କନକ ବ୍ୟୁରୋ: ନିଜେ ବେପାର କରୁଛି, ଅନ୍ୟ କେହି କଲେ ସହିପାରୁନି ଆମେରିକା । ଅର୍ଥାତ୍‌ ଆମେରିକା ଦେଖାଇ ହେଉଛି ଋଷିଆ ସହ ସେ ସମ୍ପର୍କ ରଖେନି । ହେଲେ ଭିତରେ ଭିତରେ ବଢିଆ ବେପାର କରୁଛି । କଥାହେଲା, ଆମେରିକା ଯଦି ଋଷିଆ ସହ ବାଣିଜ୍ୟ କରୁଛି ତାହେଲେ ଭାରତ କଲେ ଅସୁବିଧା କଣ ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

Advertisment

ସୂଚନା ଅନୁସାରେ, ରୁଷ୍‌ଠାରୁ ତେଲ କିଣୁଥିବା ଭାରତକୁ ଆମେରିକା ଓ ୟୁରୋପ ପକ୍ଷରୁ ଲଗାତାର ଭାବେ ସମାଲୋଚନା କରାଯାଉଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ଉପରେ ଜବାବ ରହିଛି । ଏହି ଦୁଇ ପକ୍ଷ ନିଜେ ରୁଷ୍ ସହ ବିଭିନ୍ନ ପ୍ରକାର କାରବାରରେ ଲିପ୍ତ ଥିଲେ ମଧ୍ୟ ଭାରତକୁ ନିର୍ଦ୍ଦିଷ୍ଟ ଭାବେ ସମାଲୋଚନା କରିବା ଅଯୌକ୍ତିକ ଓ ଅନୁଚିତ୍‌ ବୋଲି ନୂଆଦିଲ୍ଲୀ କହିଛି । ଅନ୍ୟ ‌ପ୍ରମୁଖ ଦେଶଗୁଡ଼ିକ ଭଳି ଭାରତ ମଧ୍ୟ ନିଜ ଜାତୀୟ ସ୍ବାର୍ଥ ରକ୍ଷା ଓ ଅର୍ଥନୈତିକ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ମନ୍ତ୍ରଣାଳୟ କହିଛି ।

ରୁଷ୍‌ରୁ ୟୁରୋପୀୟ ଦେଶଗୁଡ଼ିକ ସାର, ଖଣିଜ ପଦାର୍ଥ, ରାସାୟନିକ ପଦାର୍ଥ, ଲୁହା ଓ ଇସ୍ପାତ, ମେସିନ୍, ପରିବହନ ଉପକରଣ ମଗାଉଛନ୍ତି । ସେହିପରି ଆମେରିକା ମଧ୍ୟ ରୁଷ୍‌ରୁ ୟୁରାନିୟମ୍, ହେକ୍ସାଫ୍ଲୋରାଇଡ୍‌, ପାଲାଡିୟମ୍, ସାର ଏବଂ ରାସାୟନିକ ପଦାର୍ଥ ମଗାଉଥିବା ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ୍ ସହ ରୁଷ୍‌ର ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ଯେଉଁ ପାରମ୍ପରିକ ସହଯୋଗୀଙ୍କଠାରୁ ତେଲ କିଣୁଥିଲା, ସେମାନେ ଅଧିକାଂଶ ତେଲ ୟୁରୋପକୁ ପଠାଇଥିଲେ । ଫଳରେ ଭାରତକୁ ରୁଷ୍‌ରୁ ତେଲ କିଣିବାକୁ ପଡ଼ିଥିଲା।

ବିଶ୍ବ ଅର୍ଥନୀତିରେ ସନ୍ତୁଳନ ବଜାୟ ରଖିବା ଲାଗି ସେହି ସମୟ‌ରେ ଭାରତର ରୁଷ୍ ତେଲ କିଣାକୁ ଆମେରିକା ଉତ୍ସାହିତ କରିଥିଲା । ନିଜ ଗ୍ରାହକଙ୍କ ନିକଟରେ ସୁଲଭ ଦରରେ ଇନ୍ଧନ ଓ ଶକ୍ତି ପହଞ୍ଚାଇବା ଉଦ୍ଦେଶ୍ୟରେ ଭାରତ ତେଲ କିଣୁଛି । କିନ୍ତୁ ସେହି ଦେଶଗୁଡ଼ିକ ନିଜେ ରୁଷ୍‌ ସହ ବେପାର କରୁଥିବା ବେଳେ ଭାରତକୁ ସମାଲୋଚନା କରୁଛନ୍ତି । ସେମାନଙ୍କ ପାଇଁ ରୁଷ୍ ସହ ବେପାର ଭାରତ ଭଳି ଏକ ଜାତୀୟ ଆବଶ୍ୟକତା ମଧ୍ୟ ନୁହେଁ । କିଭଳି ରୁଷ୍‌ ସହ ଆମେରିକା ଓ ୟୁରୋପ କାରବାର କରୁଛନ୍ତି ତାହା ସାମ୍ନାକୁ ଆଣିବା ଲାଗି ମନ୍ତ୍ରଣାଳୟ କହିଛି ଯେ ୨୦୨୪ରେ ରୁଷ୍ ଓ ୟୁରୋପୀୟ ସଂଘ ମଧ୍ୟରେ ଦ୍ବିପାକ୍ଷିକ କାରବାର ୬୭୫୦ କୋଟି ୟୁରୋ ଥିଲା । ୨୦୨୩ରେ ଏହାର ସେବା କାରବାର ୧୭୨୦ କୋଟି ୟୁରୋ ରହିଥିଲା । ରୁଷ୍ ସହ ଭାରତର ମୋଟ୍‌ କାରବାରଠାରୁ ତାହା ଅଧିକ । ରୁଷ୍‌ରୁ ୟୁରୋପ ରେକର୍ଡ ଏଲ୍‌ଏନ୍‌ଜି ମଧ୍ୟ ଆମଦାନି କରୁଛି ବୋଲି ମନ୍ତ୍ରଣାଳୟ ଜଣାଇଛି ।