁ ରାଷ୍ଟ୍ର କୁହାଯାଉଥିବା ଆମେରିକା ମାଟିରୁ ଭାରତକୁ ଧମକ ଦେଇଥିଲେ ମୁନିର । ମୁନିର କହିଛନ୍ତି,
ଯଦି ଭାରତ ସହ ପୁଣି ଯୁଦ୍ଧ ହୁଏ ତେବେ ପାକିସ୍ତାନ ପରମାଣୁ ଅସ୍ତ୍ର ସହ ଜବାବ ଦେବ । ପାକିସ୍ତାନ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ କିଛି ବି କରିପାରେ । ସିନ୍ଧୁ ନଦୀ ଉପରେ ଡ୍ୟାମ୍ ନିର୍ମାଣ କଲେ ୧୦ ମିସାଇଲ୍ ମାରି ନଷ୍ଟ କରିବୁ । ସିନ୍ଧୁ ନଦୀ ଭାରତର ଏକାକୀ ସମ୍ପତ୍ତି ନୁହେଁ । ଆମ ପାଖରେ ମିସାଇଲ୍ ଓ ପରମାଣୁ ଅସ୍ତ୍ର କୌଣସି ଅଭାବ ନାହିଁ ।
ସୁଧୁରନି ପାକିସ୍ତାନ, ଭାରତଠୁ କଡ଼ା ଜବାବ ପାଇବା ପରେ ବି ଫମ୍ପା ଧମକ ଦେବାରେ ଲାଗିଛି । ଫିଲ୍ଡ ମାର୍ଶଲ ଆସୀମ ମୁନିରଙ୍କୁ ପୁଣି କଡ଼ା ଶଦ୍ଧରେ ଭର୍ତ୍ସନା କରିବା ସହ ଭାରତ କୌଣସି ପରମାଣୁ ଧମକକୁ ଭୟ କରେନି ବୋଲି କହିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି, ଭାରତ କୌଣସି ପ୍ରକାର ଧମକକୁ ଭୟ କରେନି । ଆସିମ ମୁନିରଙ୍କ ପରମାଣୁ ଧମକ ଆଉ ଚଳିବନି । ପାକିସ୍ତାନର ଏହି ନୀଚ ଚାଲ୍ ଭାରତ ଉପରେ କିଛି ପ୍ରଭାବ ପକାଇବନି । ଭାରତ ନିଜ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଦେଶ ହିତ ପାଇଁ ଆବଶ୍ୟକୀୟ ପଦକ୍ଷେପ ଉଠାଇବ । ଆମେରିକା ମାଟିରୁ ଆସିମ ମୁନିରଙ୍କ ଏଭଳି ବୟାନ ଆଶ୍ଚର୍ଯ୍ୟଜନକ । ଟ୍ରମ୍ପ ସରକାର ଏହି ସମ୍ବନ୍ଧରେ ତର୍ଜମା କରିବା ଉଚିତ ।
ଦିନେ ଆମେରିକା ସରକାର ଓ ଲୋକଙ୍କ ନିଦ ହଜାଇଥିଲା କୁଖ୍ୟାତ ଆତଙ୍କବାଦୀ ଓସାମାବିନ୍ ଲାଦେନ୍ । 9/11 ଆକ୍ରମଣରେ ଖାଲି ଆମେରିକା ନୁହେଁ ପୂରା ବିଶ୍ୱ ଦୋହଲି ଯାଇଥିଲା ଆଉ ଦୀର୍ଘ ବର୍ଷ ପରେ ଲାଦେନକୁ ହତ୍ୟା କରିଥିଲା ଆମେରିକା, ତାହା ପୁଣି ପାକିସ୍ତାନ ମାଟିରେ । ଏବେ ତ ଲାଦେନ ନାହିଁ ହେଲେ ଲାଦେନ ରୂପରେ ମୁନିର ଅଛନ୍ତି ଏବଂ ପାକିସ୍ତାନକୁ ବହୁତ ପସନ୍ଦ ଆସୁଛନ୍ତି ।