କନକ ବ୍ୟୁରୋ: ସପ୍ତମ ଦିନରେ ଇସ୍ରାଏଲ-ଇରାନ୍ ଯୁଦ୍ଧ । ଇସ୍ରାଏଲର ହସ୍ପିଟାଲ ଉପରେ ଆକ୍ରମଣ କରି ଇସ୍ରାଏଲକୁ ବଡ଼ ଆଘାତ ଦେଇଛି ଇରାନ । ସେପଟେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇରାନର ସର୍ବୋଚ୍ଚ ନେତାଙ୍କୁ ମାରିଦେବୁ ବୋଲି କହିଛନ୍ତି । ଯୁଦ୍ଧ ଭିତରେ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି ୬୦୦ ଛାତ୍ର ।
ଇରାନ୍ ଦକ୍ଷିଣ ଇସ୍ରାଏଲର ସୋରୋକା ମେଡିକାଲରେ ମିସାଇଲ୍ ମାଡ଼ କରି ଇସ୍ରାଏଲକୁ ଜଣାଇ ଦେଇଛି ଆଗକୁ ପରିସ୍ଥିତି ଭୟଙ୍କର ହେବ । ସକାଳେ ଇସ୍ରାଏଲର ୪ଟି ସ୍ଥାନରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଛି ଇରାନ୍ । ବିସୋର୍ବା ସହରରେ ଥିବା ସୋରାକା ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ଇରାନ୍ର ଆକ୍ରମଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି ହସ୍ପିଟାଲ । ଇରାନ୍ର ମିସାଇଲ୍ ମାଡ଼ ପରେ ହସ୍ପିଟାଲର ପୂରା ଅଞ୍ଚଳ ଧୂଆଁମୟ ହୋଇଛି । ଲୋକେ ଏଣେତେଣେ ଦୌଡୁଥିବାର ଦେଖିବାକୁ ମିଳିଥିଲା ।
ହସ୍ପିଟାଲ ବ୍ୟତୀତ ତେଲ୍ ଅଭିଭ୍, ରମତ୍ ଗାନ୍ ଓ ହୋଲୋନ ଉପରେ ଆକ୍ରମଣ କରିଛି ଇରାନ୍ । ସୋରୋକା ହସ୍ପିଟାଲ, ଯେଉଁଥିରେ ୧୦୦୦ରୁ ଅଧିକ ଶଯ୍ୟା ରହିଛି ଏବଂ ଦକ୍ଷିଣ ଇସ୍ରାଏଲର ପ୍ରାୟ ୧୦ ଲକ୍ଷ ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଥାଏ ଏହି ମେଡିକାଲ । ହସ୍ପିଟାଲ ଆକ୍ରମଣରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ଆକ୍ରମଣ ପରେ ଇରାନ କହିଛି, ମିସାଇଲ୍ ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା ନିକଟସ୍ଥ ଇସ୍ରାଏଲ୍ ସାମରିକ ଓ ଗୁଇନ୍ଦା ଘାଟି, ହସ୍ପିଟାଲ ନୁହେଁ । ଇରାନ୍ ରାଷ୍ଟ୍ରୀୟ ମିଡିଆ ଅନୁସାରେ, ଏହି ଆକ୍ରମଣ ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣର ପ୍ରତିଶୋଧ ସ୍ୱରୂପ କରାଯାଇଛି ।
ସେପଟେ ଆକ୍ରମଣ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ ବଡ଼ ଘୋଷଣା କରି କହିଛନ୍ତି ,ଏବେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରାଯିବ । କାଟ୍ଜଙ୍କ ବୟାନ ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଦ ଜେରୁଜେଲମ ପୋଷ୍ଟ୍ ଅନୁଯାୟୀ, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ କହିଛନ୍ତି, ହସ୍ପିଟାଲ ଉପରେ ଆକ୍ରମଣ ପାଇଁ ଖାମେନେଇ ଦାୟୀ, ଆମେ ଏବେ ତାଙ୍କୁ ସିଧାସଳଖ ଟାର୍ଗେଟ କରିବୁ । ଇରାନ ଯେଉଁଭଳି ଭାବେ ହାଇପରସୋନିକ କ୍ଷେପଣାସ୍ତ୍ର ବ୍ୟବହାର କରୁଛି, ତାହା ନିଶ୍ଚିତ କରିଛି ଯେ ସେ ତା’ର କାର୍ଯ୍ୟ ବନ୍ଦ କରିବ ନାହିଁ । ଆମେ ଏବେ ଏକ ନୂତନ ଉପାୟରେ ଇରାନ ଉପରେ ଆକ୍ରମଣ କରିବାକୁ ଯାଉଛୁ ବୋଲି କାଟ୍ଜ କହିଛନ୍ତି ।
ଏପଟେ ଋଷ ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆମେରିକାକୁ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଛି । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି, ଆମେରିକାର ହସ୍ତକ୍ଷେପ ପରିସ୍ଥିତିକୁ ଆହୁରି ଜଟିଳ କରିବ । ଇରାନର ବାଲାଷ୍ଟିକ୍ ମିସାଇଲ୍ ଆକ୍ରମଣରେ ଇସ୍ରାଏଲର ତେଲ୍ ଆଭିଭରେ ଥିବା ନେଦରଲ୍ୟାଣ୍ଡସ୍ ଦୂତାବାସରେ ଭଙ୍ଗାରୁଜା ହୋଇଛି । ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଭାରତ ସରକାର ଇରାନରୁ ୬୦୦ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛନ୍ତି । ଏହି ଛାତ୍ରମାନେ, ଇରାନର ତେହେରାନ୍ ଓ ଅନ୍ୟ ସହରରେ ଅଧ୍ୟୟନରତ ଥିଲେ, ସେମାନଙ୍କୁ ଇରାନର ମାଶହାଦ ସହରକୁ ନିଆଯାଇଛି ।