କନକ ବ୍ୟୁରୋ : ଥମୁନି ମଧ୍ୟ ପ୍ରାଚ୍ୟ ଲଢେଇ । ଇରାନ-ଇସ୍ରାଏଲ ତିକ୍ତତା ଭିତରେ ପୁଣି ଥରେ ଏଣ୍ଟ୍ରି ମାରିଛି ହିଜବୁଲ୍ଲା । ଇସ୍ରାଏଲ ଉପରେ ଘନଘନ ରକେଟ ମାଡ଼ କରିଛି ହିଜବୁଲ୍ଲା । ଇସ୍ରାଏଲର ହାଇଫା ସହରକୁ ଟାର୍ଗେଟ୍ କରି ଏହି ରକେଟ ମାଡ କରିଛି ହିଜବୁଲ୍ଲା । ଇସ୍ରାଏଲ ଉପରକୁ ୨୫ରୁ ଅଧିକ ରକେଟ୍ ଓ ମିଜାଇଲ ମାଡ କରିଛି ହିଜବୁଲ୍ଲା । ଆକ୍ରମଣରେ ୪ ଇସ୍ରାଏଲ ସୈନ୍ୟ ନିହତ ହୋଇଛନ୍ତି । ସେହିପରି ହିଜବୁଲ୍ଲାର ଏହି ଘାତକ ହମଲାରେ ୬୭ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Advertisment

ଇସ୍ରାଏଲକୁ ସୈନ୍ୟ ପଠାଇବ ଆମେରିକା । ଇସ୍ରାଏଲ ଉପରେ ଇରାନ ଆକ୍ରମଣର କରିବାର ଆଶଙ୍କା ଭିତରେ ଆମେରିକା ପକ୍ଷରୁ ଏପରି ବଡ଼ ଘୋଷଣା କରାଯାଇଛି । ଜୋ ବାଡେନ୍ ସରକାର ଘୋଷଣା କରିଛନ୍ତି ଯେ, ଇସ୍ରାଏଲକୁ ଆମେରିକୀୟ ସୈନ୍ୟ ପଠାଯିବ । ସେମାନେ ଇସ୍ରାଏଲ ସୈନ୍ୟଙ୍କୁ ସହାୟତା କରିବେ । ଏହାସହ କ୍ଷେପଣାସ୍ତ୍ର ପ୍ରତିରୋଧୀ ‘ଥାଡ୍’ ସିଷ୍ଟମ୍ ମଧ୍ୟ ଇସ୍ରାଏଲକୁ ଯୋଗାଇଦେବାକୁ ଆମେରିକା ଘୋଷଣା କରିଛି ।

ଇସ୍ରାଏଲ ପାଖରେ ନିଜସ୍ୱ କ୍ଷେପଣାସ୍ତ୍ର ପ୍ରତିରୋଧୀ ସିଷ୍ଟମ୍ ଆଇରନ୍ ଡୋମ୍ ରହିଛି । ତେବେ ଇସ୍ରାଏଲକୁ ଚାରିପଟୁ ଶତ୍ରୁଙ୍କ ଆକ୍ରମଣର ଆଶଙ୍କା ରହିଛି । ଗୋଟିଏ ପଟେ ହମାସ୍ ସହ ଇସ୍ରାଏଲୀ ସେନା ଲଢ଼େଇ କରୁଛି । ସେପଟେ ଲେବାନନର ହିଜବୁଲ୍ଲା ଗୋଷ୍ଠୀ ସହ ଲଢ଼େଇ ଚାଲିଛି । ଅନ୍ୟପଟେ ୟେମେନର ହୁତି ଗୋଷ୍ଠୀ ସହ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ଇରାନ ମଧ୍ୟ ଇସ୍ରାଏଲକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରୁଛି । ଏପରି ପରିସ୍ଥିତି ଇସ୍ରାଏଲର ବନ୍ଧୁ ରାଷ୍ଟ୍ର ଆମେରିକା ସହଯୋଗ କରିବାକୁ ଆଗେଇ ଆସିଛି ।