କନକ ବ୍ୟୁରୋ : ଦୁର୍ଗାପୂଜା ପୂର୍ବରୁ ପାଣି ପାଣି କୋଲକାତା । ଗୋଟେପଟେ ମା’ଙ୍କ ଆବାହନ ପାଇଁ ସଜେଇ ହେଉଛି ପୂଜାପେଣ୍ଡାଲ । ସେପଟେ ପାଣିରେ ଭାସୁଛି ସିଟି ଅଫ୍ ଜୟ । ସୋମବାର ରାତିରୁ କୋଲକାତାରେ ପ୍ରବଳ ବର୍ଷା ଲାଗି ରହିଛି । ସହରରେ ସୃଷ୍ଟି ହୋଇଛି ଜଳମଗ୍ନ ସ୍ଥିତି । ବର୍ଷା ଯୋଗୁ ୫ ଜଣ ପ୍ରାଣ ହରାଇଛନ୍ତି ।
ଦୁର୍ଗାପୂଜା ପାଇଁ ସଜେଇ ହୋଇଥିବା କୋଲକାତାକୁ ସତେ ଯେମିତି କାହାର ନଜର ଲାଗିଯାଇଛି । ମା’ଙ୍କ ଆବାହନ ଓ ଧୁମଧାମରେ ପୂଜା ପାଇଁ ଚଳଚଞ୍ଚଳ କୋଲକାତା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ଚାଲିଥିବା ବେଳେ ସେପଟେ ବଡ଼ ସମସ୍ୟା ନେଇ ଆସିଛି ଲଘୁଚାପ ସାଙ୍ଗକୁ ମୌସୁମୀ ବର୍ଷା । ସିଟି ଅଫ୍ ଜୟ ର ଖୁସିରେ ବାଧା ସାଜିଛି ଲଗାଣବର୍ଷା । କେଉଁଠି ପୂଜା ପେଣ୍ଡାଲରେ ବର୍ଷା ପାଣି ପଶିଛି ତ ପୁଣି କେଉଁଠି ବୁଡିଯାଇଛି ରେଳ ଟ୍ରାକ୍ । ଦୋକାନଠୁ ନେଇ ଆପାର୍ଟମେଣ୍ଟ ସବୁଠି ଅଣ୍ଟାଏ ଉଚ୍ଚାର ପାଣି । ଅଧା ବୁଡ଼ିଯାଇଛି ସହର ମଝିରେ ଥିବା ଶିକ୍ଷାନୁଷ୍ଠାନ । ଗେଟକୁ ଛୁଉଁଛି ଜମାଟ ବର୍ଷା ପାଣି । ହଠାତ ସହର ଉପରକୁ ମାଡ଼ି ଆସିଥିବା ସମସ୍ୟାରେ ଯାତାୟାତ ମଧ୍ୟ ବେଶ୍ ବାଧାପ୍ରାପ୍ତ ହୋଇପଡ଼ିଛି । କେଉଁଠି ବାଇକ ଗଡ଼ୁନି ତ ପୁଣି କେଉଁଠି କାର ଫସି ରହିଛି ପରିସ୍ଥିତି । ଏଭଳି ହୋଇଛି କି କାନ୍ଧ ଉଚ୍ଚା ପାଣିରେ ପଶି ନିଆଁ ଲିଭାଉଛନ୍ତି ଦମକଳବାହିନୀ ।
ସୂଚନା ଅନୁସାରେ ୨୪ ଘଣ୍ଟାରେ ସହରର ୨୪୭.୦୮ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭ରୁ ଅଧିକ ମୃତ୍ୟୁ ସୂଚନା ମିଳିଛି । ସ୍ଥିତିର ସମୀକ୍ଷା କରିବା ସହ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ଷା କାରଣରୁ ଯାତାୟାତ ବେଶ୍ ବାଧାପ୍ରାପ୍ତ ହୋଇଛି । ଅଧିକାଂଶ ଟ୍ରେନର ବିଳମ୍ବରେ ଗଡ଼ିବା ସହ କିଛି ରଦ୍ଦ ହୋଇଥିବା ସୂଚନା ମିଳିଛି । ସମାନ ସ୍ଥିତି ବିମାନ ଉଡାଣରେ ମଧ୍ୟ ଦେଖାଦେଇଛି ।