କନକ ବ୍ୟୁରୋ : ଭାରତୀୟ ବାୟୁସେନାରେ କମ୍ ପଡ଼ିଯାଉଛି ଯୁଦ୍ଧ ବିମାନ । ବାୟୁସେନାରେ ରାଫେଲ ସାମିଲ ହେବା ପରେ ବାୟୁସେନା ଶକ୍ତିଶାଳୀ ହୋଇଛି ସତ କିନ୍ତୁ ଯୁଦ୍ଧ ବିମାନର ସ୍ବାର୍ଡନ ଦ୍ରାସ ପାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରଣାଳୟ ଏଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଦେଶର ଇତିହାସରେ ସବୁଠୁ ବଡ଼ ପ୍ରତିରକ୍ଷା ଡିଲ୍ କରିବାକୁ ଯାଉଛି ଭାରତ ।
ଏହି ଡିଲ୍ ପାଇଁ, ଭାରତ ରାଫେଲ ନିର୍ମାଣକାରୀ ଦେଶ ଫ୍ରାନ୍ସ ସହିତ ଏକ G2G ଅର୍ଥାତ୍ ସରକାର-ସରକାର ମଧ୍ୟରେ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି । ଚୁକ୍ତି ପରେ, ରାଫେଲ ତିଆରି କରୁଥିବା ଫ୍ରନ୍ସ କମ୍ପାନୀ ଡାସଲ୍ଟ ଭାରତରେ ଏକ ସ୍ୱଦେଶୀ କମ୍ପାନୀ ସହିତ ଦେଶରେ ଏକ ମାନୁଫ୍ୟାକ୍ଚର ପ୍ଲାଣ୍ଟ୍ ସ୍ଥାପନ କରିବ । ସବୁଠୁ ବଡ଼ କଥା ହେଲା ଭାରତରେ ତିଆରି ହେବାକୁ ଥିବା ସ୍ୱଦେଶୀ ରାଫେଲ ଲଢ଼ୁଆ ବିମାନରେ ପ୍ରାୟ ୬୦ ପ୍ରତିଶତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ରହିବ ।
ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ବିରୁଦ୍ଧରେ ଭାରତୀୟ ବାୟୁସେନାର ପରାକ୍ରମ ସାରା ବିଶ୍ବ ଦେଖିଛି । ବାୟୁସେନାର ବାହୁବଳି କୁହାଯାଉଥିବା ରାଫେଲ୍ ଶତ୍ରୁ ରାଷ୍ଟ୍ର ଉପରେ କିପରି ଘାତକ ଆକ୍ରମଣ କରିଥିଲା ତାହା ବି ସମସ୍ତେ ଦେଖିଛନ୍ତି । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟକୁ ଧ୍ୱଂସ କରିବା ପାଇଁ ରାଫେଲ ଲଢ଼ୁଆ ବିମାନ ବ୍ୟବହାର ହୋଇଥିଲା । ଆଉ ଏଥିରେ ଯେଉଁଭଳି ଭାବେ ରାଫେଲ ତାର ଦକ୍ଷତା ଦେଖାଇଛି, ତାକୁ ଦୃଷ୍ଟିରେ ରଖି ବାୟୁସେନାରେ ଅଧିକ ରାଫେଲ ସାମିଲ କରିବାକୁ ଯୋଜନା କରୁଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଯେଉଁ ୩୬ଟି ରାଫେଲ ଲଢ଼ୁଆ ବିମାନ ବ୍ୟବହୃତ ହେଉଛି ସେଥିରେ ମେଟିଓର, ମିକା ଏବଂ ସ୍କେଲପ୍ ମିସାଇଲ ସଜ୍ଜିତ କରାଯାଇଛି । ଏଗୁଡ଼ିକ ସମସ୍ତ ଫ୍ରାନ୍ସିସ୍ ମିସାଇଲ, କିନ୍ତୁ ମେକ୍ ଇନ୍ ଇଣ୍ଡିଆ ଦ୍ବାରା ନିର୍ମାଣ ହେବାକୁ ଥିବା ରାଫେଲ ଲଢ଼ୁଆ ବିମାନରେ ଭାରତ ନିର୍ମିତ ମିସାଇଲ ଇନସଟ୍ ହୋଇପାରିବ।
ତଥାପି, ମେକ୍ ଇନ୍ ଇଣ୍ଡିଆ ରାଫେଲ୍ ଲଢ଼ୁଆ ବିମାନକୁ ଏକ ଲମ୍ବା ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ, ଯେଉଁଥିରେ ଅର୍ଥ ମନ୍ତ୍ରଣାଳୟଠାରୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ସର୍ବୋଚ୍ଚ କମିଟି, ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଅନ୍ତର୍ଭୁକ୍ତ । ଏପରି ପରିସ୍ଥିତିରେ, ଏହା ସମ୍ପୂର୍ଣ୍ଣ ସମ୍ଭବ ଯେ ଏହି ୧୧୪ ରାଫେଲ୍ ଲଢ଼ୁଆ ବିମାନ ମଧ୍ୟରୁ କିଛି ସିଧାସଳଖ ଫ୍ରାନ୍ସରୁ କିଣାଯାଇପାରିବ । ଏହି ୧୧୪ ରାଫେଲ୍ ଲଢ଼ୁଆ ବିମାନ ସହିତ, ବାୟୁସେନା ୫ରୁ୬ ସ୍କ୍ୱାର୍ଡନ୍ ସ୍ଥାପନ କରିପାରିବ ।
ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହେବ ଚୁକ୍ତି
ଯଦି ଏହି ପ୍ରକଳ୍ପକୁ ସରକାରଙ୍କଠାରୁ ଅନୁମୋଦନ ମିଳେ, ତେବେ ବାୟୁସେନାର ପୁରୁଣା MRFA ଅର୍ଥାତ୍ ମଧ୍ୟମ ଓଜନର ଲଢ଼ୁଆ ଜେଟ୍ ପ୍ରକଳ୍ପକୁ ସ୍ଥଗିତ ରଖାଯିବ । MRFA ପ୍ରକଳ୍ପରେ ମଧ୍ୟ ମେକ୍ ଇନ୍ ଇଣ୍ଡିଆରେ ୧୧୪ଟି ଲଢ଼ୁଆ ବିମାନ ତିଆରି ହେବାର ଥିଲା । କିନ୍ତୁ ସେଥିରେ, ବିଭିନ୍ନ ବିଦେଶୀ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିଲେ, କିନ୍ତୁ ବର୍ତ୍ତମାନର ଚୁକ୍ତି ସିଧାସଳଖ ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହେବ । ଆଉ ଯଦି ଏହି ପ୍ରକଳ୍ପ ସଫଳ ହୁଏ ତେବେ ଆଗାମୀ ଦିନରେ ଭାରତୀୟ ବାୟୁସେନା ଭାରତର ଏକ ସୁରକ୍ଷା ଦୁର୍ଗ ପରି କାମ କରିବ ।