କନକ ବ୍ୟୁରୋ : ଚଳିତବର୍ଷ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇବେ ଭେନେଜୁଏଲାର ମାରିଆ କୋରିନା ମାଚାଡୋ । ସେପଟେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଦୀର୍ଘଦିନ ଧରି ଲବି କରିଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହତାଶ ହୋଇଛନ୍ତି । ହ୍ୱାଇଟ୍ ହାଉସ କହିଛି, ଏହା ପଛରେ ରୀଜନୀତି ଅଛି । ନୋବେଲ କମିଟି ବିଶ୍ୱଶାନ୍ତି ପାଇଁ ଟ୍ରମ୍ପଙ୍କ ପଦକ୍ଷେପକୁ ନଜର ଅନ୍ଦାଜ କରିଥିବା ହ୍ବାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି ।

Advertisment

ଏକଛତ୍ରବାଦରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ଓ ମାନବାଧିକାର ପାଇଁ ଦୀର୍ଘଦିନ ହେଲା କାମ କରିଆସୁଛନ୍ତି ଭେନେଜୁଏଲାର ମାରିଆ କୋରିନା ମାଚାଡୋ । ସ୍ୱୀକୃତି ସ୍ୱରୂପ ଏହି ମହାନ ମହିଳାଙ୍କୁ ଶାନ୍ତି ପାଇଁ ଚଳିତବର୍ଷର ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି । ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ଆଇରନ ଲେଡି ବା ଲୌହମାନବୀ ବୋଲି ମଧ୍ୟ କୁହାଯାଏ । ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ସୁରକ୍ଷିତ ରଖିବା ଓ ଏଥିପାଇଁ ପ୍ରୋତ୍ସାହନ ପ୍ରଦାନ ଲାଗି ଅକ୍ଲାନ୍ତ ପରିଶ୍ରମ କରିଥିବାରୁ ସ୍ୱୀକୃତି ସୂରୂପ ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ପୁରସ୍କାର ପ୍ରଦାନ କରୁଥିବା ସ୍ୱିଡିସ୍ କମିଟି କର୍ମକର୍ତ୍ତା କହିଛନ୍ତି ।

ସେପଟେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଦୀର୍ଘଦିନ ହେଲା ଚେଷ୍ଟା ଚଳାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହତାଶ ହୋଇଛନ୍ତି । ଅନେକ ପ୍ରଚାର ସତ୍ତ୍ୱେ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଶାନ୍ତି ପ୍ରତିଷ୍ଠା ପାଇଁ ବିଶ୍ୱରେ ୮ଟି ଯୁଦ୍ଧ ବନ୍ଦ କରିଥିବା ଦାବି କରୁଥିଲେ ଟ୍ରମ୍ପ୍ । ଏପରିକି ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥତା କରିଥିବା ବାରମ୍ବାର ଦାବି କରିଥିଲେ। ଯାହାକୁ ଭାରତ ବାରମ୍ବାର ଅସ୍ୱୀକାର କରି ଆସୁଛି । ଯୁଦ୍ଧ ବନ୍ଦ କରି ବିଶ୍ୱରେ ଅନେକ ଜୀବନ ବଞ୍ଚାଇଥିବା ଟ୍ରମ୍ପ ଦାବି କରିଥିଲେ ।

ଶେଷରେ ନୋବେଲ ପାଇଁ ଲବି କରିବାକୁ ଯାଇ ଟ୍ରମ୍ପ କହିଥିଲେ, ବାରାକ୍ ଓବାମା କିଛି ନକରି ଏହି ପୁରସ୍କାର ପାଇଛନ୍ତି । ସେ କାହିଁକି ପାଇବେନି ବୋଲି ପ୍ରଶ୍ନ କରିଥିଲେ ଟ୍ରମ୍ପ । ଲବିକୁ ଦୃଢ଼ କରିବାକୁ ଯାଇ ହ୍ୱାଇଟ୍ ହାଉସ୍ ମଧ୍ୟ ଦିନକ ତଳେ ଟ୍ରମ୍ପଙ୍କୁ ପିସ୍ ପ୍ରେସିଡେଣ୍ଟ ଆଖ୍ୟା ଦେଇଥିଲା । ସେପଟେ ଟ୍ରମ୍ପଙ୍କୁ କାହିଁକି ନୋବେଲ ପୁରସ୍କାର ପାଇଁ ଚୟନ କରାଗଲାନି, ସେନେଇ ଜବାବ ରଖିଛି ନୋବେଲ କମିଟି । ପ୍ରକୃତ କାମକୁ ଦେଖି ଓ ନୋବେଲ ପୁରସ୍କାର ପ୍ରତିଷ୍ଠାତାଙ୍କ ଆଲଫ୍ରେଡ୍ ନୋବେଲଙ୍କ ଆଭିମୁଖ୍ୟ ଅନୁସାରେ ଏହି ପୁରସ୍କାର ଦିଆଯାଏ ବୋଲି ନୋବେଲ କମିଟିର ମୁଖ୍ୟ ଜୋରଗେନ ୱାଟନେ ଫ୍ରାଏଡନେସ୍ କହିଛନ୍ତି ।