କନକ ବ୍ୟୁରୋ: ସ୍ବିଜରଲାଣ୍ଡ୍‌ର ଡାଭୋସ୍‌ଠାରେ ସୋମବାର (ଜାନୁଆରି ୧୯)ଠାରୁ ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ର ୫୬ତମ ବାର୍ଷିକ ସମ୍ମିଳନୀ ଆରମ୍ଭ ହେବ। ୫ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବା ଲାଗି ସାରା ବିଶ୍ବରୁ ରାଜନେତା, କମ୍ପାନି ସିଇଓ, ସାମାଜିକ କାର୍ଯ୍ୟକର୍ତ୍ତା, ବିଶେଷଜ୍ଞମାନେ ସ୍ବିସ୍‌ ସହରରେ ପହଞ୍ଚିବାରେ ଲାଗିଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଚଳିତବର୍ଷ ସମ୍ମିଳନୀରେ ବିଶ୍ବର ବିଭିନ୍ନ କ୍ଷେତ୍ରର ପ୍ରାୟ ୩୦୦୦ରୁ ଅଧିକ ନେତୃବୃନ୍ଦ ଯୋଗଦେବେ । ୧୭୦୦ରୁ ଅଧିକ ସିଇଓ, ନାଗରିକ ସମାଜ ସଦସ୍ୟ, ଶ୍ରମିକ ପ୍ରତିନିଧି, ଧାର୍ମିକ ଓ ସାଂସ୍କୃତିକ ସଂସ୍ଥାର ପ୍ରତିନିଧି, ଉଦ୍ୟୋଗୀ, ଶିକ୍ଷାବିତ୍‌, ବିଶେଷଜ୍ଞ ମାନେ ସାମିଲ ହେବେ। ୩୦ରୁ ଅଧିକ ବିଦେଶ ମନ୍ତ୍ରୀ, ୬୦ରୁ ଅଧିକ ଅର୍ଥମନ୍ତ୍ରୀ, କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଏବଂ ୩୦ରୁ ଅଧିକ ବାଣିଜ୍ୟ ମନ୍ତ୍ରୀ ଯୋଗଦେବେ । ଚଳିତବର୍ଷ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ‘ସ୍ପିରିଟ୍‌ ଅଫ୍‌ ଡାଇଲଗ୍‌’ ରହିଛି । ଅର୍ଥାତ୍‌ ବିଶ୍ବର ବିଭିନ୍ନ ପ୍ରସଙ୍ଗର ସମସ୍ୟା ସମାଧାନରେ ଆଲୋଚନାକୁ ଗୁରୁତ୍ବ ଦିଆଯିବ । 

Advertisment

ଅଧିକ ପଢ଼ନ୍ତୁ: ବାତିଲ ହେଲା ଟାଟା ଟ୍ରଷ୍ଟ ବୋର୍ଡ ବୈଠକ

ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ଶାସନମୁଖ୍ୟଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ଜର୍ମାନୀ ଚାନସେଲର ଫ୍ରେଡେରିକ୍‌ ମର୍ଜ, ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍ ଲିୟେନ, ଚୀନ ଉପପ୍ରଧାନମନ୍ତ୍ରୀ ହେ ଲିଫେଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌, ସ୍ବିଜରଲାଣ୍ଡ୍‌ ରାଷ୍ଟ୍ରପତି ଗାଏ ପାରମେଲିନ, ପାଲେଷ୍ଟାଇନ ରାଷ୍ଟ୍ରୀୟ ପ୍ରାଧିକରଣ ପ୍ରଧାନମନ୍ତ୍ରୀ ମହମ୍ମଦ ମୁସ୍ତାଫା, ଇସ୍ରାଏଲ ରାଷ୍ଟ୍ରପତି ଇସାକ୍‌ ହର୍ଜୋଗ୍‌, ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ ଆଦି ଯୋଗଦେବେ ।

ଅଧିକ ପଢ଼ନ୍ତୁ: ମୁଁ ଦେବି ପୁରସ୍କାର: ଟ୍ରମ୍ପ

 ଭାରତରୁ ମଧ୍ୟ ଏକ ବଡ଼ ପ୍ରତିନିଧି ମଣ୍ଡଳୀ ଏଥିରେ ଭାଗନେବେ । ୪ କେନ୍ଦ୍ରମନ୍ତ୍ରୀ ଯଥା ଅଶ୍ବିନୀ ବୈଷ୍ଣବ, ଶିବରାଜ ସିଂହ ଚୌହାନ, ପ୍ରହ୍ଲାଦ ଯୋଶୀ ଏବଂ ରାମମୋହନ ନାଇଡ଼ୁ ଏବଂ ୬ ମୁଖ୍ୟମନ୍ତ୍ରୀ ଯଥା ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ଼ନାବିସ, ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁ, ଆସାମର ହିମନ୍ତ ବିଶ୍ବଶର୍ମା, ମଧ୍ୟପ୍ରଦେଶର ମୋହନ ଯାଦବ, ତେଲେଙ୍ଗାନାର ରେବନ୍ତ ରେଡ୍ଡୀ ଏବଂ ଝାଡ଼ଖଣ୍ଡର ‌ହେମନ୍ତ ସୋରେନ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଯୋଗଦେବେ। ଭାରତରୁ ୧୦୦ରୁ ଅଧିକ ପ୍ରମୁଖ କମ୍ପାନିର ସିଇଓ ମଧ୍ୟ ଯୋଗଦେବେ। ସେମାନଙ୍କ ମଧ୍ୟରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ, ବଜାଜ ଗ୍ରୁପର ସଞ୍ଜୀବ ବଜାଜ୍‌ ପ୍ରମୁଖ ଯୋଗ‌‌ଦେବେ ।