କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ପ୍ରକୃତିର କରାଳ ରୂପା ରଚିଚାଲିଛି ତାଣ୍ଡବ । କେଉଁଠି ପାହଡ ଧସୁଛି ତ କେଉଁଠି ଆକସ୍ମିକ ବନ୍ୟାରେ ମାଡି ଆସୁଛି ଜଳ ପ୍ରଳୟ । ଦୁଇ ସପ୍ତାହ ମଧ୍ୟରେ ଘାଟିରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୪୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ଭୂସ୍ଖଳନ ଫଳରେ ବୈଷ୍ଣୋଦେବୀ ଯାତ୍ରା ବନ୍ଦ ରହିଛି । ବାଦଲଫଟା ବର୍ଷାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଫଳରେ ପ୍ରାୟ ୨୧ ରୁ ଅଧିକ ଆହତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶ୍ରୀ ମାତା ବୈଷ୍ଣୋଦେବୀ ବୋର୍ଡ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଜମ୍ମୁକାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ । ଫଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି । ଦ୍ବିତୀୟ ଦିନ ପାଇଁ ଏହି ରାଜପଥ ବନ୍ଦ ରହିଛି । ବର୍ଷା କାରଣରୁ ଭୂସ୍ଖଳନ ହୋଇଛି । ଫଳରେ ରାସ୍ତା ଧୋଇଯାଇଥିବା ସୂଚନା । ସେପଟେ ପିର୍ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ଘଟିଛି । ଯାହା ଦ୍ୱାରା ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛନ୍ତି ।
ସେପଟେ ହିମାଚଳ ପ୍ରଦେଶ କୁଲ୍ଲୁରେ ପ୍ରବଳ ବର୍ଷା ଜାରି ରହିଛି । ବୃଦ୍ଧି ପାଇଛି ବିୟାସ୍ ନଦୀର ଜଳସ୍ତର । ଲଗାତାର ୨- ୩ ଦିନ ବର୍ଷା ଫଳରେ ଭାଙ୍ଗିଯାଇଛି ବହୁ ଘର । ଏନ୍ଏଚ୍-୩ର କେତେକ ଅଂଶ ଧୋଇ ଯାଇଛି । ସେହିପରି ଉତ୍ତରଭାରତରେ ବିପଦ ସଙ୍କେତ ଉପରେ ଯମୁନା ନଦୀ । ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଫଳରେ ଯମୁନା ନଦୀ ବିପଦ ସଙ୍କେତ ଟପିଛି । ତଳିଆ ଅଞ୍ଚଳରେ ଦେଖାଦେଇଛି ବନ୍ୟା ଆଶଙ୍କା । ଏଥିପାଇଁ ସିଡବ୍ଲୁସି ଓ ଦିଲ୍ଲୀ ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ତଳିଆ ଅଞ୍ଚଳରେ ପ୍ରଭାବିତ ହୋଇଛି ଲୋକଙ୍କ ଜୀବନଯାତ୍ରା । ଜିଲ୍ଲା ପ୍ରଶାସନ ସହ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।