କନକ ବ୍ୟୁରୋ: ବିଦେଶରେ ରଥଯାତ୍ରା । ଉତ୍ତର ଟେକ୍ସାସ୍‌ର ପ୍ଲାନୋ ସହରରେ ପ୍ରବାସୀ ଓଡ଼ିଆ ପାଳିଲେ ରଥଯାତ୍ରା । ପ୍ଲାନୋର ଶ୍ରୀ ରଘୁନାଥ ମନ୍ଦିରରେ ବାର୍ଷିକ ରଥଯାତ୍ରାକୁ ଉତ୍ସାହ ଓ ଆଧ୍ୟାତ୍ମିକ ଉଦ୍ଦୀପନା ସହିତ ଭବ୍ୟ ଭାବେ ପାଳନ କରିଥିଲେ । ଏହା ଡାଲାସ୍‌ ଅଞ୍ଚଳର ଜଗନ୍ନାଥ ସଂସ୍କୃତିର ବୃଦ୍ଧିରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।

Advertisment

ଏହି ରଥଯାତ୍ରାରେ ୩୬ ଫୁଟ ଉଚ୍ଚର ନିର୍ମିତ ରଥଟି ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ସଦୃଶ ଭାବେ ଦେଖିବାକୁ ମିଳିଥିଲା । ଏହି ଉତ୍ସବ ନୂତନ ପିଢ଼ିଙ୍କୁ ତାଙ୍କର ମୂଳ ସଂସ୍କୃତି ସହିତ ଯୋଡ଼ି ରଖିଛି  ଏବଂ ଅନ୍ୟ ସମ୍ପ୍ରଦାୟକୁ ମଧ୍ୟ ରଥଯାତ୍ରାର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ସହିତ ପରିଚିତ କରାଇଥିଲା ।

କାଳିଆ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କୁ ରଥ ଉପରେ ଅଣାଯାଉଥିବା ସମୟରେ ସମଗ୍ର ପରିବେଶ ଭାବମୟ ହୋଇଯାଇଥିଲା । କାଳିଆଙ୍କ ଦିବ୍ୟ ରୂପ ଦର୍ଶନ କରି ଭକ୍ତମାନେ ଭାବୁକ ହୋଇଥିଲେ । ରଥ ଟାଣିବାବେଳେ ଘଣ୍ଟ, ଶଙ୍ଖ ଓ ହୁଳହୁଳି ଶବ୍ଦରେ ବିଦେଶମାଟି ପ୍ରକମ୍ପିତ ହୋଇଥିଲା । ଯାହା ସମସ୍ତଙ୍କ ପାଇଁ ପବିତ୍ର ଅନୁଭୂତି ସୃଷ୍ଟି କରିଥିଲା ।

ରଥଯାତ୍ରା ପରେ ଭକ୍ତମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା । ଭକ୍ତମାନେ ଆଦର ଓ ଭକ୍ତି ସହିତ ମହାପ୍ରସାଦ ଗ୍ରହଣ କରିଥିଲେ । ପ୍ଲାନୋ, ଫ୍ରିସ୍କୋ, ମେକିନ୍ନି ଓ ଏହାର ଆଖପାଖ ଅଞ୍ଚଳରୁ ୨୦୦୦ରୁ ଅଧିକ ଭକ୍ତମାନେ ଏହି ଦିବ୍ୟ ଉତ୍ସବରେ ଯୋଗ ଦେଇଥିଲେ । ଯେଉଁଥିରେ ଏକତା, ଭକ୍ତି ଓ ସଂସ୍କୃତିର ଅଦ୍ଭୁତ ମିଶ୍ରଣ ଦେଖିବାକୁ ମିଳିଥିଲା । ସେବକଗଣ ଓ ଆୟୋଜକ ହରିହର ପାତ୍ରଙ୍କ ପ୍ରୟାସ ଦ୍ବାରା ରଥଯାତ୍ରା ସଫଳ ଭାବରେ ସମ୍ପନ୍ନ କରାଯାଇଥିଲା । ଆସନ୍ତା ୬ ଜୁଲାଇରେ ବାହୁଡାଯାତ୍ରା ଅନୁଷ୍ଠିତ ହେବ ।