କନକ ବ୍ୟୁରୋ: ୨୦୨୭ ଗୁଜରାଟ ବିଧାନସଭା ନିର୍ବାଚନ ଯଥେଷ୍ଟ ପୂର୍ବରୁ କଂଗ୍ରେସ ନିଜ ଘର ସଜାଡିବାକୁ ଉଦ୍ୟମ କରିଛି । ଏହି ମର୍ମରେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦଳର ସମସ୍ତ ସଂଗଠନରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି । 

Advertisment

ଦଳର କର୍ମକର୍ତ୍ତା ଓ ସାଧାରଣ କର୍ମୀଙ୍କୁ ଭେଟିବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରତ୍ୟେକଙ୍କୁ ଉତ୍ତରଦାୟୀ ହେବାକୁ ସତର୍କ କରିଛନ୍ତି । ପ୍ରତ୍ୟେକ କର୍ମକର୍ତ୍ତା ନିଜ ସମୟ ମଧ୍ୟରେ ଦଳ ପାଇଁ କେତେ କାମ କରିଛନ୍ତି ତାର ବିସ୍ତୁତ ବିବରଣୀ ଦେବାକୁ ରାହୁଲ ଗୁରୁତ୍ବ ଦେଇଛନ୍ତି । ଏଥିପାଇଁ ଖୁବଶୀଘ୍ର ଗୁଜରାଟ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନ ପାଇଁ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି । 

ବାରମ୍ବାର ନିର୍ବାଚନ ହାରିବା ପରେ ଦଳୀୟ କର୍ମକର୍ତ୍ତାଙ୍କ ମନୋବଳ ଭାଙ୍ଗିଯାଇଛି । ତେଣୁ ପ୍ରାୟ ଅଢ଼େଇବର୍ଷ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଗଭର ହୋଇଛି । ସେଥିପାଇଁ ରାହୁଲ କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଯାଇ ସମସ୍ତଙ୍କୁ ଗୁରୁତ୍ବ ଦେଇଛନ୍ତି । ଏଥିସହ ଦଳରେ ରହି ଯେଉଁମାନେ ବିଜେପି ପାଇଁ କାମ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ରାହୁଲ ପ୍ରଦେଶକର୍ମୀଙ୍କୁ କହିଛନ୍ତି ।

ଗତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ବିଧାନସଭାର ୧୮୨ ଆସନ ମଧ୍ୟରୁ କଂଗ୍ରେସ ମାତ୍ର ୧୭ ଆସନ ଜିତିପାରିଥିଲା । ବିରୋଧୀ ଦଳର ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିଲା । ଏଥିମଧ୍ୟରୁ ୫ ଜଣ ବିଧାୟକ ବିଜେପିରେ ଯୋଗ ଦେବା ଫଳରେ ଏହାର ସଂଖ୍ୟା ୧୨ରେ ସୀମିତ ରହିଛି । ମାତ୍ର କ୍ରମାଗତ ଭାବେ ୨୦୧୪ର ଓ ୨୦୧୯ରେ ଗୋଟିଏ ଆସନ ବନସକଣ୍ଠରୁ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାକୁ ଦେଖି ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ କଂଗ୍ରେସକୁ ସଜାଡିବାକୁ ରାହୁଲ ଉଦ୍ୟମ ଆରମ୍ଭ କରିଛନ୍ତି ।