କନକ ବ୍ୟୁରୋ : ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିରେ ୨ୟ ପର୍ଯ୍ୟାୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ହୋଇଛି ଅଯୋଧ୍ୟା ନଗରୀ । ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ୨୧ ଟି ନଦୀର ପବିତ୍ର ଜଳରେ ଶ୍ରୀରାମଙ୍କୁ କରାଯାଇଛି ଅଭିଷେକ । ରାମମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକର ଅଭିଷେକ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଦରବାରରେ ପ୍ରତିମୂର୍ତ୍ତିରୁ ଆବରଣ ହଟାଇବେ ଏବଂ ନେତ୍ର ମିଳନ ପ୍ରକ୍ରିୟା ସମାପ୍ତ କରିବେ । ମନ୍ଦିରର ମୂର୍ତ୍ତିଗୁଡିକ ୪୦ ବର୍ଷ ପୁରୁଣା ମାର୍ବଲ ପଥରରେ ନିର୍ମିତ । ସିଂହାସନ ସମେତ ରାମ ଦରବାର ମୂର୍ତ୍ତିର ମୋଟ ଉଚ୍ଚତା ସାତ ଫୁଟ ରହିଛି । ଏହାକୁ ତିଆରି କରିବାକୁ ୭ରୁ ୮ ମାସ ସମୟ ଲାଗିଥିବା ନେଇ ମୂର୍ତ୍ତି କଳାକାର କହିଛନ୍ତି ।
ଅନ୍ୟପଟେ ୨ୟ ପ୍ରାଣ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ପୁଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ମନ୍ଦିର ଚାରିପାଖରେ ଆତଙ୍କବାଦ ନିରୋଧ ସ୍କ୍ୱାର୍ଡ କମାଣ୍ଡୋ ସକ୍ରିୟ ରହିବା ସହ ଅଞ୍ଚଳକୁ ରେଡ୍ ଆଲର୍ଟରେ ରଖାଯାଇଛି । ସର୍ଭେଲାନ୍ସ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏ ଅବସରରେ ପ୍ରଭୁଙ୍କ ଦିବ୍ୟଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।