କନକ ବ୍ୟୁରୋ: ଜୁନ୍ ୧୨ ତାରିଖରେ ଅହମଦାବାଦ-ଲଣ୍ଡନ ଏଆଇ-୧୭୧ ଡ୍ରିମ୍ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲକୁ ‘ମେ-ଡେ’ କଲ୍ (ବିପଦ ସଂକେତ) ମିଳିବାର ୧୩ ସେକେଣ୍ଡ ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ଗୁଡ଼ିକ ‘କଟ୍ଅଫ୍’ (ଇନ୍ଧନ ବନ୍ଦ)ରୁ ‘ରନ୍’ (ଇନ୍ଧନ ପ୍ରବାହିତ)କୁ ପରିବର୍ତ୍ତନ କରାଯାଇଥିଲା । ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ଉଭୟ ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍କୁ ଗୋଟିଏ ପରେ ଗୋଟିଏ ‘ରନ୍’ରୁ ‘କଟ୍ଅଫ୍’କୁ ପରିବର୍ତ୍ତନ କରାଯାଇଥିଲା ।
ଏହା ପରେ ଜଣେ ପାଇଲଟ୍ ପଚାରିଲେ, ଆପଣ କାହିଁକି ଇନ୍ଧନ କାଟିଦେଲେ? ଉତ୍ତରରେ ଅନ୍ୟ ଜଣକ କହିଲେ, ମୁଁ ତାହା କରିନାହିଁ । ଇନ୍ଧନ ନିୟନ୍ତ୍ରଣ ସୁଇଚ୍ଗୁଡିକ ଆକସ୍ମିକ ଭାବରେ ପରିବର୍ତ୍ତନ ହେବା ପାଇଁ ଡିଜାଇନ୍ କରାଯାଇ ନାହିଁ । ତେଣୁ କିଏ ଇନ୍ଧନ ସୁଇଚ୍ ବନ୍ଦ କଲା ତାହାକୁ ନେଇ ଦ୍ବନ୍ଦ୍ବ ପ୍ରକାଶ ପାଇଛି । ଏୟାର୍କ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି) ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନର ଉଭୟ ଇଞ୍ଜିନ ଏହାପରେ ଠିକ୍ ହୋଇଯାଇଥିଲା କିନ୍ତୁ ଉଡ଼ାଣ ପାଇଁ ସକ୍ଷମ ହୋଇନଥିଲା । ସୁଇଚ୍ଗୁଡ଼ିକ ‘ରନ୍’କୁ ଫେରିବା ପରେ ମଧ୍ୟ ଶେଷରେ ସେହି ଅବସ୍ଥାରେ ସ୍ଥିର ହୋଇ ରହିପାରି ନଥିଲା । ଫଳରେ ଏହି ଦୁର୍ଘଟଣାରେ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା ।
‘ଆପଣ କାହିଁକି ଇନ୍ଧନ କାଟିଦେଲେ?’ ‘ମୁଁ ତାହା କରିନି’
ଉଭୟ ଇଞ୍ଜିନ୍ର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ ବନ୍ଦ ହୋଇଯାଇଥିଲା
ଦୁର୍ଘଟଣାର ଏକ ମାସ ପରେ ଆଜି ପ୍ରକାଶିତ ଏଏଆଇବିର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ପ୍ରଥମ ଇଞ୍ଜିନ ପୁନରୁଦ୍ଧାର ଆରମ୍ଭ କରିଥିଲା, କିନ୍ତୁ ଦ୍ୱିତୀୟ ଇଞ୍ଜିନ୍ ଏହାର ଅବନତିକୁ ରୋକି ପାରି ନଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁସନ୍ଧାନକାରୀ ଶାଖା ଏଏଆଇବି ଦ୍ୱାରା ଆକ୍ସେସ୍ କରାଯାଇଥିବା ଏନ୍ହାନ୍ସଡ ଏୟାର୍ବର୍ଣ୍ଣ ଫ୍ଲାଇଟ୍ ରେକର୍ଡର (ଇଏଏଫ୍ଆର୍)ର ରେକର୍ଡିଂ ଅନୁଯାୟୀ, ପ୍ରଥମ ଇଞ୍ଜିନର