Photograph: (Kanak News)
କନକ ବ୍ୟୁରୋ : ଆସନ ଭାଗବଣ୍ଟାକୁ ନେଇ ବିହାର ମହାଗଠବନ୍ଧନରେ ଅଚଳାବସ୍ଥା ଲାଗିଥିବା ବେଳେ କଂଗ୍ରେସ ଜିତିବା ସମ୍ଭାବନା ଥିବା ଆସନ ପାଇବାକୁ ଦାବି କରିଛି । ଏଥିପାଇଁ ଆସନ ସଂଖ୍ୟା କମାଇବାକୁ ମଧ୍ୟ କଂଗ୍ରେସ ରାଜି ଅଛି । ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନ ମେଣ୍ଟ ଆସନ ବୁଝାମଣା ଅନୁସାରେ କଂଗ୍ରେସ ୭୦ଟି ଆସନରେ ଲଢ଼ିଥିଲା । ଏଥିରୁ ମାତ୍ର ୧୯ଟି ଜିତିଥିଲା । କଂଗ୍ରେସ ଲଢ଼ିଥିବା ୭୦ଟି ଆସନ ମଧ୍ୟରୁ ୩୫ଟି ଏପରି ଆସନ ଥିଲା ଯାହାକି କଂଗ୍ରେସ କିମ୍ବା ଆରଜେଡି ଦଶନ୍ଧି ଧରି ଜିତିପାରୁନଥିଲେ । ତେଣୁ ଏଥରକ ଅଧିକ ଆସନ ବଦଳରେ ଭଲ ଅର୍ଥାତ ଜିତିବା ସମ୍ଭାବନା ଆସନ ପାଇବାକୁ ଯୁକ୍ତି ବାଢ଼େଇଛି କଂଗ୍ରେସ । ଯାହାପାଇଁ ଆସନ ସଂଖ୍ୟା କମାଇବାକୁ କଂଗ୍ରେସ ରାଜି ହୋଇଥିବା ଚର୍ଚ୍ଚା ହେଉଛି ।
ଏଥରକ ମହାଗଠବନ୍ଧନରେ ନୂଆ ନୂଆ ଦଳ ସାମିଲ ହୋଇଛନ୍ତି । ଗତ ୨୦୨୦ ବିଧାନସଭା ନିର୍ବାଚନରେ ଏନ୍ଡିଏରେ ଥିବା ପୂର୍ବତନ ମନ୍ତ୍ରୀ ମୁକେଶ ସାହାଣୀଙ୍କ ଭିଆଇପି ଏଥରକ ମହାଗଠବନ୍ଧନରେ ସାମିଲ ହୋଇଛି । ଏହାଛଡ଼ା ହେମନ୍ତ ସୋରେନଙ୍କ ଜେଏମ୍ଏମ୍ ଓ ପଶୁପତି ପାରସ ଏଲ୍ଜେପି ମଧ୍ୟ ମହାଗଠବନ୍ଧନରେ ବିଧାନସଭା ଲଢ଼ିବେ । ମୁକେଶ ସାହାଣୀ ନିଜ ଦଳ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କରୁଛନ୍ତି ।
ଏହାଛଡ଼ା ଗତ ବିଧାନସଭା ନିର୍ବାଚନରେ ୧୯ଟି ଆସନରେ ଲଢ଼ି ୧୨ଟି ଆସନରେ ଜିତିଥିବା ସିପିଆଇଏଲ୍ଏମ୍ ମଧ୍ୟ ଅନ୍ୟ ବାମପନ୍ଥୀ ପାର୍ଟି ସିପିଆଇ ଓ ସିପିଆଇଏମ ସହ ଅଧିକ ଆସନ ପାଇଁ ଚାପ ପକାଉଛି । ଏହାକୁ ଦେଖି ନୂଆ ମେଣ୍ଟସାଥୀକୁ ଗ୍ରହଣ ପାଇଁ କଂଗ୍ରେସ କମ୍ ଆସନରେ ଲଢ଼ିବାକୁ ରାଜି ହୋଇପାରେ । ମାତ୍ର ଏହି କମ୍ ଆସନ ମଧ୍ୟରେ ଜିତିବା ଦୃଷ୍ଟିରୁ ଭଲ ହୋଇଥିବାରୁ ଦଳ ଗୁରୁତ୍ୱ ଦେଉଛି ।
Follow Us