କନକ ବ୍ୟୁରୋ: ମୌସୁମୀ ଅଧିବେଶର ପ୍ରଥମ ଦିନରେ ହିଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ହଠାତ୍‌ ସେ ଇସ୍ତଫା ଦେବା ପରେ ଏବେ ରାଜନୀତି ଜୋର ଧରିଛି । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ଧନଖଡ଼ଙ୍କ ଇସ୍ତଫା ଅନେକଙ୍କୁ ଚକିତ କରିଛି । ତେବେ ଏବେ ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାରେ ଧନଖଡ଼ ପ୍ରଥମ ବ୍ୟକ୍ତି ନୁହଁନ୍ତି, ତାଙ୍କ ପୂର୍ବରୁ ଦୁଇ ଜଣ ଉପରାଷ୍ଟ୍ରପତି ସେମାନଙ୍କ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଓହରିଛନ୍ତି । ସେମାନେ ହେଲେ ଭି ଭି ଗିରି ଏବଂ ଆର୍‌ ଭେଙ୍କଟରମଣ ।

Advertisment

୧୯୬୭ ମସିହାରେ ଭି ଭି ଗିରି ଉପରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୯ ମସିହା ଜୁଲାଇ ୨୦ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ୧୯୬୯ ମେ ମାସରେ ତତ୍କାଳୀନ ରାଷ୍ଟ୍ରପତି ଜାକିର ହୁସେନଙ୍କ ପରଲୋକ  ହୋଇଥିଲା । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପ‌ାଇଁ ଶ୍ରୀ ଗିରିଙ୍କୁ ଉପରାଷ୍ଟ୍ରପତି ପଦରୁ ଓହରିବାକୁ ପଡ଼ିଥିଲା । ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ସମର୍ଥନ କାରଣରୁ ୧୯୬୯ ଅଗଷ୍ଟ ୨୦ରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ସେହିଭଳି ରାମସ୍ୱାମୀ ଭେଙ୍କଟରମଣ ରାଷ୍ଟ୍ରପତି ହେବା ପାଇଁ ଉପରାଷ୍ଟ୍ରପତି ପଦରୁ ୧୯୮୭ ମସିହାରେ ଇସ୍ତଫା ଦେଇଥିଲେ ।

ଆଇନଜୀବୀରୁ ଉପରାଷ୍ଟ୍ରପତି

ଜଗଦୀପ ଧନଖଡ଼ ଆଜି ଦେଶର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର କିଛି ଘଣ୍ଟା ପରେ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ରାଜସ୍ଥାନର ଝୁନଝୁନୁ ଜିଲ୍ଲା ଅଧୀନ କିଥାନା ଗ୍ରାମରେ ଧନଖଡ଼ ୧୯୫୧ ମେ’ ୧୮ରେ ଜନ୍ମ ହୋଇଥିଲେ । ରାଜସ୍ଥାନ ବାର୍‌ କାଉନସିଲଠାରୁ ଓକିଲାତି ଜୀବନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା । ଶେଷରେ ସେ ଭାରତର ଉପରାଷ୍ଟ୍ରପତି ପଦ ଭଳି ବଡ଼ ସାମ୍ବିଧାନିକ ପଦରେ ବସିବାର ସୌଭାଗ୍ୟ ଲାଭ କରିଥିଲେ । ଉପରାଷ୍ଟ୍ରପତି ହେବା ପୂର୍ବରୁ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ । ଚନ୍ଦ୍ରଶେଖରଙ୍କ ସରକାରରେ ସେ କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଧନଖଡ଼ ବିଜେପି, କଂଗ୍ରେସ ଏବଂ ଜନତା ଦଳରେ ରାଜନୀତି କରିଛନ୍ତି । ସେ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିଲେ ଏବଂ ୧୯୯୩ରୁ ୧୯୯୮ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ସଦସ୍ୟ ଭାବେ ପ୍ରତିନିଧିତ୍ୱ କରିଥିଲେ ।