କନକ ବ୍ୟୁରୋ : ପହଲଗାମ ଆତଙ୍କବାଦୀ ଆକ୍ରମଣର ପରିପ୍ରେକ୍ଷୀରେ ଭାରତର ପ୍ରମୁଖ କ୍ରୀଡ଼ା ପ୍ଲାଟଫର୍ମ ସୋନି ସ୍ପୋର୍ଟ୍ସ, କ୍ରିକବଜ୍ ଏବଂ ଫ୍ୟାନକୋଡ୍ ପାକିସ୍ତାନ ସୁପର ଲିଗ୍ ବା ପିଏସଏଲ୍ ୨୦୨୫ର ପ୍ରସାରଣ ବନ୍ଦ କରିଛନ୍ତି । ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପାହାଲଗାମରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Advertisment

ଫ୍ୟାନକୋଡ୍‌ରେ ଭାରତରେ ପିଏସଏଲ୍ ୨୦୨୫ର ଏକମାତ୍ର ଡିଜିଟାଲ୍ ପ୍ରସାରକ ଥିଲା । ଏହା ପରେ କ୍ରିକବଜ୍ ମଧ୍ୟ ତାଙ୍କ ଓ୍ୱେବସାଇଟ୍ ଓ ଆପ୍‌ରୁ ପିଏସଏଲ୍ ସମ୍ବନ୍ଧୀୟ ସମସ୍ତ ସ୍କୋର, ଖବର ଓ ଫିକ୍ସଚର ହଟାଇ ଦେଇଥିଲେ । ଏବେ ସୋନି ସ୍ପୋର୍ଟ୍ସ ନେଟୱାର୍କ ମଧ୍ୟ ଏହି ବର୍ଜନରେ ଯୋଗ ଦେଇ ଭାରତରେ ପିଏସଏଲ୍‌ର ଡିଜିଟାଲ୍ ଓ ଟେଲିଭିଜନ ପ୍ରସାରଣକୁ ସମ୍ପୂର୍ଣ୍ଣ ବନ୍ଦ କରିଛି ।

ଏହି ଘଟଣା ପାକିସ୍ତାନ ସହ କ୍ରୀଡ଼ା ଓ ମନୋରଞ୍ଜନ ସମ୍ପର୍କ ଛିନ୍ନ କରିବା ପାଇଁ ଭାରତରେ ଉଠୁଥିବା ଜନମତକୁ ପ୍ରତିଫଳିତ କରୁଛି । ଫ୍ୟାନକୋଡ୍‌ର ଏହି ପଦକ୍ଷେପ ପାକିସ୍ତାନ କ୍ରିକେଟ ବୋର୍ଡ ପିସିବି ପାଇଁ ଆର୍ଥିକ କ୍ଷତିର କାରଣ ହୋଇପାରେ । ଭାରତରେ କ୍ରିକେଟ୍‌ ପ୍ରେମୀଙ୍କ ବିପୁଳ ସଂଖ୍ୟା ଥିବା ଦୃଷ୍ଟିରୁ ପିଏସଏଲ୍‌ର ଦର୍ଶକ ସଂଖ୍ୟା ହ୍ରାସ ପାଇବ, ଯାହା ବିଜ୍ଞାପନ ଓ ସ୍ପନସରସିପ୍ ଆୟକୁ ପ୍ରଭାବିତ କରିବ ।

ସୂଚନା ଅନୁଯାୟୀ, ପାକିସ୍ତାନର ଜାତୀୟ ସୁରକ୍ଷା ପରିଷଦ ସମସ୍ତ ଭାରତୀୟ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ପିସିବି ମଧ୍ୟ ପିଏସଏଲ୍ ପ୍ରଡକ୍ସନରେ ଜଡ଼ିତ ୨୪ରୁ ଅଧିକ ଭାରତୀୟ କର୍ମଚାରୀଙ୍କୁ ବଦଳାଇଛି । ଏହି ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କର ଭବିଷ୍ୟତକୁ ପ୍ରଶ୍ନବାଚୀ କରିଛି । ବିସିସିଆଇ ପୂର୍ବରୁ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।