କନକ ବ୍ୟୁରୋ: ବନ୍ଦ ହେଉନି କି ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ । କିଛି ମାସର ବ୍ୟବଧାନ ପରେ ପୁଣି ବଡ଼ ଆକ୍ରମଣ କରିଛି ରୁଷ ଆଉ ଏହି ଆକ୍ରମଣ ଟାର୍ଗେଟରେ ରହିଥିଲା ରାଷ୍ଟ୍ରପତି ଜେଲେନସ୍କିଙ୍କ ସହର । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଜନ୍ମସ୍ଥାନ କ୍ରିଭି-ରିହ ଉପରେ ଆକ୍ରମଣ କରିଛି ରୁଷ ।

Advertisment

ପୁଣିଥରେ ୟୁକ୍ରେନରେ ବଡ଼ ଆକ୍ରମଣ କରିଛି ରୁଷ । ୟୁକ୍ରେନର କେନ୍ଦ୍ରୀୟ ସହର କ୍ରିଭି-ରିହର ଏକ ଆବାସିକ ଅଞ୍ଚଳରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ୯ ଶିଶୁଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଅଧିକାରୀମାନେ କହିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଆଞ୍ଚଳିକ ଗଭର୍ଣ୍ଣର କହିଛନ୍ତି ,ରାଷ୍ଟ୍ରପତି ଜେଲେନସ୍କିଙ୍କ ସହରରେ ହୋଇଥିବା ଆକ୍ରମଣରେ ଆବାସିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ଏବଂ କିଛି ଘରେ ନିଆଁ ଲାଗିଛି । ତିନି ମାସର ଶିଶୁ ସମେତ ୩୦ରୁ ଅଧିକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ , କ୍ରେମଲିନ ଯେତେଥର ୟୁକ୍ରେନ ଉପରେ ଆକ୍ରମଣ କରିଛି କ୍ରିଭି-ରିହ ଉପରେ ହୋଇଥିବା ଆକ୍ରମଣ ସବୁଠାରୁ ଭୟାବହ ଥିଲା  । କାରଣ, ରୁଷର ଏୟାରଷ୍ଟ୍ରାଇକରେ ୟୁକ୍ରେନର ଛୋଟ ଛୋଟ ଶିଶୁମାନଙ୍କ ମୃତ୍ୟୁ ଘଟିଛି । ଅତି କମରେ ୫୦ ଜଣ ଆହତ ହୋଇଥିବା ୟୁକ୍ରେନ ଜରୁରୀକାଳୀନ ସେବା ଅଧିକାରୀ କହିଛନ୍ତି  । ପିଲାମାନେ ଖେଳୁଥିବା ସ୍ଥାନକୁ ଟାର୍ଗେଟ୍‌ କରି ଆକ୍ରମଣ କରିଛି ବୋଲି ୟୁକ୍ରେନ୍‌ କହିଛି ।

ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ,ଉଦ୍ଧାର କାର୍ଯ୍ୟ ବହୁତ ବିଳମ୍ବ ପର୍ଯ୍ୟନ୍ତ ଚାଲିଥିଲା । ଆକ୍ରମଣ ପରେ ଜେଲେନସ୍କି କହିଛନ୍ତି, ପୁଟିନ୍‌ଙ୍କ ପାଇଁ କୂଟନୀତିର କୌଣସି ଅର୍ଥ ନାହିଁ । ମସ୍କୋ ଉପରେ ଅଧିକ ଚାପ ପକାଇବାକୁ ପଶ୍ଚିମଦେଶକୁ ଆହ୍ୱାନ ଦେଇଛନ୍ତି ଜେଲେନସ୍କି । ଅନ୍ୟପଟେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, କ୍ରିଭି-ରିହ ଉପରେ ଆକ୍ରମଣ ଏକ ସାମରିକ ସମାବେଶକୁ ଟାର୍ଗେଟ କରି କରାଯାଇଥିଲା କିନ୍ତୁ ଏହାକୁ ୟୁକ୍ରେନ ସେନା "ମିଥ୍ୟା ସୂଚନା" ବୋଲି  କହିଛି ।

ପ୍ରଥମ ଥର ପାଇଁ ରୁଷ ୟୁକ୍ରେନର କ୍ରିଭି-ରିହ ସହର ଉପରେ ଆକ୍ରମଣ କରିଛି । ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଡରାଇବାକୁ ଚାହୁଁଛନ୍ତି କି ପୁଟିନ? ରୁଷ ଆକ୍ରମଣର କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥତା ପାଇଁ ଚେଷ୍ଟା କରିଥିଲେ । ୨୩ରୁ ୨୫ ମାର୍ଚ୍ଚ ମଧ୍ୟରେ ସାଉଦି ଆରବର ରିୟାଦରେ ରୁଷ-ୟୁକ୍ରେନ ପ୍ରତିନିଧିଙ୍କ ସହ ଆମେରିକା ପକ୍ଷରୁ ଆଲୋଚନା ହୋଇଥିଲା । ଜେଲେନସ୍କି କହିଛନ୍ତି ଯେତେବେଳେ ପିଲାଙ୍କୁ ଟାର୍ଗେଟ କରାଯାଉଛି ସେତେବେଳେ କଥାବାର୍ତ୍ତା କେବଳ ବାହାନା ଛଡା ଆଉ କିଛି ନୁହେଁ ।