କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି କେମିତି ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧସ୍ଥିତିରେ ସେ ହସ୍ତକ୍ଷେପ କଲେ । ଖାଲି ଏତିକି ନୁହେଁ ବରଂ ସେହି ସମୟରେ ୫ଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ବି ସେ ଦାବି କରିଛନ୍ତି । ହ୍ୱାଇଟ୍ ହାଉସରେ ରିପବ୍ଲିକାନ୍ ସାଂସଦମାନଙ୍କ ସହ ଏକ ରାତ୍ରୀଭୋଜନରେ ସେ ଏହା କହିଛନ୍ତି ।
ଟ୍ରମ୍ପଙ୍କ କହିବା ଅନୁଯାୟୀ, ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ପରସ୍ପର ଉପରେ ଆକ୍ରମଣ କରୁଥିଲେ ଏବଂ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଥିଲା । ସେ ଦାବି କରିଛନ୍ତି, ବିମାନଗୁଡ଼ିକୁ ଆକାଶରୁ ଗୁଳି କରି ଖସାଇ ଦିଆଯାଉଥିଲା । ତେବେ ଖସିଥିବା ଏହି ବିମାନଗୁଡ଼ିକ କେଉଁ ଦେଶର ଥିଲା, ସେ ବିଷୟରେ ଟ୍ରମ୍ପ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।
ଟ୍ରମ୍ପ ବାରମ୍ବାର ଏହି ଦାବି କରିଆସୁଛନ୍ତି ଯେ ତାଙ୍କ ପ୍ରଶାସନ ବାଣିଜ୍ୟିକ ଆଲୋଚନା ମାଧ୍ୟମରେ ଏହି ସଂଘର୍ଷକୁ ସମାଧାନ କରିଥିଲା । ଖାଲି ଏତିକି ନୁହେଁ ଟ୍ରମ୍ପ ଏହା ବି କହିଛନ୍ତି ଯେ, ଆମେରିକା ସ୍ପଷ୍ଟ ଭାବରେ କହିଥିଲା ଯେଉଁମାନେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଯାଉଛନ୍ତି ସେମାନଙ୍କ ସହ ଆମେ କୌଣସି ବାଣିଜ୍ୟିକ ଚୁକ୍ତି କରିବୁ ନାହିଁ । ଏହାପରେ ଯୁଦ୍ଧ ଥମିଥିବା ସେ କହିଛନ୍ତି ।
ଏପଟେ, ଭାରତ ସରକାର ଟ୍ରମ୍ପଙ୍କ ଏହି ମଧ୍ୟସ୍ଥତା ଦାବିକୁ ବାରମ୍ବାର ଖଣ୍ଡନ କରିଆସିଛନ୍ତି । ନୂଆଦିଲ୍ଲୀର ସ୍ପଷ୍ଟ ମତ ହେଉଛି ଯେ ଆମେରିକାର କୌଣସି ଭୂମିକା ନଥିଲା ଏବଂ ଦୁଇ ଦେଶର ସେନାର ଡିଜିଏମଓସ୍ତରରେ ସିଧାସଳଖ ଆଲୋଚନା ପରେ ହିଁ ମେ ୧୦ ତାରିଖରେ ଯୁଦ୍ଧବିରାମ ଘୋଷଣା କରାଯାଇଥିଲା ।
ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ଅଶାନ୍ତିର ମୂଳ କାରଣ ହେଉଛି କାଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ । ଗୁଇନ୍ଦା ସୂଚନା ଅନୁସାରେ, ପାକିସ୍ତାନ ହିଁ ଏହି ଘଟଣା ପାଇଁ ଦାୟୀ ବୋଲି ସ୍ପଷ୍ଟ ଜଣାପଡ଼ିଥିଲା । ପରେ ପରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଥିଲା ଏବଂ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଦେଇଥିଲା । ହେଲେ ଏଥିରେ ରାଜନୈତିକ ରୁଟି ସେକିଥିଲେ ଟ୍ରମ୍ପ । କିନ୍ତୁ ଭାରତ ସ୍ପଷ୍ଟ ଭାବରେ ଖଣ୍ଡନ କରିଥିଲା କି ଏହା ଆଦୌ ସତ ନୁହେଁ। ସେପଟେ ଟ୍ରମ୍ପ ବୟାନ ପରେ ବିରୋଧୀ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ ସତ ହେଲେ ସେଥିରେ କୌଣସି ଲାଭ ମିଳିନଥିବା ଚର୍ଚ୍ଚା ହେଉଛି ।