କେତେ କ୍ଷତି କରିଛି ବାଦଲ ଫଟା ବର୍ଷା ? କ୍ଷୟକ୍ଷତି ଆକଳନ ପାଇଁ ଆଇଏମସିଟି ଗଠନ କଲେ କେନ୍ଦ୍ର ସରକାର

ଏହି ଆଇଏମସିଟି ଘଟଣା ସ୍ଥଳରେ ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ରିଲିଫ କାର୍ଯ୍ୟର ମୂଲ୍ୟାଙ୍କନ କରିବେ ।

himachal-jpg_1751876039191

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ଓ ସମର୍ଥନ ଯୋଗାଇ ଆସୁଛନ୍ତି । ଯାହାଦ୍ୱାରା ଜନସାଧାରଣ ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରାଯାଇପାରିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ, ଗୃହ ମନ୍ତ୍ରଣାଳୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ପାଇଁ ଆନ୍ତଃମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଦଳ ଗଠିତ ହୋଇଛି । ଯାହା ପ୍ରବଳ ବର୍ଷା, ବନ୍ୟା, ଆକସ୍ମିକ ବନ୍ୟା, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବ । ଏହି ଆଇଏମସିଟି ଘଟଣା ସ୍ଥଳରେ ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ରିଲିଫ କାର୍ଯ୍ୟର ମୂଲ୍ୟାଙ୍କନ କରିବେ ।

ଚଳିତ ମୌସୁମୀ ଋତୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଜାମ୍ମୁ-କାଶ୍ମୀରର ବନ୍ୟା/ଭୂସ୍ଖଳନ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଏହି କେନ୍ଦ୍ରୀୟ ଦଳମାନେ ଆସନ୍ତା ସପ୍ତାହ ପ୍ରାରମ୍ଭରେ ଗସ୍ତ କରିବେ। ଏକ ଆଇଏମସିଟି ଏବଂ ଏକ ବହୁସ୍ତରୀୟ ଦଳ ହିମାଚଳ ପ୍ରଦେଶ ଗସ୍ତ କରିସାରିଛନ୍ତି । କେନ୍ଦ୍ରୀୟ ଦଳଗୁଡ଼ିକର ନେତୃତ୍ୱ ଗୃହ ମନ୍ତ୍ରଣାଳୟ/ଏନଡିଏମଏରେ ଯୁଗ୍ମ ସଚିବ ସ୍ତରର ଜଣେ ବରିଷ୍ଠ ଅଧିକାରୀ ନେଉଛନ୍ତି ଏବଂ ଏଥିରେ ବ୍ୟୟ, କୃଷି ଏବଂ କୃଷକ କଲ୍ୟାଣ, ଜଳ ଶକ୍ତି, ଶକ୍ତି, ସଡ଼କ ପରିବହନ ଏବଂ ରାଜପଥ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ/ବିଭାଗର ବରିଷ୍ଠ ଅଧିକାରୀମାନେ ରହିବେ ।

ଗୃହ ମନ୍ତ୍ରଣାଳୟ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛି ଏବଂ ଆବଶ୍ୟକ ସଂଖ୍ୟକ ଏନଡିଆରଏଫ, ସେନା ଏବଂ ବାୟୁସେନା ହେଲିକପ୍ଟର ନିୟୋଜିତ କରି ସମସ୍ତ ଆବଶ୍ୟକୀୟ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି, ଯେଉଁମାନେ ସେମାନଙ୍କୁ ସନ୍ଧାନ ଏବଂ ଉଦ୍ଧାର ତଥା ଅତ୍ୟାବଶ୍ୟକ ସେବାଗୁଡିକର ପୁନରୁଦ୍ଧାରରେ ସାହାଯ୍ୟ କରୁଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଅଗଷ୍ଟ ୨୦୧୯ରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏମ୍ଏଚ୍ଏ ରାଜ୍ୟଗୁଡିକର ସ୍ମାରକପତ୍ରକୁ ଅପେକ୍ଷା ନକରି, କ୍ଷୟକ୍ଷତିର ଆକଳନ କରିବା ପାଇଁ ଗୁରୁତର ବିପର୍ଯ୍ୟୟ ପରେ ତୁରନ୍ତ ଆଇଏମସିଟି ଗୁଡ଼ିକୁ ଗଠନ କରିଥିଲା । ଆଇଏମସିଟି ଦ୍ୱାରା କ୍ଷୟକ୍ଷତିର ଆକଳନ କରାଯିବା ପରେ କେନ୍ଦ୍ର ସରକାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଏନଡିଆରଫ୍ ରୁ ରାଜ୍ୟକୁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ।

୨୦୨୫-୨୬ ଆର୍ଥିକ ବର୍ଷରେ, କେନ୍ଦ୍ର ସରକାର ଏସଡିଆରଏଫ୍ ରୁ ୨୪ଟି ରାଜ୍ୟକୁ ୧୦,୪୯୮କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ରାଜ୍ୟଗୁଡ଼ିକରେ ତୁରନ୍ତ ପ୍ରଭାବିତ ଲୋକଙ୍କୁ ରିଲିଫ ସହାୟତା ପ୍ରଦାନ କରିପାରିବେ। ସେହିଭଳି ଏନଡିଆରଏଫ୍ ପକ୍ଷରୁ ୧୨ଟି ରାଜ୍ୟକୁ ୧୯୮୮.୯୧ କୋଟି ଟଙ୍କା, ୨୦ଟି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମ୍ଏଫ୍) ରୁ ୩୨୭୪.୯୦ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମ୍ଏଫ୍) ରୁ ୯ଟି ରାଜ୍ୟକୁ ୩୭୨.୦୯ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe