କନକ ବ୍ୟୁରୋ: ଗତ ନଭେମ୍ବର ୧୦ ତାରିଖରେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ପ୍ରତିଦିନ ଆସୁଛ ନୂଆ ନୂଆ ଅପ୍‌ଡେଟ୍‌ ।  ସାରା ଦେଶକୁ ଦୋହଲାଇ ଦେଇଥିଲା ଏହି ଆତଙ୍କୀ ହମ୍‌ଲା । ଜାତୀୟ ତଦନ୍ତକାରୀ ଏଜେନ୍ସି ଏହି ଆତଙ୍କୀ ଆକ୍ରମଣର ତଦନ୍ତ ଜାରି ରଖିଛି । ଏବେ ଏହି ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ କାର୍‌ ବିସ୍ଫୋରଣ ପାଇଁ ମିଳିଥିବା ୪୦ ଲକ୍ଷ ଟଙ୍କାକୁ ନେଇ ଆତଙ୍କୀ ଡାକ୍ତର ଉମର୍ ଓ ମୁଜମିଲ୍ ମଧ୍ୟରେ ଝଗଡ଼ା ହୋଇଥିଲା । ଟଙ୍କା ହେରଫେର ହେଉଥିବା ନେଇ ଉମର ଅଭିଯୋଗ ଆଣିଥିଲା । ପାକିସ୍ତାନୀ ଆତଙ୍କୀ ଗୋଷ୍ଠୀ ତରଫରୁ ଏହି ଫଣ୍ଡିଂ ହୋଇଥିଲା ।  ଅଲ୍‌ପଲହା ୟୁନିଭର୍ସିଟି ନିକଟେ ଥିବା ଏକ ମସଜିଦରୁ  ଜଣେ ମୌଲବୀଙ୍କୁ ଗିରଫ କରି ଜେରା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । 

Advertisment

ଉମର ଓ ମୁଜମିଲ୍‌କୁ ମିଳିଥିବା ୪୦ ଲକ୍ଷ ଟଙ୍କାରେ ଅନେକ ପ୍ରକାରର ବିସ୍ଫୋରକ ସାମଗ୍ରୀ କିଣାଯାଇଥିଲା । ଗିରଫ ମୌଲବୀକୁ ଏକ କଠୋରପନ୍ଥୀ ଗୋଷ୍ଠୀ ଜରିଆରେ ପାକିସ୍ତାନ ଟଙ୍କା ପଠାଉଥିଲା । ମୌଲବୀ ଏହି ୪୦ ଲକ୍ଷ ଟଙ୍କା ନେଇ ଉମରକୁ ଦେଉଥିଲା । ଏହାପରେ ଉମର ଓ ମୁଜମିଲ୍‌ ମିଳିମିଶି ବିସ୍ଫୋରକ ସାମଗ୍ରୀ କିଣୁଥିଲେ । ତଦନ୍ତ ବେଳେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି । ଫରିଦାବାଦ ପୁଲିସ ଧୋଜ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ଛାନଭିନ୍‌ ଚଳାଇଥିଲା । ଏଠାରେ ଥିବା ମସଜିଦ, ଦୋକାନ, ହୋଟେଲ୍‌ ଓ ଏକାଧିକ ଘରେ ଚଢ଼ାଉ କରିଥିଲା ପୁଲିସ । ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ଅଭିଯୁକ୍ତମାନେ ପ୍ରତ୍ୟେକ ଅଲଗା ଅଲଗା ହ୍ୟାଣ୍ଡଲରକୁ ରିପୋର୍ଟ କରୁଥିଲେ । ବିସ୍ଫୋରଣ ଘଟାଇଥିବା ଡାକ୍ତର ଉମର୍‌ର ଦୁଇ ଜଣ ହ୍ୟାଣ୍ଡଲର ଥିଲେ । ଏହି ଦୁଇ ହ୍ୟାଣ୍ଡଲରଙ୍କ ଜଣେ ବରିଷ୍ଠ ଆତଙ୍କୀ ହ୍ୟାଣ୍ଡଲର ରହିଥିଲା । ଯିଏ କି ପୂରା ଗତିବିଧିର ତଦାରଖ କରୁଥିଲା ।  

ରିପୋର୍ଟ ମୁତାବକ ହ୍ୱାଇଟ୍‌ କଲାର ମଡ୍ୟୁଲ୍‌ ଭାରତରେ ବଡ଼ ବଡ଼ ସହରରେ ବିସ୍ଫୋରଣ ଘଟାଇବା ପାଇଁ ପାକିସ୍ତାନଠାରୁ ଦୂରଗାମୀ ଡ୍ରୋନ୍‌ ସଂଗ୍ରହ କରିବାକୁ ଥିଲା । ଏଭଳି ଡ୍ରୋନ୍‌ ଯାହା ୧୦ କେଜି ଓଜନ ଉଠାଇବାରେ ସକ୍ଷମ ଥିବ । ପାକିସ୍ତାନୀ ହ୍ୟାଣ୍ଡଲର ଡ୍ରୋନ୍‌ର ବିଭିନ୍ନ ପାର୍ଟକୁ ଭାରତ ପଠାଇବାକୁ ଯୋଜନା ପ୍ରସ୍ତୁତ କରିଥିଲା । ଏଥିପାଇଁ ଏକ ବିଦେଶୀ ଏକ୍ସପର୍ଟ କମ୍ପାନିକୁ ଚୟନ କରିଥିଲେ ଆତଙ୍କୀମାନେ । ପରେ ଭାରତରେ ଥିବା ଜୈଶ୍‌ର ଆତଙ୍କୀମାନେ ଆସେମ୍ବଲ କରିଥାନ୍ତେ । ଏହି ଯୋଜନାରେ ସାମାନ୍ୟ ସଫଳ ହୋଇଥିଲେ ଆତଙ୍କୀମାନେ । ଅନନ୍ତନାଗରୁ ଗିରଫ ହୋଇଥିବା ଜସିର ବିଲାଲ୍‌ ଡ୍ରୋନ୍‌ର ପାର୍ଟ ପାଇବା ପରେ ଏହାକୁ ବ୍ୟବହାର କରି ରକେଟ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲା ବୋଲି ଏନ୍‌ଆଇଏ ଜାଣିବାକୁ ପାଇଛି । 

ଗତ ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ଏକ କାର୍‌ରେ ବଡ଼ ଧରଣର ବିସ୍ଫୋରଣ କରିଥିଲେ ଆତଙ୍କୀମାନେ । ଯେଉଁଥିରେ ୧୨ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ ।