କନକ ବ୍ୟୁରୋ : କଳାଯାଦୁ, ତନ୍ତ୍ର ବିଦ୍ୟାରେ ବିଶ୍ୱାସ କରି ଦ୍ୱିତୀୟ ଶ୍ରେଣୀର ଜଣେ ଛାତ୍ରକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ବିଦ୍ୟାଳୟର ଯଶ, ସୁନାମ ପାଇଁ କଳା ଯାଦୁରେ ବିଶ୍ୱାସ ରଖୁଥିବା ଘରୋଇ ସ୍କୁଲର ମାଲିକ, ତାଙ୍କ ପୁଅ ଏବଂ କିଛି ଶିକ୍ଷକ ମିଳିମିଶି ଏଭଳି ଜଘନ୍ୟ ହତ୍ୟା କରିଛନ୍ତି ।
ଉତ୍ତରପ୍ରଦେଶ ହାଥରସରେ ଏହି ଘଟଣା ସାରା ଦେଶରେ କେବଳ ଚାଞ୍ଚଲ୍ୟ ସୃଷ୍ଟି କରିନି ବରଂ ଅଭିଭାବକଙ୍କ ମହଲରେ ଏକ ଭୟ କରାଇଛି । ପରିବାର ଲୋକେ ଦୁଖଃରେ ଭାଙ୍ଗିପଡିଛନ୍ତି । ଘଟଣାର ୫ ଦିନ ପରେ ପୁଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସ୍କୁଲର ମାଲିକ ଯଶୋଧନ ସିଂ, ତାଙ୍କ ପୁଅ ଦିନେଶ ବାଘେଲ ଏବଂ ୩ ଶିକ୍ଷକ ।
କେବଳ କାର୍ତ୍ତିକ ନୁହେଁ, ପୂର୍ବରୁ ଅନ୍ୟ ଛାତ୍ରମାନଙ୍କୁ ମଧ୍ୟ ବଳି ଦେବାକୁ ଉଦ୍ୟମ କରାଯାଇଥିଲା । ସେପ୍ଟେମ୍ବର ୬ ରେ ଅନ୍ୟ ଏକ ୯ ବର୍ଷିୟ ଛାତ୍ରକୁ ବଳି ଦେବାକୁ ଉଦ୍ୟମ କରିଥିଲେ ସ୍କୁଲ କର୍ତ୍ତୁପକ୍ଷ । କିନ୍ତୁ କୌଣସି ପ୍ରକାରରେ ଛାତ୍ର ଜଣଙ୍କ ଖସିଯିବାରେ ସକ୍ଷମ ହୋଇଥିଲେ । ମେଡିକାଲ ରିପୋର୍ଟରୁ ସେହି ଛାତ୍ରଙ୍କ ତଣ୍ଟି ଚିପାଯାଇଥିବା ସୂଚନା ମିଳିଥିଲା ।
ଏହା ପରେ ସେପ୍ଟେମ୍ବର ୨୨ ତାରିଖରେ କାର୍ତ୍ତିକକୁ ବଳି ଦେବାକୁ ସେମାନେ ଯୋଜନା କରିଥିଲେ । ପ୍ରଥମେ ସ୍କୁଲ ପରିସରରେ ଥିବା ଏକ ନଳକୂପ ନିକଟରେ ବଳି ଦେବାକୁ ପ୍ଲାନ କରିଥିଲେ । କିନ୍ତୁ ଛାତ୍ର ଜଣଙ୍କ ନିଦରୁ ଉଠିପଡ଼ିବାରୁ ତାଙ୍କୁ ସ୍କୁଲ ଭିତରକୁ ନେଇ ତଣ୍ଟି ଚିପି ହତ୍ୟା କରିଥିଲେ ଅଭଯୁକ୍ତ । ଜାତୀୟ ଶିଶୁ ସୁରକ୍ଷା କମିଶନ ଏନେଇ ନିଜ ଆଡୁ ମାମଲା ରୁଜୁ କରିବା ସହ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ପଠାଇଛି ।
ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଟ୍ୱିବ୍ୱେଲ୍ ନିକଟରୁ କିଛି ଯାଦୁବିଦ୍ୟା ସଂପର୍କିତ ଜିନିଷ ଜବତ କରାଯାଇଛି । ଆଜି ଆଧୁନିକ ଓ ବିକଶିତ ଦୁନିଆରେ ଶିକ୍ଷାନୁଷ୍ଠାନର ଏଭଳି କାର୍ଯ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।