କନକ ବ୍ୟୁରୋ: ସମାଜରେ ଦିନକୁ ଦିନ ସମ୍ପତ୍ତିର ଲୋଭ କିଛି ପୁଅ ବୋହୂଙ୍କ ଭିତରେ ଏତେ ମାତ୍ରରେ ବଢି ଯାଇଛି ଯେ ଜନ୍ମ କଲା ବାପା ମାଙ୍କୁ ପରିଣତ ବୟସରେ ମଧ୍ୟ ସେମାନଙ୍କର ଦେଖାଶୁଣା କରୁ ନାହାନ୍ତି । ଯେଉଁ ବାପା ମା’ ନିଜ ଛୁଆର ଜନ୍ମଠୁ ନେଇ ପାଠ ପଢାଇ ବଡ ମଣିଷ କରିବା ଯାଏ ସବୁ ଦାୟିତ୍ୱ ନିଜ କାନ୍ଧରେ ବୋହିଥାଏ, ନିଜେ ଖାଲି ପେଟ ରହି ତା ପିଲାର ପେଟକୁ ଖାଦ୍ୟ ଦେଇଥାଏ କିନ୍ତୁ ସେଇ ପିଲା ବଡ ହୋଇ ରୋଜଗାରକ୍ଷମ ହେଲା ପରେ ନିଜ ବାପା ମାଙ୍କୁ ଖୁସିରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଇ ପାରେନା ।
ଏଇ ଭଳି କିଛି ଘଟଣା ଘଟିଛି ରାଜସ୍ଥାନର ନାଗୋର ଜିଲ୍ଲାରେ । ସ୍ଥାନୀୟ ବାସିନ୍ଦା ହଜାରିରାମ ଓ ତାଙ୍କ ପତ୍ନୀ ଚାୱ୍ୱଲୀ ଦେବୀଙ୍କ ପୁଅ ବୋହୂ ଓ ସମ୍ପର୍କୀୟ ଜମି ବାଡି ବିବାଦକୁ ନେଇ ନିର୍ଯାତନା ଦେଉଥିବାର ଏକ ଚିଠିରେ ଲେଖି ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ପୋଲିସର ସୂଚନା ମୁତାବକ ବୃଦ୍ଧା ଦମ୍ପତ୍ତିଙ୍କ ମୃତଦେହ ପାଣି ଟାଙ୍କିରୁ ମିଳିଛି । ସେଠାରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଛି । ଘଟଣା ସ୍ଥାନରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି ।