କନକ ବ୍ୟୁରୋ: ବିଜେପି ନେତୃତ୍ବାଧୀନ ଏନ୍ଡିଏ ରବିବାର ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏହାର ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଏହାପରେ ରାଧାକ୍ରିଷ୍ଣନଙ୍କୁ ନେଇ ଚର୍ଚ୍ଚା ବଢ଼ିଛି । ଚନ୍ଦ୍ରପୁରମ୍ ପୋନୁସାମୀ ରାଧାକ୍ରିଷ୍ଣନ ୩୧ ଜୁଲାଇ ୨୦୨୪ରେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ଏହାପୂର୍ବରୁ ସେ ପ୍ରାୟ ଦେଢ଼ ବର୍ଷ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ । ଝାଡ଼ଖଣ୍ଡ ରାଜ୍ୟପାଳ ଥିବାବେଳେ ରାଷ୍ଟ୍ରପତି ତାଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଥିଲେ ।
ଚାରି ଦଶନ୍ଧି ଧରି ରାଜନୀତି ଓ ସାର୍ବଜନୀନ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ ରାଧାକ୍ରିଷ୍ଣନ ୨୦ ଅକ୍ଟୋବର ୧୯୫୭ରେ ତାମିଲନାଡୁର ତିରୁପୁରରେ ଜନ୍ମଗ୍ରହଣ କରିଥିଲେ । ବିଜନେସ୍ ଆଡମିନିଷ୍ଟ୍ରେସନରେ ସ୍ନାତକ କରିବା ପରେ ଆରଏସ୍ଏସ୍ ପ୍ରଚାରକ ଭାବେ କାର୍ଯ୍ୟ ଆରମ୍ଭ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ । ୧୯୭୪ ମସିହାରେ ତାମିଲନାଡୁରେ ସେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ହୋଇଥିଲେ । ୧୯୯୬ରେ ତାମିଲନାଡୁ ରାଜ୍ୟ ବିଜେପିର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୯୮ ଏବଂ ୧୯୯୯ରେ କୋଏମ୍ବାଟୁରରୁ ଲୋକସଭା ସାଂସଦ ଭାବେ ଦୁଇଥର ନିର୍ବାଚିତ ହୋଇଥିଲେ ।
୨୦୦୪ରେ ସେ ଜାତିସଂଘ ମହାସଭା ଏବଂ ତାଇୱାନକୁ ପ୍ରଥମ ଭାରତୀୟ ସଂସଦୀୟ ପ୍ରତିନିଧି ଦଳ ସଦସ୍ୟ ଭାବେ ଯାଇଥିଲେ । ଝାଡ଼ଖଣ୍ଡ ରାଜ୍ୟପାଳ ହେବା ପୂର୍ବରୁ ତାମିଲନାଡୁରେ ବିଜେପି ରାଜ୍ୟ ସଭାପତି ପଦରେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ରହିଥିଲେ । ନଦୀ ସଂଯୋଗୀକରଣ, ସମାନ ନାଗରିକ ସଂହିତା, ଆତଙ୍କବାଦ, ଡ୍ରପ୍ସ ଏବଂ ଅସ୍ପୃଶ୍ୟତା ଦୂରୀକରଣ ପ୍ରସଙ୍ଗରେ ସେ ୯୩ ଦିନ ଧରି ୧୯,୦୦୦ କିମି ଲମ୍ବା ରଥଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ସେ କତା ବୋର୍ଡ଼ ଅଧ୍ୟକ୍ଷ ଥିବାବେଳେ ରେକର୍ଡ ୨,୫୩୨ କୋଟି ଟଙ୍କାର ରପ୍ତାନି ହୋଇଥିଲା । ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ କେରଳ ବିଜେପି ଦାୟିତ୍ବରେ ରହିଥିଲେ । କ୍ରୀଡ଼ା କ୍ଷେତ୍ର ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । କଲେଜରେ ପଢୁଥିବାବେଳେ ସେ ଟେବୁଲ ଟେନିସ ଏବଂ ଦୌଡ଼କୁଦରେ ଚାମ୍ପିଅନ ଥିଲେ । କ୍ରିକେଟ ଏବଂ ଭଲିବଲ ଖେଳରେ ମଧ୍ୟ ଅଂଶଗ୍ରହଣ କରୁଥିଲେ ।