କନକ ବ୍ୟୁରୋ : ତେଜୁଛି ତିରୁପତି ଲଡୁ ବିବାଦ । ତିରୁପତି ବାଲାଜୀଙ୍କ ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ । ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପିର ଅଭିଯୋଗ ହୋଇଛି । ତେବେ ଏହାରି ମଧ୍ୟରେ ମନ୍ଦିରରେ ଲଡୁ ପ୍ରସ୍ତୁତ ପାଇଁ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର ।

Advertisment

ଆନ୍ଧ୍ରପ୍ରଦେଶର ତିରୁମାଲା ପର୍ବତରେ ଥିବା ତିରୁପତି ମନ୍ଦିରରେ ଘିଅ ପରିବର୍ତ୍ତେ ଘୁଷୁରି ଓ ଗୋରୁ ଚର୍ବି ଏବଂ ମାଛ ତେଲ ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର । ଏନେଇ ଏକ ଗାଇଡଲାଇନ ଜାରି କରି କର୍ଣ୍ଣାଟକ ସରକାର କହିଛନ୍ତି ଯେ, ରାଜ୍ୟର ମନ୍ଦିର ପରିଚାଳନା ସଂସ୍ଥା ଅଧୀନରେ ଥିବା ସମସ୍ତ ୩୪ ହଜାରରେ ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର କରାଯିବ ।

ସୂଚନା ମୁତାବକ, ଦକ୍ଷିଣ ଭାରତରେ କ୍ଷୀର ଉତ୍ପାଦ ପାଇଁ ‘ନନ୍ଦିନୀ’ ଏକ ବିଶ୍ୱସନୀୟ ବ୍ରାଣ୍ତ । ନନ୍ଦିନୀ କମ୍ପାନୀର କ୍ଷୀର ଓ ଘିଅର ଚାହିଦା ଅଧିକ ରହିଛି । ତେଣୁ ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟ ଅଧୀନରେ ଥିବା ସମସ୍ତ ମନ୍ଦିରରେ କେବଳ କର୍ଣ୍ଣାଟକ ମିଲ୍କ ଫେଡେରେସନ୍ (KMF) ଦ୍ୱାରା ଉତ୍ପାଦିତ ନନ୍ଦିନୀ ଘିଅ ବ୍ୟବହାର କରାଯିବ । ଠାକୁରଙ୍କ ପାଖରେ ଲାଗିହେଉଥିବା ଭୋଗ ବା ପ୍ରସାଦ ସହ ଦୀପ ଜାଳିବା ପାଇଁ ମଧ୍ୟ ନନ୍ଦିନୀ ଘିଅ ବ୍ୟବହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତିରୁପତିକୁ ପଠାଯିବାକୁ ଥିବା କ୍ଷୀର ଓ ଘିଅ ଉପରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରାଯିବ । ଘିଅ ଟ୍ୟାଙ୍କରରେ ଜିପିଏସ୍ ଓ  ଇଲୋକ୍ଟ୍ରୋନିକ ଲକିଂ ବ୍ୟବସ୍ଥା ପାଇଁ ଯୋଜନା ରହିଛି । ଯାହା ସୁନିଶ୍ଚିତ କରିବ ଯେ, ଘିଅରେ କୌଣସି ଅପମିଶ୍ରଣ ନ ହେବ । ବେଙ୍ଗାଲୁରୁରେ ଥିବା ନନ୍ଦିନୀର ମୁଖ୍ୟ କାର୍ଯ୍ୟାଳୟରେ ଜିପିଏସ୍ ଦ୍ୱାରା ଟ୍ୟାଙ୍କରକୁ ଟ୍ରାକ୍ କରାଯିବ । ଟ୍ୟାଙ୍କରେ ଲାଗିଥିବା ଇଲୋକ୍ଟ୍ରୋନିକ ସକିଂ କେବଳ ମୁଖ୍ୟାଳୟରୁ ଦିଆଯାଇଥିବା ଓଟିପିରୁ ଖୋଲିବ । ଯାହା ଦ୍ୱାରା ଅପମିଶ୍ରଣ ହୋଇପାରିବନି ।