କନକ ବ୍ୟୁରୋ : ସୁପ୍ରିମ୍‌କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି କରୁଛନ୍ତି । ଏହି ସମୟରେ କୋର୍ଟଙ୍କ ଟିପ୍ପଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୋର୍ଟ କହିଛନ୍ତି, ରାଜ୍ୟ ବିଧାନସଭାରେ ପାରିତ ହେଉଥିବା ବିଧେୟକକୁ ଦୀର୍ଘ ସମୟ ଧରି ଅଟକାଇ ପାରିବେନି ରାଜ୍ୟପାଳ । ଏଭଳି କରିବା ଫଳରେ ବ୍ୟବସ୍ଥାପିକା ଅକାମୀ ହୋଇଯିବାର ଆଶଙ୍କା ରହିଛି ।

Advertisment

କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ରଖି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ‘ରାଜ୍ୟପାଳ କୌଣସି ବିଲ୍‌କୁ ଅଟକାଇବା ଅର୍ଥ ସିଧାସଳଖ ଏହାର ହତ୍ୟା ନୁହେଁ । ରାଜ୍ୟପାଳମାନେ କେବଳ ପୋଷ୍ଟମ୍ୟାନ୍ ନୁହନ୍ତି । ସେମାନେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରନ୍ତି । ସିଧାସଳଖ ନିର୍ବାଚିତ ହୋଇନଥିବା ବ୍ୟକ୍ତି ଜଣକ ନିର୍ବାଚିତ ବ୍ୟକ୍ତିଙ୍କଠାରୁ କମ୍ ନୁହନ୍ତି ବୋଲି ଅଦାଲତଙ୍କୁ କହିଛନ୍ତି ସଲିସିଟର ଜେନେରାଲ । ହେଲେ କୋର୍ଟ କହିଛନ୍ତି, ଜଣେ ରାଜ୍ୟପାଳ ଯଦି ତାଙ୍କ କାମ ଠିକ୍ ଭାବେ ନକରନ୍ତି, ତେବେ ତାଙ୍କୁ ପ୍ରଶ୍ନ କରାଯାଇପାରିବ ନାହିଁ କାହିଁକି ? ବିଧାନସଭାରେ ଅନୁମୋଦନ ଲାଭ କରୁଥିବା ବିଲ୍‌କୁ ରାଜ୍ୟପାଳ ଅଟକାଇ ରଖିବା ସଂଘୀୟ ସୌହାର୍ଦ୍ଦ୍ୟର ପରିପନ୍ଥୀ ନୁହେଁ କି ?

କେରଳ, ତାମିଲନାଡ଼ୁ, ପଞ୍ଜାବ ଓ ପଶ୍ଚିମବଙ୍ଗ ସରକାର ରାଜ୍ୟପାଳଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ କ୍ଷମତା ଏବଂ ବିବେକ ଉପରେ ସ୍ପଷ୍ଟତା ଆଣିବା ପାଇଁ ପ୍ରେସିଡେନ୍ସିଆଲ ରେଫରେନ୍ସର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତଙ୍କ ଏଭଳି ଟିପ୍ପଣୀ ବଡ଼ ବିତର୍କ ସୃଷ୍ଟି କରିଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇଙ୍କ ସମେତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ପି.ଏସ୍.ନରସିଂହ ଓ ଜଷ୍ଟିସ୍ ଏ.ଏସ୍. ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । କୌଣସି ବିଲ୍‌ରେ ଅସହମତି ପ୍ରକାଶ ପାଇଲେ, ରାଜ୍ୟପାଳଙ୍କ ପାଖରେ ବିବେକ ପ୍ରୟୋଗ କରିବାର ବିକଳ୍ପ ଅଛି କି ନାହିଁ, ସେନେଇ ଅନୁସନ୍ଧାନ କରିଥିଲେ କୋର୍ଟ । ସଲିସିଟର ଜେନେରାଲ ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଜ୍ୟପାଳ ମାନେ ସକ୍ରିୟ ରାଜନୀତି ଓ ଦଳୀୟ ଚିନ୍ତାଧାରାଠାରୁ ଦୂରରେ ରହି ସରକାରଙ୍କୁ ସହଯୋଗ କରିବା ଉଚିତ୍ ।