କନକ ବ୍ୟୁରୋ: ରୁଷିଆ ଠାରୁ ତେଲ କିଣିବା ଓ ଏସସିଓ ସମ୍ମିଳନୀରେ ବିଶ୍ବଶକ୍ତିଙ୍କ ନିକଟତର ଯେବେଠାରୁ ହୋଇଛି ଭାରତ, ସେବେଠାରୁ ଦୋମୁହାଁ ନୀତି ଦେଖାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଗତକାଲି ଭାରତ ଉପରେ ଆମେରିକା ଟାରିଫ୍ କୋହଳ କରିବା ଖବର ଆସିଥିବା ବେଳେ ଏବେ ପୁଣି ପଦାକୁ ପଡ଼ିଛି ଟ୍ରମ୍ପ ପ୍ରଶାସନଙ୍କ ଡବଲ୍ ଷ୍ଟାଣ୍ଡାର୍ଡ ।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୨୫ଟି ଦେଶକୁ ତାଲିକାଭୁକ୍ତ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଏହି ଦେଶଗୁଡ଼ିକ ବେଆଇନ ନିଶାଦ୍ରବ୍ୟ ଓ ଆନୁଷଙ୍ଗିକ ରାସାୟନିକ ପଦାର୍ଥର ଉତ୍ପାଦନ କରି ଆମେରିକା ଓ ଏହାର ନାଗରିକଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଏହି ତାଲିକାରେ ଆଫଗାନିସ୍ତାନ, ବାହାମା, ବର୍ମା, ଚୀନ୍, ବେଲିଜ୍, ବଲିଭିଆ, କଲମ୍ବିଆ, କୋଷ୍ଟାରିକା, ଡୋମିନିକାନ୍ ରିପବ୍ଲିକ୍, ଇକ୍ଵେଡର୍‌, ଏଲ୍ ସାଲଭାଡୋର, ଭାରତ, ଗୁଆଟେମାଲା, ହାଇତି, ହଣ୍ଡୁରାସ୍, ଜାମାଇକା, ଲାଓସ୍, ମେକ୍ସିକୋ, ନିକାରାଗୁଆ, ପାକିସ୍ତାନ, ପାନାମା, ପେରୁ ଓ ଭେନେଜୁଏଲା ରହିଛନ୍ତି । ହ୍ବାଇଟ୍ ହାଉସ୍ ସ୍ପଷ୍ଟ କରିଛି ଯେ ତାଲିକାଭୁକ୍ତ ଏହି ଦେଶଗୁଡ଼ିକ ଆମେରିକାରେ ପ୍ରବେଶ କରୁଥିବା ଅବୈଧ ଡ୍ରଗ୍ସ ପାଇଁ ପ୍ରମୁଖ ଉତ୍ସ କିମ୍ବା ଗମନାଗମନ ମାର୍ଗ ଭାବରେ କାର୍ଯ୍ୟ କରୁଛି । ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନ, ବଲିଭିଆ, ବର୍ମା, କଲମ୍ବିଆ ଓ ଭେନେଜୁଏଲା ଭଳି ପାଞ୍ଚଟି ଦେଶ ନିଶାଦ୍ରବ୍ୟ ଉତ୍ପାଦନ ଓ ଚୋରା ଚାଲାଣକୁ ରୋକିବା ପାଇଁ ପ୍ରୟାସ କରିବାରେ ବିଫଳ ହୋଇଛନ୍ତି ।

ଆମେରିକାର ବୈଦେଶିକ ବିଭାଗ ଦର୍ଶାଇଛି ଯେ ଭୌଗୋଳିକ ଓ ଅର୍ଥନୈତିକ ଅବସ୍ଥା ଔଷଧ ଉତ୍ପାଦନ କିମ୍ବା ପରିବହନକୁ ସମ୍ଭବ କରିଥାଏ ଏବଂ ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବା ସରକାରଙ୍କ ସହଯୋଗର ଅଭାବକୁ ପ୍ରତିନିଧିତ୍ବ କରେ ନାହିଁ । ଟ୍ରମ୍ପ ଚୀନ୍‌କୁ ଫେଣ୍ଟାନିଲ୍ ଉତ୍ପାଦନରେ ବ୍ୟବହୃତ ରାସାୟନିକ ପଦାର୍ଥର ସର୍ବବୃହତ୍ ଉତ୍ସ ବୋଲି କହି ସମାଲୋଚନା ମଧ୍ୟ କରିଛନ୍ତି । ବଡ଼ କଥା ହେଲା ଗତ ଗୁରୁବାର ଦିନ ଭାରତକୁ ଭଲ ବନ୍ଧୁ କହିବା ସହ ଟାରିଫ୍ କମାଇବାକୁ ଚିନ୍ତା କରୁଥିବା କହୁଥିବା ଆମେରିକା ପୁଣି ଭାରତକୁ ଭଗାରୀ ବୋଲି ପରୋକ୍ଷରେ କହିଛି ।