କନକ ବ୍ୟୁରୋ : ଭାରତ, ରୁଷ, ଇରାନ ଓ ବେଲାରୁଷର ମିଳିତ ଶକ୍ତିପ୍ରଦର୍ଶନ । ତିନୋଟି ଆମେରିକା ବିରୋଧୀ ଦେଶମାନଙ୍କ ସହ ଏକାଠି ମିଶି ଯୁଦ୍ଧାଭ୍ୟାସ କରିଛି ଭାରତ । ଏହା ଆମେରିକାର ଦବଦବା ପ୍ରତି ଏକ କଡ଼ା ଜବାବ ବୋଲି କୁହାଯାଉଛି ।

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚିନ୍ତାକୁ ନେଇ ଆମେରିକା ସହ ଇରାନର ତିକ୍ତତା, ୟୁକ୍ରେନ ସହ ଯୁଦ୍ଧକୁ ନେଇ ରୁଷ ସହ ବିବାଦ, ଟାରିଫକୁ ନେଇ ଭାରତ ସହ ବିଗୁଡୁଥିବା ସମ୍ପର୍କ ଭିତରେ ଏବେ ବେଲାରୁଷରେ ମିଳିତ ଶକ୍ତିପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ, ରୁଷ, ବେଲାରୁଷ ଏବଂ ଇରାନ କରିଛନ୍ତି ମିଳିତ ସମରଭ୍ୟାସ ଜପାଡ-୨୦୨୫ । ଯାହାର ନେତୃତ୍ୱ ନେଉଛି ରୁଷ । ସବୁଠୁ ବଡ଼ କଥା ହେଉଛି ସାମରିକ ପୋଷାକ ପିନ୍ଧି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧାଭ୍ୟାସସ୍ଥଳରେ ପହଞ୍ଚିଲେ ଓ ସୈନିକଙ୍କ ମନୋବଳ ବଢାଇଥିଲେ ।

ସୂଚନା ଅନୁସାରେ ବେଲାରୁଷ ସମରାଭ୍ୟାସରେ ଏକ ଲକ୍ଷ ସୈନିକଙ୍କ ଅଂଶଗ୍ରହଣ କରିଛନ୍ତି । ପରମାଣୁ ବୋମା, ବିସ୍ଫୋରଣକାରୀ ଯୁଦ୍ଧାସ୍ତ୍ର ପ୍ରଦର୍ଶନ । ୩୩୩ ଯୁଦ୍ଧ ଜାହାଜ, ଶକ୍ତିଶାଳୀ ତୋପ । ୨୪୬ ନୌସେନା ଜାହାଜ ସାମିଲ ହୋଇଛନ୍ତି । ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରୁଛି ରୁଷ ।ୟୁକ୍ରେନ ସହ ଯୁଦ୍ଧ ଭିତରେ ପ୍ରଥମଥର ପାଇଁ ବିଶାଳ ଯୁଦ୍ଧାଭ୍ୟାସ କରୁଛି । ଭାରତର ଲକ୍ଷ୍ୟ, ରୁଷ ସହିତ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସକୁ ସୁଦୃଢ଼ କରିବା । ଆମେରିକା ସହ ମୁକାବିଲା ପାଇଁ ଭାରତ-ରୁଷର ନିକଟତର ହେଉଛି ଇରାନ । ବିରୋଧୀ ଦେଶଙ୍କ ମିଳିତ ଯୁଦ୍ଧାଭ୍ୟାସ, ଆମେରିକାକୁ ଚିନ୍ତାରେ ପକାଇପାରେ ।

ଯେବେଠୁ ଦ୍ୱିତୀୟଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇଛନ୍ତି ସେବେଠୁ ତାଙ୍କ ବୟାନ, ନିଷ୍ପତ୍ତି ସାରା ବିଶ୍ୱକୁ ଚିନ୍ତାରେ ପକାଉଛି । ଟାରିଫ ହେଉ କି ଯୁଦ୍ଧ । ଟ୍ରମ୍ପଙ୍କ ବୟାନ, ମଧ୍ୟସ୍ଥତା ଓ ସର୍ତ୍ତକୁ ନେଇ ବିବାଦ ଦେଖାଦେଇଛି । ଏପରିକି ଅନେକ ବଡ଼ ଦେଶ ସହ ସମ୍ପର୍କ ମଧ୍ୟ ଖରାପ କରିଛି ଆମେରିକା । ଏହା ଭିତରେ ଏହି ୪ ଦେଶ ସାମରିକ କ୍ଷେତ୍ରରେ ଏକାଠି ହେବା, ମିଳିତ ଯୁଦ୍ଧାଭ୍ୟାସ କରିବା ଆମେରିକା ପାଇଁ ଏକ କଡ଼ା ଜବାବ, ବଡ଼ ଆହ୍ୱାନ ହୋଇପାରେ ।