କନକ ବ୍ୟୁରୋ : ଆମେରିକା ଯାଉଥିଲେ ସାବଧାନ ! ଆମେରିକାରେ ରହୁଥିଲେ ବି ସାବଧାନ! କାରଣ ଆମେରିକାରେ ଭାରତୀୟ ଏବଂ ଭାରତୀୟ ବଂଶେୋଦ୍ଭଙ୍କୁ ହତ୍ୟା ଘଟଣା ବଢ଼ିବାରେ ଲାଗିଛି । ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ହତ୍ୟାର ଶିକାର ହୋଇଛନ୍ତି । ପିଟ୍ସବର୍ଗରେ ଜଣେ ଭାରତୀୟ ବଂଶୋଦ୍ଭବ ରାକେଶ ଏହାଗବାନଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି । ସେଠାରେ ସେ ଏକ ମୋଟେଲ ମ୍ୟାନେଜର ଭାବେ କାମ କରୁଥିଲେ । ସିସିଟିଭି କ୍ୟାମେରାରେ ହତ୍ୟାର ଦୃଶ୍ୟ କଏଦ ହୋଇଛି ।
କଣ ଥିଲା କାରଣ?
ଅଭିଯୁକ୍ତ ଷ୍ଟେନ୍ଲି ଇଉଜେନ ୱେଷ୍ଟ ଏବଂ ଜଣେ ମହିଳାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ରାକେଶ । ଯାହାକୁ ନେଇ ଅଭିଯୁକ୍ତ ଜଣକ ରାଗିଯାଇ ରାକେଶଙ୍କ ଉପରକୁ ଅତି ନିକଟରୁ ଗୁଳି କରିଥିଲେ । ସମ୍ପୃକ୍ତ ମହିଳାଙ୍କ ଉପରକୁ ମଧ୍ୟ ଅଭିଯୁକ୍ତ ଷ୍ଟେନ୍ଲି ଇଉଜେନ ୱେଷ୍ଟ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ୱେଷ୍ଟ ପୁଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳିରେ ଅଭିଯୁକ୍ତ ୱେଷ୍ଟ ଓ ତା‘ ଗୁଳିରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି ।
ଭାରତୀୟଙ୍କ ଉପରକୁ ଆକ୍ରମଣ
କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ୫୦ ବର୍ଷୀୟ ଚନ୍ଦ୍ରମୌଲି ନାଗାମଲ୍ଲାୟାଙ୍କ ମୁଣ୍ଡ କାଟି ଦେଇଥିଲେ । ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ଭୟଙ୍କର ଥିଲା । ବ୍ୟକ୍ତି ଜଣକ ପ୍ରଥମେ ଚନ୍ଦ୍ରମୌଲି ନାଗାମଲ୍ଲାୟାଙ୍କ ମୁଣ୍ଡକୁ ତାଙ୍କ ଶରୀରରୁ ଅଲଗା କରି ଦେଇଥିଲେ, ଏବଂ ତା'ପରେ, ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କ ସମ୍ମୁଖରେ, ତାଙ୍କ ମୁଣ୍ଡକୁ ଫୁଟବଲ୍ ପରି ଲାତ ମାରିଥିଲେ । ସେପ୍ଟେମ୍ବର ମାସରେ ଘଟିଥିବା ଏହି ଘଟଣାରୁ ଲୋକମାନେ ଭୁଲିନଥିବା ବେଳେ, ଅକ୍ଟୋବର ୫ ତାରିଖରେ, ପେନସିଲଭାନିଆର ଜଣେ ଭାରତୀୟ ବଂଶୋଦ୍ଭବ ରାକେଶଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଘଟଣା ପୂର୍ବରୁ, ରାକେଶ, ଜଣେ ଦୟାଳୁ ଭାରତୀୟଙ୍କ ପରି, ଆକ୍ରମଣକାରୀଙ୍କୁ "ବନ୍ଧୁ" ବୋଲି ସମ୍ବୋଧନ କରିଥିଲେ ଏବଂ ପଚାରିଥିଲେ ଯେ ସେ ଠିକ୍ ଅଛନ୍ତି କି ନାହିଁ । ତଥାପି, ଏହାର କୌଣସି ପ୍ରଭାବ ହତ୍ୟାକାରୀଙ୍କ ଉପରେ ପଡ଼ିନଥିଲା । ଏବେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ, କେଉଁ କେଉଁ ତାରିଖରେ କେଉଁଠି କେଉଁଠି ଭାରତୀୟଙ୍କୁ ହତ୍ୟା କରାଯାଇଛି ।
- ୫ ଅକ୍ଟୋବର, ୨୦୨୫... ଆମେରିକାର ପେନସିଲଭାନିଆରେ ୫୧ ବର୍ଷୀୟ ରାକେଶ ଏହଗାବାନଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
- ଅକ୍ଟୋବର ୩ରେ ପେଟ୍ରୋଲ ପମ୍ପରେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା ।
- ୨ ଅକ୍ଟୋବର, ମୋଟେଲରେ ଡବଲ୍ ମର୍ଡର । ଆମେରିକାର ଉତ୍ତର କାରୋଲିନାରେ ଦୁଇ ଜଣ ଗୁଜରାଟୀ, ଅନିଲ ପଟେଲ ଏବଂ ପଙ୍କଜ ପଟେଲଙ୍କୁ ହତ୍ୟା କରାଯାଇଥିଲା ।
- ସେପ୍ଟେମ୍ବର ୧୯, ଡକାୟତି ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।
- ସେପ୍ଟେମ୍ବର ୧୦, ସହକର୍ମୀଙ୍କ ଗଳା କାଟି ହତ୍ୟା କରାଯାଇଥିଲା
- ସେପ୍ଟେମ୍ବର ୩ରେ ଖୋଲାରେ ପରିସ୍ରା କରିବାକୁ ଲୋକଙ୍କୁ ବାରଣ କରିବାରୁ ଘଟିଥିଲା ହତ୍ୟାକାଣ୍ଡ ।
ତେବେ ଗତ କିଛି ଦିନ ମଧ୍ୟରେ ଭାରତୀୟଙ୍କୁ ଆମେରିକାରେ ଏଭଳି ହତ୍ୟା କରାଯାଉଥିବା ଘଟଣା ସାଧାରଣରେ ଚିନ୍ତା ବଢ଼ାଇଦେଇଛି ।