କନକ ବ୍ୟୁରୋ : ଆଫଗାନିସ୍ତାନରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ, ବସ୍‌ଟି ପ୍ରବାସୀମାନଙ୍କୁ ନେଇ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ପରେ ନିଆଁ ଲାଗି ଜଳି ଯାଇଥିଲା ।  ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ନିଆଁ ସେତେବେଳକୁ ବସ୍‌ରେ ଅଧିକ ମାତ୍ରାରେ ବ୍ୟାପୀ ଯାଇଥିଲା । ଆଫଗାନ୍ କର୍ତ୍ତୃପକ୍ଷ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ମୃତକ ଓ ଆହତ ପରିବାରଙ୍କୁ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ତାଲିବାନ ମୁଖପାତ୍ର ଅହମଦୁଲ୍ଲା ମୁତାକି କହିଛନ୍ତି, ଇରାନରୁ ଫେରୁଥିବା ଆଫଗାନୀ ନାଗରିକ, ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ ଏକ ଟ୍ରକ୍ ଏବଂ ମୋଟରସାଇକେଲ ସହିତ ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗିଯାଇଥିଲା । ହେରାତ ପୁଲିସ କହିଛି, ବସ୍‌ର ଅତ୍ୟଧିକ ଗତି ଏବଂ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଛି । ଗତ ବର୍ଷ ଡିସେମ୍ବରରେ, କେନ୍ଦ୍ରୀୟ ଆଫଗାନିସ୍ତାନର ରାଜପଥରେ ଏକ ବସ୍, ଏକ ଇନ୍ଧନ ଟ୍ୟାଙ୍କର୍ ଏବଂ ଏକ ଟ୍ରକ୍ ସହିତ ହୋଇଥିବା ଦୁଇଟି ଦୁର୍ଘଟଣାରେ ଅତି କମ୍‌ରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

Advertisment

ଆଫଗାନିସ୍ତାନ ପରେ ଆଉ ଏକ ଦୁଃଖଦ ଖବର ଉପରେ ନଜର ପକାଇବା, ଯାହା ନାଇଜେରିଆରୁ ଆସିଛି । ଉତ୍ତର ନାଇଜେରିଆର ବୋର୍ନୋ ରାଜ୍ୟରେ ଏକ ମସଜିଦ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅତି କମ୍‌ରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଯେତେବେଳେ ଅଜଣା ଆକ୍ରମଣକାରୀମାନେ ମସଜିଦରେ ନମାଜ ପଢ଼ୁଥିବା ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ରିପୋର୍ଟ ହୋଇଛି । ସ୍ଥାନୀୟ ପୁଲିସ ଓ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଆକ୍ରମଣ ପଛରେ କାହାର ହାତ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ।