କନକ ବ୍ୟୁରୋ: ଏକ ଭବ୍ୟ ସମାରୋହରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡ଼ନାବୀସ। ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଶିବସେନାର ଏକନାଥ ସିନ୍ଦେ ଓ ଏନସିପିର ଅଜତ ପାୱାର ଶପଥ ଗ୍ରହଣ କରିଛନ୍ତି । ଫଡ଼ନାବୀସଙ୍କ ଶପଥ ସମାରୋହରେ ବିଜେପିର ସବୁ ବଡ଼ ଚେହେରାଙ୍କୁ ଗୋଟିଏ ମଂଚରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି । ଏହାସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଯୋଗଦେଇଛନ୍ତି।
ବିଜେପି ଶାସିତ ପ୍ରାୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଭବ୍ୟ ସମାରୋହର ସାକ୍ଷୀ ପାଲଟିଛନ୍ତି । ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ୪୦ ହଜାର ବିଜେପି କର୍ମୀ ଉପସ୍ଥିତ ରହିଥିଲେ। ଏହାସହ କିଛି ଧର୍ମଗୁରୁ ମଧ୍ୟ ସାମିଲ ହୋଇଥିଲେ। କଡ଼ା ସୁରକ୍ଷା ପାଇଁ ୩୫ ଶହ ପୁଲିସ୍ କର୍ମୀ ଓ ୫୨୦ ଅଧିକାରୀ ମୁତୟନ ରହିଥିଲେ ।
ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି ଦେବେନ୍ଦ୍ର ଫଡନାଭିସ୍ । ମହାରାଷ୍ଟ୍ରରେ ସବୁଠୁ ଅଧିକ ରାଲି କରିବା ସହ ବିଚକ୍ଷଣ ରଣନୀତି ପାଇଁ ବିଜେପିକୁ ମିଳିପାରିଛି ଏହି ସଫଳତା । କିନ୍ତୁ ନିର୍ବାଚନ ଜିତିବା ଓ ସରକାର ଚଳାଇବା ମଧ୍ୟରେ ରହିଛି ଅନେକ ତଫାତ । ମେଣ୍ଟ ସରକାର ହୋଇଥିବାରୁ ସହଯୋଗୀଙ୍କୁ ନେଇ ଚାଲିବା ଫଡନାଭିସଙ୍କ ପାଇଁ ହେବ ସବୁଠୁ ବଡ଼ ଚାଲେଞ୍ଜ । ତେବେ ଦେଖନ୍ତୁ ଫଡନାଭିସଙ୍କ ପାଇଁ କଣ ରହିବ ମୁଖ୍ୟ ଚାଲେଞ୍ଜ ?
ଫଡନାଭିସଙ୍କ ପାଇଁ ଅଗ୍ନି ପରୀକ୍ଷା
-ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବା ହେବ ବଡ଼ ଆହ୍ବାନ
-ମହାରାଷ୍ଟ୍ର ସରକାରଙ୍କ ମୁଣ୍ଡରେ ରହିଛି ୭.୮୨ ଲକ୍ଷ କୋଟି ଟଙ୍କାର ଋଣ
-ନିର୍ବାଚନ ପୂର୍ବରୁ ଅନେକ ଯୋଜନା ନେଇ ପ୍ରତିଶ୍ରୁତି ଦେଇଛି ମହାୟୁତି ମେଣ୍ଟ
-ପ୍ରତିଶ୍ରୁତି ପାଳନ ପାଇଁ ଅର୍ଥ ଯୋଗାଡ଼ କରିବା ହେବ ବଡ଼ ଚାଲେଞ୍ଜ
-ମହିଳାଙ୍କୁ ମିଳିଥିବା ରାଶି ବୃଦ୍ଧି ପାଇଁ ଘୋଷଣା କରାଯାଇଥିଲା
-ମହିଳାଙ୍କ ସହାୟତା ୧୫୦୦ରୁ ୨୧୦୦ କରିବାକୁ ପ୍ରତିଶ୍ରୁତି ମିଳିଛି
-ବୃଦ୍ଧବୃଦ୍ଧା ଓ ବିଧବାଙ୍କ ଭତ୍ତା ବୃଦ୍ଧି ମଧ୍ୟ ବଡ଼ ଚାଲେଞ୍ଜ
-କିଷାନ ନିଧି ରାଶି ୧୨ ହଜାରରୁ ୧୫ ହଜାର କରିବାକୁ ଘୋଷଣା ହୋଇଛି
-କୃଷକଙ୍କ ଋଣ ଛାଡ଼ ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ
-ବିଏମସି ନିର୍ବାଚନ ଜିତିବା ଫଡନାଭିସଙ୍କ ପାଇଁ ବଡ଼ ଆହ୍ବାନ
-ବିଏମସି ନିର୍ବାଚନ ଯାଏ ମୁଖ୍ୟମନ୍ତ୍ରୀ ରହିବାକୁ ଦାବି କରୁଥିଲେ ଏକନାଥ ସିନ୍ଦେ
-ଗୁଜରାଟ ଚାଲିଯାଉଥିବା ପ୍ରୋଜେକ୍ଟକୁ ରୋକିବା ପ୍ରାଥମିକତା ହେବ
-ଆଇନଶୃଙ୍ଖଳା, ଆର୍ଥିକ ବିକାଶ, ନିଯୁକ୍ତି ସୃଷ୍ଟି ଭଳି ପରୀକ୍ଷା ଦେବାକୁ ପଡ଼ିବ