କନକ ବ୍ୟୁରୋ : ମଣିଷ ପାଇଁ କିଛି ବି ଅସମ୍ଭବ ନୁହେଁ । ମଣିଷ ଯାହା ଚାହେଁ ତାହା କଳେବଳେ କୌଶଳେ କରି ଦେଖାଏ । ଏପରି କହିବା ପଛର କାରଣ ହେଉଛି ଯାପାନର ବୈଜ୍ଞାନିକମାନେ ଏପରି ଏକ ଜିନିଷ ତିଆରିକରି ଦେଖାଇଛନ୍ତି, ଯାହା ଆଗାମୀ ଦିନରେ ମଣିଷର ସମୟ ବଞ୍ଚାଇବା ସହ ମଣିଷକୁ ଟେକ୍ନଲୋଜି କ୍ଷେତ୍ରରେ ଆଉ ଦୁଇପାଦ ଆଗକୁ ନେଇଯିବ । କଣ ଏହି ଜିନିଷ, ଆଗାମୀ ଦିନରେ ମଣିଷ ପାଇଁ ଏହା କିଭଳି କାମରେ ଆସିଭ ଆସନ୍ତୁ ଜାଣିବା ।
ଯାପାନର ବୈଜ୍ଞାନିକମାନେ ଏକ ଚମତ୍କାରୀ ଞ୍ୱାସିଂ ମେସିନ୍ ଆବିଷ୍କାର କରିଛନ୍ତି । ଯାହାର ନାଁ ହେଉଛି ‘ମିରାଇ ନିଙ୍ଗେନ୍ ସେଣ୍ଟାକୁକି’ । ଏହି ଯାପାନୀସ୍ ନାଁର ଅର୍ଥ ହେଉଛି ଫ୍ୟୁଚର ହ୍ୟୁମ୍ୟାନ୍ ୱାସିଂ ମେସିନ୍ । ମିରାଇର ଅର୍ଥ ଫ୍ୟୁଚର୍, ନିଙ୍ଗେନର ଅର୍ଥ ହ୍ୟୁମ୍ୟାନ୍, ସେଣ୍ଟାକୁକିର ଅର୍ଥ ୱାସିଂ ମେସିନ୍ । ଅର୍ଥାତ୍ ଯାପାନର ବୈଜ୍ଞାନିକ ମାନେ ମଣିଷଙ୍କ ପାଇଁ ଏକ ୱାସିଂ ମେସିନ୍ ତିଆରି କରିଛନ୍ତି । ମାତ୍ର ୧୫ମିନିଟ୍ ମଧ୍ୟରେ ମଣିଷ ପୂରା ଚକାଚକ୍ ହୋଇ ବାହାରିବ ।
କୁହାଯାଉଛି ଏହି ୱାସିଂ ମେସିନ୍ ଏଆଇ ଦ୍ୱାରା ପରିଚାଳିତ ହେବ । ଏହି ମେସିନ୍ ପ୍ରଥମେ ଏଆଇ ସାହାଯ୍ୟରେ ମଣିଷ ଶରୀରର ବିଶ୍ଲେଷଣ କରିବ ଏବଂ ଆବଶ୍ୟକ ଅନୁସାରେ ମଣିଷ ଶରୀରକୁ ସଫା କରିବ । ଏହି ଟେକ୍ନୋଲୋଜି ମାଧ୍ୟମରେ, ମେସିନ୍ ସ୍ୱୟଂଚାଳିତ ଭାବରେ ଶରୀରର ବିଭିନ୍ନ ଅଙ୍ଗକୁ ଚିହ୍ନଟ କରିବ ଏବଂ ସେଗୁଡ଼ିକୁ ସଫା କରିବା ଉପରେ କାର୍ୟ୍ୟ କରିବ । ଏହି ଅନନ୍ୟ ୱାଶିଂ ମେସିନ୍ ଓସାକା ସ୍ଥିତ ସାୱାରହେଡ୍ କମ୍ପାନୀ ସାଇନ୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭବିଷ୍ୟତରେ ଏହି ସଫେଇ ଏବଂ ବ୍ୟକ୍ତିଗତ ଯତ୍ନ ନିଆଯିବା ପଦ୍ଧତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇପାରେ ।
ତେବେ ୧୦୦୦ ଜଣଙ୍କୁ ନେଇ ଏହି ମେସିନର ପରୀକ୍ଷା କରାଯିବ । ପ୍ରଥମେ ମଣିଷକୁ ଏକ ସ୍ୱଚ୍ଛ ପଡରେ ବସିବାକୁ ପଡିବ । ଏହି ମେସିରେ ବସିବା ମାତ୍ରେ ମେସିନ ଭିତରୁ ଗରମ ପାଣି ବାହାରିବା ଆରମ୍ଭ ହେବ । ମଣିଷ ଶରୀରର ଉତାପ ଅନୁସାରେ ପାଣିର ଉତାପ ବଢିବ ଏବଂ କମିବ । ଏଆଇ ମାଧ୍ୟମରେ ଶରୀରର ବିଶ୍ଲେଷଣ ହେବ । ଶରୀରର ପ୍ରତ୍ୟେକଟି ଅଙ୍ଗକୁ ଭଲ ଭାବେ ସଫା କରାଯିବ । ୧୫ ମିନିଟ୍ ପରେ ଯେତେବେଳେ ସଫା କରିବା ପ୍ରକ୍ରିୟା ଶେଷ ହୋଇଯିବ ସେତେବେଳେ ମେସିନଟି ଆପେ ଆପେ ବନ୍ଦ ହୋଇଯିବ । ଏହି ମେସିନ ମଣିଷକୁ ସ୍ୱଚ୍ଛତା ଓ ଏକ ଆରମଦାୟକ ଅନୁଭବ ପ୍ରଦାନ କରିବ ।