କନକ ବ୍ୟୁରୋ : ଇରାନର ଅର୍ଥନୀତି ଭୁଶୁଡ଼ିବା ତଥା ରାଜନୈତିକ ଦମନ ଉପରେ କ୍ରୋଧିତ ପ୍ରଦର୍ଶନକାରୀଙ୍କ ଉପରେ ଇରାନୀ କର୍ତ୍ତୃପକ୍ଷ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ତୀବ୍ର କରିଛନ୍ତି । ଇରାନରେ ସରକାର ବିରୋଧୀ ଆନ୍ଦୋଳନରେ ଯୋଗୁ ଗତ ଦୁଇ ସପ୍ତାହରେ ୨,୪୦୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଇରାନ ସରକାରୀ ବିରୋଧୀ ପ୍ରଦର୍ଶନରେ ସାମିଲ ୨୬ ବର୍ଷୀୟ ଇର୍ଫାନ ସୁଲତାନୀଙ୍କୁ ଆଜି ଫାଶୀ ଦେଇପାରେ । ଇର୍ଫାନ ସୁଲତାନୀଙ୍କୁ ୮ ଜାନୁଆରୀରେ ଗିରଫ କରାଯାଇଥିଲା । ହିଂସାକୁ ଉସୁକାଇବା ଅଭିଯୋଗରେ ଇରାନ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି । ଇରାନ ପକ୍ଷରୁ ଇର୍ଫାନ ସୁଲତାନୀଙ୍କ ସମ୍ପର୍କରେ କୁହାଯାଇଛି ଯେ, ଆଗକୁ ଏହି ମାମଲାରେ କୌଣସି ବିଚାର କରାଯିବ ନାହିଁ ଓ ପରିବାରକୁ ଶେଷଥର ପାଇଁ ତାଙ୍କ ସହିତ ଭେଟିବାକୁ ୧୦ ମିନିଟ ସମୟ ଦିଆଯିବ ।

Advertisment

ଆନ୍ଦୋଳନକାରୀଙ୍କ ଉପରେ ଇରାନ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ଼ ବିରୋଧ କରିଛନ୍ତି । ବିକ୍ଷୋଭକାରୀଙ୍କ ମୃତ୍ୟୁଦଣ୍ଡ ଦିଆଗଲେ ତେହେରାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ସିବିଏସସ୍ ନ୍ୟୁଜକୁ ଟ୍ରମ୍ପ କହିଥିଲେ, ଇରାନ ଯଦି ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଆରମ୍ଭ କରେ ତାହାହେଲେ ଆମେରିକା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଟ୍ରମ୍ପଙ୍କ ଚେତାବନୀର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଇରାନ ନେତୃବୃନ୍ଦ । ଇରାନର ଜାତୀୟ ସୁରକ୍ଷା ମୁଖ୍ୟ ଅଲି ଲାରିଜାନି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଇରାନ ଲୋକଙ୍କର ମୁଖ୍ୟ ହତ୍ୟାକାରୀ ବୋଲି କହିଛନ୍ତି ।

ଟ୍ରମ୍ପ ଇରାନ ଲୋକଙ୍କୁ ସରକାରୀ ପ୍ରତିଷ୍ଠାନ ଦଖଲ କରିବାକୁ କହିବାର କିଛି ଘଣ୍ଟା ପରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଇରାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଥିଲା ।  ଇରାନ ସଂସଦର ପୂର୍ବତନ ବାଚସ୍ପତି ତଥା ଇରାନ ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସମ୍ପାଦକ ଅଲି ଲାରିଜାନି ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ଇରାନ ଲୋକଙ୍କ ମୁଖ୍ୟ ହତ୍ୟାକାରୀଙ୍କ ନାଁ ଆମେ ଘୋଷଣା କରୁଛୁ, ୧-ଟ୍ରମ୍ପ, ୨- ନେତାନ୍ୟାହୁ । ଇରାନରେ ଯେଉଁ ଅସନ୍ତୋଷ ଦେଖାଯାଇଛି ଓ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି ସେଥିପାଇଁ ୱାସିଂଟନ ଓ ତେଲ ଅଭିଭ ଇନ୍ଧନ ଯୋଗାଉଛନ୍ତି ବୋଲି ଲାରିଜାନି ଉଲ୍ଲେଖ କରିଛନ୍ତି । 
ଜାତିସଂଘରେ ଇରାନ ରାଷ୍ଟ୍ରଦୂତ ଆମିର ସୟିଦ ଇରାଭନି ମଧ୍ୟ ଇରାନରେ ହିଂସା ତଥା ରାଜନୈତିକ ଅସ୍ଥିରତା ସୃଷ୍ଟି ପାଇଁ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି । ଏହା ତେହେରାନର ସାର୍ବଭୌମ୍ୟ ତଥା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଇରାଭନି କହିଛନ୍ତି ।  ଜାତିସଂଘ ସୁରକ୍ଷା ପରିଷଦକୁ ଏକ ଚିଠି ଲେଖି ଇରାଭାନି ତେହେରାନରେ ନାଗରିକଙ୍କ ମୃତ୍ୟୁ ପାଇଁ ଆମେରିକା ଓ ଇସ୍ରାଏଲ ଦାୟୀ କରିଛନ୍ତି । ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟର ଜବାବରେ ଏହି ଚିଠି ଇରାନ ପକ୍ଷରୁ ଲେଖାଯାଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ମଧ୍ୟ ଏହି ଚିଠି ଲେଖାଯାଇଛି ।

ରୁଷ୍‌ ମଧ୍ୟ ଆମେରିକାର ଧମକକୁ ବିରୋଧ କରିଛି । ଇରାନର ଆଭ୍ୟନ୍ତରୀଣ ରାଜନୀତି ବିରୋଧରେ ଆମେରିକାର ଏହା ବିଧ୍ବଂସକାରୀ ବାହ୍ୟ ହସ୍ତକ୍ଷେପ ବୋଲି ରୁଷ୍‌ କହିଛି । ଇରାନ ବିରୋଧରେ ଆମେରିକାର ଆକ୍ରମଣ ଧମକ ଗ୍ରହଣଯୋଗ୍ୟ ନୁହେ ବୋଲି ରୁଷ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି । ଇରାନରେ ମୃତ ପ୍ରଦର୍ଶନକାରୀ ମଧ୍ୟରେ ୧୮ ବର୍ଷରୁ କମ୍‌ ୧୨ ଜଣ ଅଛନ୍ତି ।