ଇନ୍ଧନ କଟ୍ଅଫ୍ ସୁଇଚ୍ ‘କଟ୍ଅଫ୍’ରୁ ‘ରନ୍’କୁ ପରିବର୍ତ୍ତନ ହୋଇଥିଲା। ଏହାର ଦୁଇ ସେକେଣ୍ଡ ପରେ ସହାୟକ ପାୱାର ୟୁନିଟ୍ (ଏପିୟୁ)ର ଇନ୍ଲେଟ୍ କବାଟ ଉଡ଼ାଣ ସମୟରେ ଖୋଲିବା ଆରମ୍ଭ କରିଥିଲା, ଯାହା ବାୟୁ ପ୍ରବାହ ଦ୍ବାରା ବାଧା ସୃଷ୍ଟି କରିଥାଇପାରେ ବୋଲି କେତେକ ବିଶେଷଜ୍ଞ କହିଛନ୍ତି। ଦୁଇ ସେକେଣ୍ଡ ପରେ ଦ୍ବିତୀୟ ଇଞ୍ଜିନର ଇନ୍ଧନ ସୁଇଚ୍ ମଧ୍ୟ ‘କଟ୍ଅଫ୍’ରୁ ‘ରନ୍’କୁ ଫେରିଥିଲା। ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ ଇଞ୍ଜିନ-୧ର କୋର୍ ମନ୍ଦଗତି ବନ୍ଦ ହୋଇଥିଲା, ପୂର୍ବାବସ୍ଥାକୁ ଫେରିଥିଲା ଓ ପୁନରୁଦ୍ଧାର ଦିଗରେ ଅଗ୍ରଗତି ଆରମ୍ଭ କରିଥିଲା। କିନ୍ତୁ ଇଞ୍ଜିନ-୨ ପୁନଃ ଚଳତ୍କ୍ଷମ ହୋଇଥିଲେ ମଧ୍ୟ କୋର୍ ସ୍ପିଡ୍ ହ୍ରାସକୁ ରୋକି ପାରି ନ ଥିଲା ଏବଂ କୋର୍ ସ୍ପିଡ୍ ତ୍ବରିତ ବୃଦ୍ଧି ପାଇଁ ବାରମ୍ବାର ଇନ୍ଧନ ପୁନଃପ୍ରଚଳନ କରିଥିଲା।
ଇନ୍ଧନ ସୁଇଚ୍ ବନ୍ଦ ନେଇ କ’ଣ କହିଲା ଏୟାର୍ ଇଣ୍ଡିଆ ?
ଏଆଇ-୧୭୧ ଦୁର୍ଘଟଣାର ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ଏୟାର୍ ଇଣ୍ଡିଆ ଶନିବାର କହିଛି ଯେ ତଦନ୍ତ ଏବେ ବି ଜାରି ରହିଥିବାରୁ ନିର୍ଦ୍ଦିଷ୍ଟ ବିବରଣୀ ଉପରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ। ନିୟାମକଙ୍କ ସମେତ ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କ ସହ ଏହା ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଆମେ ଏଏଆଇବି ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଜାରି ରଖିଛୁ। ଏହି ଦୁଃଖଦ ଘଟଣାରେ କ୍ଷତିଗ୍ରସ୍ତଙ୍କ ପ୍ରତି ଏୟାର୍ଲାଇନ୍ସ ନିରନ୍ତର ଦୁଃଖ ଓ ସମବେଦନା ପ୍ରକାଶ କରିଛି। ଏଏଆଇବି ରିପୋର୍ଟରେ ବୋଇଂ ୭୮୭-୮ ବିମାନର ଅପରେଟର୍ମାନଙ୍କ ପାଇଁ ତୁରନ୍ତ କୌଣସି ନିରାପତ୍ତା ପଦକ୍ଷେପ ନେବାକୁ ସୁପାରିସ କରାଯାଇ ନାହିଁ, କିନ୍ତୁ ଉଡ଼ାଣ କାଳରେ ଇନ୍ଧନ ନିୟନ୍ତ୍ରଣର ହେରଫେରକୁ ଏକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଭାବରେ ଦର୍ଶାଯାଇଛି। ତେବେ କେଉଁ କାରଣରୁ ଏହି ଘଟଣା ଘଟିଛି ତାହା ଜଣାପଡ଼ି ନ ଥିବା ବେଳେ ତଦନ୍ତ ଜାରି ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/13/air-india-accident-2025-07-13-12-47-21.jpg)