କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍କା । ଆଇଆରସିଟିସି ହୋଟେଲ ଦୁର୍ନୀତି ମାମଲାରେ ଲାଲୁ, ତାଙ୍କ ପତ୍ନୀ ରାବ୍ଡୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତରେ ଚାର୍ଜଫ୍ରେମ୍ ହୋଇଛି ।
ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରେଳମନ୍ତ୍ରୀ ଥିବା ବେଳେ ବିଏନଆର୍ ପୁରୀ ଓ ବିଏନଆର୍ ରାଞ୍ଚିରେ ଥିବା ଆଇଆରସିଟିସି ହୋଟେଲକୁ ସୁଜାତା ହୋଟେଲ୍ସ ନାମକ ସଂସ୍ଥାକୁ ଠିକା ଦିଆଯାଇଥିଲା । ଏଥିପାଇଁ ଲାଲୁ, ରାବ୍ରି, ତେଜସ୍ୱୀ ଯାଦବ ଓ ଆଇଆରଟିସି ହୋଟେଲ ସହିତ କିଛି ଅଧିକାରୀ କୋଟି କୋଟି ଟଙ୍କା ମୂଲ୍ୟର ଜମି ଲାଞ୍ଚ ନେଇଥିବା ଅଭିଯୋଗ ହେଇଥିଲା । ୨୦୧୭ରେ ତଦନ୍ତ ଆରମ୍ଭ କରିଥିଲା ସିବିଆଇ । ସେମାନେ ନିର୍ଦ୍ଦୋଷ ବୋଲି ଲାଲୁ, ରାବରି, ତେଜସ୍ୱୀ ଓ ଅନ୍ୟ ଅଭିଯୁକ୍ତମାନେ ଯୁକ୍ତି ଦର୍ଶାଇଥିଲେ । ଶେଷରେ ସିବିଇଆଇର ତଥ୍ୟ ପ୍ରମାଣ ଆଧାରରେ ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ ଚାର୍ଜଫ୍ରେମ୍ କରିଛନ୍ତି ।
ସେପ୍ଟେମ୍ୱର ୨୪ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଲାଲୁପ୍ରସାଦ ଯାଦବ, ରାବ୍ଡୀ ଦେବୀ, ତେଜସ୍ୱୀ ଯାଦବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମଚନ୍ଦ ଗୁପ୍ତାଙ୍କ ସମେତ ମୋଟ୍ ୧୪ ଜଣ ଅଭିଯୁକ୍ତ ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । ଦୁର୍ନୀତି ନେଇ ପ୍ରମାଣ ନଥିବା ଓ ମାମଲା ରଦ୍ଦ କରିବା ପାଇଁ ଅଭିଯୁକ୍ତଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । କିନ୍ତୁ ଘରୋଇ ଠିକାସଂସ୍ଥାକୁ ଆଇଆରସିଟିସ ହୋଟେଲ ଟେକିଦେବା ନେଇ ଟେଣ୍ଡର ଏବଂ ଅନ୍ୟ କାମରେ ସିବିଆଇର ତଥ୍ୟ ପ୍ରମାଣ ଆଧାରରେ ଦୁର୍ନୀତି, ଆପରାଧିକ ଷଡ଼୍ଯନ୍ତ୍ର ଓ ଠକେଇ ମାମଲାରେ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ଏହି ମାମଲା ଆଗକୁ ଜାରି ରହିବ । ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି ପୂରା ଦମରେ ପ୍ରସ୍ତୁତି ଚଳାଇଥିବା ବେଳେ ଏହି ମାମଲା ଏବେ ଲାଲୁ ଓ ତେଜସ୍ୱୀ ଯାଦବଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛି ।