କନକ ବ୍ୟୁରୋ: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାଂଚଲ୍ୟକର ଖୁଲ୍ଲାସା । ଅଭିଯୁକ୍ତ ସନ୍ଦୀପ ଘୋଷ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛି ସିବିଆଇ । ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୌଣସି ପ୍ରକାର ଏଫଆଇଆର ରୁଜୁ କରାଯାଉ ବୋଲି ଚାହୁଁନଥିଲେ କଲେଜର ପୂର୍ବତନ ଅଧ୍ୟକ୍ଷ । ଏଥିସହ ପୁଲିସକୁ ଭୁଆଁ ବୁଲାଇବାକୁ ଓ ସତ ଲୁଚାଇବାକୁ ସବୁପ୍ରକାର କସରତ କରିଥିବା ମଧ୍ୟ ସିବିଆଇ ଦାବି କରିଛି । ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆଧାରରେ ଏହି ଦାବି କରିଛି ସିବିଆଇ । 

  • କୋଲକାତା କାଣ୍ଡ,ସିବିଆଇର ବଡ଼ ଖୁଲ୍ଲାସା
  • ସତ ଲୁଚାଇଥିଲା ସନ୍ଦୀପ ଘୋଷ
  • ପୁଲିସକୁ ଭୁଆଁ ବୁଲାଉଥିଲା ଅଭିଯୁକ୍ତ
  • ହତ୍ୟା ଘଟଣାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା

 

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାବଦରେ ଆଉ ଏକ ସତ ସାମ୍ନାକୁ ଆସିଛି । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସିବିଆଇ କହିଛି । କଲିକତା ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ସମୟରେ ଏପରି କହିଛି ତଦନ୍ତକାରୀ ସଂସ୍ଥା ସିବିଆଇ । ଏଥିସହ ଗିରଫ ହୋଇଥିବା ତାଲା ପୁଲିସ ଷ୍ଟେସନ ଇନଚାର୍ଜ ଅଭିଜିତ ମଣ୍ଡଳଙ୍କ ବିରୁଦ୍ଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛି । କୋର୍ଟଙ୍କୁ ସିବିଆଇ କହିଛି ଯେ, ଅଗଷ୍ଟରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପର ଦିନ ସକାଳ ଖବର ପାଇଥିଲେ ମଧ୍ୟ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ନଥିଲେ ସନ୍ଦୀପ ଘୋଷ । ଘଟଣାକୁ ଗୁରୁତ୍ୱର ସହ ନେଇନଥିଲେ । ଥାନାରେ ମଧ୍ୟ ନିଜ ଆଡ଼ୁ କୌଣସି ମାମଲା ରୁଜୁ କରିନଥିଲେ । ଏପରିକି ମୃତ ଟ୍ରେନି ଡାକ୍ତରଙ୍କ ଶରୀରରେ ବାହ୍ୟ ଆଘାତ ଥାଇ ମଧ୍ୟ ଆତ୍ମହତ୍ୟାର ନୂଆ ଥିଓରି ଲେଖିଥିଲେ । ଘଟଣା ପରେ ସେ ଜଣେ ଓକିଲ ଏବଂ ପୁଲିସଙ୍କ ସହ ମଧ୍ୟ ଯୋଗାଯୋଗ କରିଥିବା ସିବିଆଇ କହିଛି । ସିବିଆଇ ଆହୁରି କହିଛି ଯେ, ଡାକ୍ତର ସନ୍ଦୀପ ଘୋଷ ମୃତଦେହର ଡାକ୍ତରୀ ମାଇନା କରାଇବାରେ ବିଫଳ ହୋଇଥିଲେ ଏବଂ ତୁରନ୍ତ ଶବଗାରକୁ ମୃତଦେହ ନେଇଯିବାକୁ କହିଥିଲେ । ସେପଟେ ଗିରଫ ହୋଇଥିବା ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳ ମଧ୍ୟ ଦାୟିତ୍ୱରେ ଅବହେଳା କରିଥିବା ସିବିଆଇ ଦର୍ଶାଇଛି । ସେ ଏପରି ଜଘନ୍ୟ ହତ୍ୟାକାଣ୍ଡ ବାବଦରେ ଖବର ପାଇଥିଲେ ମଧ୍ୟ ଘଣ୍ଟାଏ ପରେ ଡାକ୍ତରଖାନାରେ ପହଞ୍ଚିଥିଲେ। ଏପରିକି ପୁଲିସ ମଧ୍ୟ ଠିକ୍ ସମୟରେ ମାମଲା ରୁଜୁ କରିନଥିଲା । ଘଟଣାସ୍ଥଳରେ ନ ପହଞ୍ଚିବାରୁ ଅପରାଧ ସ୍ଥଳକୁ ସାଧାରଣ ଲୋକେ ଯାଇଥିଲେ ଏବଂ କ୍ରାଇମ୍ ସ୍ଥାନର ଫଟୋ ଉଠାଇଥିଲେ, ଯାହା ପରେ ଲିକ୍ ହୋଇଥିଲା ବୋଲି ସିବିଆଇ କହିଛି। 
ସତ ଲୁଚାଇଥିଲେ ସନ୍ଦୀପ ଘୋଷ !

  • ମାମଲା ସମ୍ବନ୍ଧରେ ସୂଚନା ମିଳିବା ପରେ ଘଟଣାସ୍ଥଳରେ ତୁରନ୍ତ ପହଁଚିନଥିଲେ
  • ଘରେ ରହି ମାମଲା ସମ୍ବନ୍ଧରେ ଓକିଲଙ୍କ ସହ ପରାମର୍ଶ ନେଇଥିଲେ
  • ଏଫଆଇଆର ରୁଜୁ ପାଇଁ ଓକିଲ ତାଙ୍କୁ ପରାମର୍ଶ ଦେଇଥିଲେ
  • ତଥାପି ସନ୍ଦୀପ ଏଫଆଇଆର ରୁଜୁ କରିନଥିଲେ
  • ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳଙ୍କ ସହ ସର୍ମ୍ପକରେ ଥିଲେ
  • ଭୁଆଁ ବୁଲାଇବାକୁ ମିଛ ବୟାନ ଦେଉଛନ୍ତି ସନ୍ଦୀପ 

ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣା ସମୟରେ ସନ୍ଦୀପ ଘୋଷ ସେହି ମେଡିକାଲ କଲେଜର ପ୍ରିନ୍ସିପାଲ ଥିଲେ। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିଥିଲା । ସିବିଆଇ ତାଙ୍କୁ ପ୍ରଥମେ ଆର୍ଥିକ ହେରଫେର ଅଭିଯୋଗରେ ଗିରଫ କରିବା ପରେ ନିକଟରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି ।