କନକ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟ, ଶାନ୍ତ ବାତାବରଣ ଏବଂ ଶାନ୍ତିପ୍ରିୟ ଦେଶ ଭାବେ ଜଣାଶୁଣା ସୁଇଜରଲାଣ୍ଡରୁ ଆସିଛି ଚାଞ୍ଚଲ୍ୟକର ଓ ହୃଦୟ ବିଦାରକ ଖବର । ଏଠାରେ ପୂର୍ବତନ ମିସ୍‌‌ ସୁଇଜରଲାଣ୍ଡ ଫାଇନାଲିଷ୍ଟଙ୍କ ସହ ଘଟିଛି ଭୟଙ୍କର ଓ ଲୋମହର୍ଷଣକାରୀ ଘଟଣା । ପତ୍ନୀଙ୍କୁ ବିଭତ୍ସ ହତ୍ୟା ପରେ ଖଣ୍ଡ ଖଣ୍ଡ କାଟି ଗ୍ରାଇଣ୍ଡରରେ ପେଷ୍ଟ କରିଥିଲା ହତ୍ୟାକାରୀ । 

ଏହି କଥା ସ୍ୱିକାର କରିଛି ମଡେଲ କ୍ରିଷ୍ଟିନାଙ୍କ ସ୍ୱାମୀ ଥୋମାସ । ମିସ୍‌‌ ସୁଇଜରଲାଣ୍ଡ ଫାଇନାଲିଷ୍ଟଙ୍କୁ ଅତ୍ୟନ୍ତ ଭୟଙ୍କର ଭାବେ ହତ୍ୟା କରିଛନ୍ତି ଖୋଦ ତାଙ୍କ ସ୍ୱାମୀ । ଏହି ଖବର କେବଳ ସୁଇଜରଲାଣ୍ଡରେ ନୁହେଁ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ କ୍ରିଷ୍ଟିନା ଜୋକିସ୍ମୋଭିଚ୍‌‌ଙ୍କ ମୃତଦେହ ଗତ ଫେବୃଆରୀ ମାସରେ ତାଙ୍କ ଘରୁ ମିଳିଥିଲା । କ୍ଷତବିକ୍ଷତ ଅବସ୍ଥାରେ ତାଙ୍କ ମୃତଦେହ ଠାବ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାର ତଦନ୍ତ କରିବା ପରେ ପୁଲିସ ବର୍ତ୍ତମାନ କୋର୍ଟରେ ସାଂଘାତିକ ତଥ୍ୟ ରଖିଛି ।

ସୁଇସ୍‌‌ ପୁଲିସର ସୂଚନା ଅନୁସାରେ କ୍ରିଷ୍ଟିନାଙ୍କ ସ୍ୱାମୀ ଥୋମସ୍‌‌ ପୁଲିସ ନିକଟରେ ସବୁ ସତ୍ୟ ସ୍ୱୀକାର କରିଛନ୍ତି । ପ୍ରଥମେ ସେ କହିଥିଲେ ଯେ ତାଙ୍କ ପତ୍ନୀଙ୍କୁ ଘରେ ମୃତ ଅବସ୍ଥାରେ ଦେଖି ଭୟଭୀତ ହୋଇଯାଇଥିଲେ । ଏହାପରେ ମୃତଦେହକୁ ବାହାରେ ଫିଙ୍ଗିବାକୁ ଯୋଜନା କରିଥିଲେ । ଦ୍ୱିତୀୟରେ ଥୋମାସ୍‌‌ କହିଥିଲେ ଯେ କ୍ରିଷ୍ଟିନା ପ୍ରଥମେ ତାଙ୍କୁ ଛୁରାମାଡ କରିଥିଲେ, ଯାହା ପରେ ସେ ନିଜର ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଥୋମାସ୍‌‌ ପ୍ରଥମେ କ୍ରିଷ୍ଟିନାଙ୍କ ଗଳାକାଟି ହତ୍ୟା କରିଥିଲେ । ଏହାପରେ ପ୍ରମାଣ ନଷ୍ଟ କରିବାକୁ ସେ ମୃତଦେହକୁ ଆରିପାତରେ ଖଣ୍ଡ ଖଣ୍ଡ କାଟି ଗ୍ରାଇଣ୍ଡରରେ ପେଷ୍ଟ କରିଥିଲେ । ମୃତଦେହକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ସେ ପ୍ରୟାସ କରିଥିଲେ ।