କନକ ବ୍ୟୁରୋ : ସରିଲା ନିର୍ବାଚନ, ଦେଶକୁ ମିଳିଲା ନୂଆ ଉପରାଷ୍ଟ୍ରପତି । ଜଗଦୀପ ଧନକଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦକୁ ନେଇ ଚାଲିଥିଲା ଏନଡିଏ ଓ ଇଣ୍ତି ମେଣ୍ଟ ମଧ୍ୟରେ କସରତ । ଶେଷରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ବାଛିଲା ସଂସଦ । କଣ ଆପଣ ଜାଣିଛନ୍ତି ଏହି ପଦରେ ଆସୀନ ବ୍ୟକ୍ତିଙ୍କ ଦରମା କେତେ ଆଉ ତାଙ୍କୁ ସରକାରଙ୍କ ପକ୍ଷରୁ କି କି ସୁବିଧା ମିଳେ । ଦରମା, ଗାଡ଼ିଠୁ ଆରମ୍ଭ କରି ଘର ଜାଣନ୍ତୁ କଣ ମିଳେ ସୁବିଧା..
ଉପରାଷ୍ଟ୍ରପତିଙ୍କ ଦରମା
ଭାରତର ଦ୍ୱିତୀୟ ନାଗରିକ ତଥା ଉପରାଷ୍ଟ୍ରପତିଙ୍କୁ ମାସିକ ୪ ଲକ୍ଷ ଟଙ୍କା ଦରମା ମିଳେ । ଉପରାଷ୍ଟ୍ରପତିଙ୍କୁ ନିୟମିତ ଦରମା ମିଳେ ନାହିଁ କିନ୍ତୁ ସେ ରାଜ୍ୟସଭାର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ଦରମା ଏବଂ ଭତ୍ତା ପାଆନ୍ତି । ଏହା ବ୍ୟତୀତ ମହଙ୍ଗା ଭତ୍ତା (DA) ମଧ୍ୟ ଯୋଡା ଯାଇଥାଏ, ଯାହା ସମୟ ସମୟରେ ବୃଦ୍ଧି ପାଉଥାଏ ।
ମିଳିବ ଏହିସବୁ ସୁବିଧା
ନିର୍ବାଚନ ଜିତିବା ମାତ୍ରେ, ଉପରାଷ୍ଟ୍ରପତିଙ୍କୁ ଦିଲ୍ଲୀରେ ସରକାରୀ ବାସଭବନ, ବୁଲେଟ ପ୍ରୁଫ୍ ଗାଡ଼ି, ସ୍ୱାସ୍ଥ୍ୟ ସୁବିଧା, ଟ୍ରେନ୍-ବିମାନ ଯାତ୍ରା, ଲ୍ୟାଣ୍ଡଲାଇନ୍, ମୋବାଇଲ୍ ଫୋନ୍ ସେବା, Z+ ସୁରକ୍ଷା ଏବଂ କର୍ମଚାରୀ ମିଳିଥାଏ । ଏହା ବ୍ୟତୀତ ତାଙ୍କ ସହିତ ସର୍ବଦା ବିଳାସପୂର୍ଣ୍ଣ କାରର ଏକ କାରକେଡ୍ ଯାଇଥାଏ । ଉପରାଷ୍ଟ୍ରପତିଙ୍କ ପିଲାମାନଙ୍କ ପାଇଁ ସରକାରୀ ସ୍କୁଲ କିମ୍ବା କଲେଜରେ ଫି ଛାଡ଼ ଏବଂ ଅନ୍ୟାନ୍ୟ ସୁବିଧା ପାଆନ୍ତି । ବିଦେଶ ଯାତ୍ରା ସମୟରେ ଡିପ୍ଲୋମାଟିକ୍ ପାସପୋର୍ଟ, ହୋଟେଲ ବୁକିଂ ଏବଂ ପ୍ରୋଟୋକଲ୍ ସୁବିଧା ରହିଥାଏ ।
ପଦ ଛାଡିବା ପରେ ମଧ୍ୟ, ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ସରକାର ଅନେକ ସୁବିଧା ପ୍ରଦାନ କରନ୍ତି, ଯେଉଁଥିରେ ଜୀବନବ୍ୟାପୀ ପେନସନ୍ ଅନ୍ତର୍ଭୁକ୍ତ, ଯାହା ବର୍ତ୍ତମାନର ଦରମାର ୫୦ ପ୍ରତିଶତ ଅର୍ଥାତ ୨ ଲକ୍ଷ ଟଙ୍କା ପାଇବେ । ଏହା ବ୍ୟତୀତ, ଟାଇପ୍-୮ ବଙ୍ଗଳା, ବ୍ୟକ୍ତିଗତ ସଚିବ, ସହାୟକ, ସୁରକ୍ଷା, ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଅନେକ ଅନ୍ୟାନ୍ୟ ସୁବିଧା ଜାରି ରହେ । ଦେହାନ୍ତ ପରେ, ପତ୍ନୀଙ୍କୁ ଟାଇପ୍-୭ ବଙ୍ଗଳା ଏବଂ ଅନ୍ୟକିଛି ସୁବିଧା ମିଳିଥାଏ ।
ଉପରାଷ୍ଟ୍ରପତି ନିର୍ବାଚନରେ ଜିତିଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ୧୫୨ ଭୋଟରେ ହରାଇଛନ୍ତି ସିପି ରାଧାକ୍ରିଷ୍ଣନ । ତେବେ ନିର୍ବାଚନରେ ମୋଟ ୭୬୭ ଜଣ ସାଂସଦ ଭୋଟ୍ ଦେଇଥିଲେ । ଏଥିରରୁ ୭୫୨ ଜଣ ସାଂସଦଙ୍କ ଭୋଟ୍ ବୈଧ ହୋଇଥିଲା ଏବଂ ୧୫ଟି ଭୋଟ୍ ଅବୈଧ ହୋଇଛି । ନିର୍ବାଚନରେ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରଥମ ପସନ୍ଦରେ ୪୫୨ ଭୋଟ୍ ମିଳିଛି ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରଥମ ପସନ୍ଦରେ ୩୦୦ ଭୋଟ୍ ମିଳିଛି ।