କନକ ବ୍ୟୁରୋ: ଆତଙ୍କୀ ସେଲର ପର୍ଦ୍ଦାଫାସ, ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ର। ସେଲର ସଦସ୍ୟମାନେ ଭାରତରେ ବଡ଼ଧରଣର ଆତଙ୍କବାଦୀ ହମଲା ପାଇଁ ଯୋଜନା କରିଥିଲେ। କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦା ଦ୍ୱାରା ଅନୁପ୍ରାଣିତ ହୋଇ ଭାରତରେ ଚାଲିଥିବା ଗୋଟିଏ ଆତଙ୍କୀ ସେଲର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌। ଆତଙ୍କୀ କାରବାର ଫର୍ଦ୍ଦାଫାସ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି ପୁଲିସ। ଝାଡଖଣ୍ଡ, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ପୁଲିସର ସହଯୋଗରେ ଦିଲ୍ଲୀ ପୁଲିସକୁ ସଫଳତା ମିଳିଛି। ଭାରତ ଭିତରେ ବଡ଼ବଡ଼ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ଏହି ସେଲର ଲକ୍ଷ୍ୟ ରହିଥିଲା। ସେଲର ସଦସ୍ୟମାନଙ୍କୁ ବନ୍ଧୁକ ଚାଳନାଠାରୁ ବିଭିନ୍ନ ପ୍ରକାରର ଆତଙ୍କବାଦ କାର୍ଯ୍ୟକଳାପର ତାଲିମ ଭିନ୍ନ ଭିନ୍ନ ସ୍ଥାନରେ ଦିଆଯାଉଥିଲା। ପ୍ରଥମେ ଦିଲ୍ଲୀ ପୁଲିସକୁ ଆତଙ୍କୀ ସେଲ ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ସେଲର ଉଦ୍ଦେଶ୍ୟ ଓ ଠିକଣା ଜଣାପଡ଼ିବା ପରେ ଅପରେସନ ଆରମ୍ଭ କରାଯାଇଥିଲା। ଦିଲ୍ଲୀ ପୁଲିସ୍‌ ଖବର ପାଇବା ପରେ ଝାରଖଣ୍ଡ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ପୁଲିସ୍ ସହ ଯୋଗାଯୋଗ କରିଥିଲେ। ଅପରେସନ ବେଳେ ରାଜସ୍ଥାନର ଭିୱାଡି ଠାରୁ ୬ ଜଣ ଧରାପଡ଼ିଥିଲେ। ଏଠାରେ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବାର ତାଲିମ ଦିଆଯାଉଥିଲା। ଏହାପରେ ଝାଡଖଣ୍ଡ ଓ ଉତ୍ତର ପ୍ରଦେଶରୁ ୮ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ୍‌ ସେମାନଙ୍କ ଠିକଣାରୁ ବିଭିନ୍ନ ପ୍ରକାରର ଗୁଳିଗୋଳା ଓ ଆତଙ୍କୀ କାର୍ଯ୍ୟକଳାପ ସହ ଜଡ଼ିତ ପୁସ୍ତିକା ଜବତ କରିଛି।

Advertisment