କନକ ବ୍ୟୁରୋ : ଦୁଃଖ ଦେଇଗଲା ବାଦଲଫଟା ବର୍ଷା । ଆଖି ପିଛୁଳାକେ ଚାଲିଗଲା ଅନେକଙ୍କ ଜୀବନ, ଭାସିଗଲେ ଶତାଧିକ । ତଥାପି ଭାଙ୍ଗିନି ଦେବଭୂମିର ଅନ୍ୟତମ ସୌନ୍ଦର୍ଯ୍ୟଭରା ଗାଁ ଧରାଲି । ଦୁର୍ଘଟଣା ପରର ଚିତ୍ର ମନକୁ ଆନ୍ଦୋଳିତ କରୁଛି ସତ କିନ୍ତୁ ସଳଖ ହେବାକୁ ଚେଷ୍ଟା କରୁଛି । ଭାଙ୍ଗିଯାଇଥିବା ରାସ୍ତାକୁ ଠିକ କରାଯାଉଛି, ଯାତାୟାତକୁ ସ୍ବାଭାବିକ କରିବାକୁ ବଡ଼ ବଡ଼ ମେସିନ୍ ସାହାଯ୍ୟରେ ପଥରଖଣ୍ଡ ହଟାଯାଉଛି । ବିଦ୍ୟୁତ ଖୁଣ୍ଟକୁ ଠିକ କରି ବିଜୁଳି ସେବାକୁ ସ୍ବାଭାବିକ କରାଯାଉଛି । ଭାରତୀୟ ସେନା, ଆଇଟିବିପି, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଟିମ୍ଙ୍କ ମିଳିତ ଉଦ୍ୟମରେ ଧରାଲି ପୁଣି ଛିଡ଼ା ହେବାକୁ ଚେଷ୍ଟା କରୁଛି
ସେପଟେ ବନ୍ୟାପାଣିରେ ଭାସିଯାଇଥିବା ହଜାରରୁ ଅଧିକଙ୍କ ଲୋକଙ୍କ ମଧ୍ୟରୁ ୪ଶହ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ତଥାପି ୩ଶହରୁ ଅଧିକ ଲୋକଙ୍କ ପତ୍ତା ମିଳୁନଥିବାରୁ ସେମାନଙ୍କୁ ଖୋଜା ଜାରି ରହିଛି । ସେପଟେ ୫ଜଣଙ୍କ ମୃତ୍ୟୁ ହେବା ସହ ଆହତମାନଙ୍କ ଚିକିତ୍ସା ଚାଲିଛି । ଗୁରୁତରମାନଙ୍କୁ ଏୟାରଲିଫ୍ଟ କରି ଡେରାଡୁନ ଏମ୍ସକୁ ସ୍ଥାନାନ୍ତର କରାଯାଉଛି ।
କ୍ଷତବିକ୍ଷତ ଧରାଲି ଗାଁର ଚିତ୍ର ଉତ୍ତୋଳନ କରିଛି ଇସ୍ରୋ ଉପଗ୍ରହ । ଯେଉଁଥିରେ ଦୁର୍ଘଟଣା ପୂର୍ବ ଓ ପରର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଭୂସ୍ଖଳନ ପୂର୍ବରୁ ଧରାଲିରେ ସ୍ଥିତି ସ୍ବାଭାବିକ ଥିଲା । କିନ୍ତୁ ଏହା ପରର ଚିତ୍ର ଛାତି ଥରାଇ ଦେଲାଭଳି ହୋଇଛି । ପୂରା ଧରାଲି ଗାଁ ମାଟି ତଳେ ଦବି ରହିଛି । ଅନେକ ଘର, କୋଠା ଓ ହୋଟେଲ, ଗାଡ଼ି ମୋଟର ଦବି ରହିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ଗ୍ଲେସିୟର ଭୁଶୁଡ଼ିବା ଆଶଙ୍କାକୁ ଅନୁଧ୍ୟାନ କରୁଛନ୍ତି । ଧରାଲି କ୍ଷୟକ୍ଷତି ଅତି ଭୀଷଣ ବୋଲି ଆକଳନ କରାଯାଇଛି । ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ଯେ ଉତ୍ତରାଖଣ୍ଡର ଉପରମୁଣ୍ଡର ବନ୍ୟା ଯୋଗୁ ଆବର୍ଜନାର ବିଶାଳ ପାହାଡ଼ ସୃଷ୍ଟି ହୋଇଛି । ଏକ ବିରାଟ ଅଞ୍ଚଳ ଆବର୍ଜନାରେ ଭରିଯାଇଛି । ଭାଗିରଥି ଏବଂ କ୍ଷୀରଗଙ୍ଗା ନଦୀର ଏକ ବଡ଼ ଅଂଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କୋଠା ଓ ରାସ୍ତାଘାଟ ସବୁକିଛି ଆବର୍ଜନାରେ ପୋତି ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/08/59-2025-08-08-20-23-05.jpg)