ବାୟୁସେନାରୁ ବିଦାୟ ନେଲା ପୁରୁଖା ଯୋଦ୍ଧା : ପାକିସ୍ତାନକୁ କନ୍ଦାଇ ଲେଖିଛି ଇତିହାସ, ଅଭିନନ୍ଦନଙ୍କୁ ପିଠିରେ ବସାଇ ଆତଙ୍କୀଙ୍କୁ ଦେଇଥିଲା ଜବାବ

ଏହା ୧୯୬୫, ୧୯୭୧, ୧୯୯୯ ଯୁଦ୍ଧ ଏବଂ ୨୦୧୯ ବାଲାକୋଟ ବିମାନ ଆକ୍ରମଣରେ କାର୍ଯ୍ୟ କରିଥିଲା । କିନ୍ତୁ,  ଅନେକ ଇତିହାସ ରଚିବା ପରେ ଏବେ ବାୟୁସେନାରୁ ବିଦାୟ ନେଇଛି ପୁରୁଖା ଯୋଦ୍ଧା ମିଗ୍-୨୧ ।

57

କନକ ବ୍ୟୁରୋ : ମିଗ୍-୨୧... ଭାରତୀୟ ବାୟୁସେନାର ପୁରୁଖା ଲଢ଼ୁଆ ବିମାନ । ଦିନ ଥିଲା ଆକାଶର ଛାତି ଚିରି, ସୁ ସୁ ଗର୍ଜର କରି ଶତ୍ରୁ ଛାତିରେ ଛନକା ପୁରାଉଥିଲା । ଯେତେବେଳେ ଏହି ଲଢ଼ୁଆ ବିମାନ ଶତ୍ରୁ ମୁଣ୍ଡ ଉପରେ ଉଡ଼ୁଥିଲା, ସେତେବେଳେ ଶତ୍ରୁ ନିଜ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଥିଲା... କିନ୍ତୁ ଏହି ଲଢ଼ୁଆ ବିମାନର ଯୁଦ୍ଧ ଦକ୍ଷତା ଏପରି ଥିଲା ଯେ, ମାଟିତଳେ ଲୁଚିଥିବା ଶତ୍ରୁକୁ ବି ଖୋଜି ନିପାତ କରୁଥିଲା । ଆକାଶ ମାର୍ଗରେ ତ ଏହି ଲଢୁଆ ବିମାନ ସିଂହ ପରି ଶତ୍ରୁ ଉପରେ ଆକ୍ରମଣ କରୁଥିଲା । ବାଲାକୋଟ୍ ଆକ୍ରମଣ କଥା ତ ମନେଥିବ ନିଶ୍ଚୟ । ଅଭିନନ୍ଦନଙ୍କୁ କେମିତି ପିଠିରେ ବସାଇ ପାକିସ୍ତାନର ଲଢ଼ୁଆ ବିମାନ ଏଫ୍-୧୬କୁ ଚୁଟକିରେ ଧରାସାଇ କରିଦେଇଥିଲା । କେବଳ ଏତିକି ନୁହେଁ ଏହା ୧୯୬୫, ୧୯୭୧, ୧୯୯୯ ଯୁଦ୍ଧ ଏବଂ ୨୦୧୯ ବାଲାକୋଟ ବିମାନ ଆକ୍ରମଣରେ କାର୍ଯ୍ୟ କରିଥିଲା । କିନ୍ତୁ,  ଅନେକ ଇତିହାସ ରଚିବା ପରେ ଏବେ ବାୟୁସେନାରୁ ବିଦାୟ ନେଇଛି ପୁରୁଖା ଯୋଦ୍ଧା ମିଗ୍-୨୧ । 

ଭାରତୀୟ ବାୟୁସେନାର ପ୍ରଥମ ସୁପରସୋନିକ୍ ଜେଟ୍ MiG-21
୧୯୬୩ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ମିଗ୍-୨୧ । ଏହା ଭାରତର ପ୍ରଥମ ସୁପରସୋନିକ୍ ଜେଟ୍ ଥିଲା । ଏହା ଭାରତୀୟ ବାୟୁସେନାର ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଥିଲା । ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରୁ ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ଏବଂ ୧୯୯୯ କାର୍ଗିଲ୍ ଯୁଦ୍ଧ ପର୍ଯ୍ୟନ୍ତ, MiG-21 ଭାରତୀୟ ବାୟୁସେନା ପାଇଁ ଏକ ମାଇଲଖୁଣ୍ଟ ପ୍ରମାଣିତ ହୋଇଥିଲା । ଏହା ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହାପରେ ମିଗ୍-୨୧ ଶେଷ ଥର ପାଇଁ ୨୦୨୫ ମସିହାରେ ପାକିସ୍ତାନରେ ଅପରେସନ୍ ସିନ୍ଦୂରରେ ବି ସାମିଲ ହୋଇଥିଲା 

ଏହାକୁ କାହିଁକି ଫ୍ଲାଇଙ୍ଗ କଫିନ୍ କୁହାଯାଉଥିଲା?
ମିଗ୍-୨୧କୁ ଫ୍ଲାଇଙ୍ଗ କଫିନ୍ ମଧ୍ୟ କୁହାଯାଏ । ଏହାର ମୁଖ୍ୟ କାରଣ ଥିଲା ଏହାର ବାରମ୍ବାର ଦୁର୍ଘଟଣା । ଗତ ୬୦ ବର୍ଷ ମଧ୍ୟରେ ଅନେକ ମିଗ୍-୨୧ର ଦୁର୍ଘଟଣା ଅନେକ ପାଇଲଟଙ୍କ ଜୀବନ ନେଇଛି ।  

ସ୍କ୍ୱାର୍ଡନ ସଂଖ୍ୟା ହ୍ରାସ ପାଇବ
MiG-21 ର ଅବସର ପରେ, ଭାରତୀୟ ବାୟୁସେନା ପାଖରେ ଏବେ କେବଳ ୨୯ ସ୍କ୍ୱାର୍ଡନ ରହିବ । ଏହି ସଂଖ୍ୟା ୧୯୬୫ ଯୁଦ୍ଧ ଅପେକ୍ଷା ଆହୁରି କମ୍ । MiG-21 ର ଅବସର ପରେ, ଏହାକୁ ସ୍ୱଦେଶୀ ତେଜସ ମାର୍କ-1A ଲଢ଼ୁଆ ବିମାନ ଦ୍ୱାରା ଅପଡେଟ୍ କରାଯିବ । ଏହି ଲଢ଼ୁଆ ବିମାନଗୁଡ଼ିକରେ GE-404 ଇଞ୍ଜିନ ଲଗାଯାଉଛି । MiG-21 କେବଳ ଏକ ବିମାନ ନୁହେଁ ବରଂ ଭାରତ-ରୁଷ ମଧ୍ୟରେ ଦୃଢ଼ ସମ୍ପର୍କ ଏବଂ ଭାରତୀୟ ବୀରତ୍ୱର ପ୍ରମାଣ ।

ତେବେ ଏହି ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରୁ ଅବସର ନେଇଛି ସତ, କିନ୍ତୁ ଏହାର ଇତିହାସ ସବୁବେଳେ ମନେରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe