କନକ ବ୍ୟୁରୋ : ଏଥରକ ରୋଚକ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ଖାସ କରି ଦିଲ୍ଲୀର କାଲକାଜ୍ଜୀ ଆସନରେ ଦେଖିବାକୁ ମିଳିବ ବଡ ଲଢେଇ, ମୁହାମୁହିଁ ହେବେ କଂଗ୍ରେସ ପାର୍ଥୀ ଅଲକା ଲାମ୍ବା ଓ ଆପର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । କଂଗ୍ରେସ ଆଜି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଏବଂ କାଲକାଜ୍ଜୀ ଆସନରୁ ଦଳ ଅଲକା ଲାମ୍ବାଙ୍କ ଉପରେ ଭରଷା କରିଛି ।
ଲାମ୍ବାଙ୍କୁ ଟିକେଟ ମିଳିବା ପରେ ନିର୍ବାଚନରେ କଡା ପ୍ରତିଦ୍ୱନ୍ଦତିତା ଦେଖିବାକୁ ମିଳିପାରେ । କଂଗ୍ରେସ ବର୍ତ୍ତମାନ ସୁଦ୍ଦା ୪୮ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । କଂଗ୍ରେସ ଆପ ବିରୋଧରେ ବଡ ବଡ ନେତାଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛି । ନୂଆଦିଲ୍ଲୀ ବିଧାନସଭା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ କଂଗ୍ରେସ ପୂର୍ବତନ ସାସଂଦ ସଂଦୀପ ଦୀକ୍ଷୀତଙ୍କୁ ମଇଦାନକୁ ଓହ୍ଲାଇଛି ।
ସେହିପରି ଆପର ଅନ୍ୟତମ ବରିଷ୍ଠ ନେତା ମନିଷ ସିସୋଦିଆଙ୍କ ବିପକ୍ଷରେ କଂଗ୍ରେସ ଫରହାନ ସୁରୀଙ୍କୁ ଜଙ୍ଗପୁରା ଆସନରୁ ଟିକେଟ ମିଳିଛି । ଅଲକା ଲାମ୍ବା ନିଜର ରାଜନୈତିକ ଯାତ୍ରା କଲେଜ ନିର୍ବାଚନରୁ ଆରମ୍ଭ କରିଥିଲେ । ୨୦୦୩ରେ ଲାମ୍ବା ବିଜେପିର ବଡ ଚେହେରା କୁହାଯାଉଥିବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ, ହେଲେ ଖୁରାନାଙ୍କ ବିପକ୍ଷରେ ପରାସ୍ତ ହୋଇଥିଲେ କିନ୍ତୁ ମିଡିଆରେ ଚର୍ଚ୍ଚାରେ ରହିଥିଲେ ଲାମ୍ବା ।
୨୦ବର୍ଷରୁ ଅଧିକ ସମୟ ଅଳକା ଲାମ୍ବା କଂଗ୍ରେସ ସହ ରହିଥିଲେ କିନ୍ତୁ ୨୦୧୪ ଡିସେମ୍ବର ୨୬ରେ କଂଗ୍ରେସ ଛାଡି ଆପର ସଦସ୍ୟତା ଗ୍ରହଣ କରିଥିଲେ । ୨୦୧୯ ଦଳ ଭିତରେ ମତଭେଦ ଯୋଗୁଁ ପୁନଃ କଂଗ୍ରେସକୁ ଫେରିଥିଲେ ଅଳକା ।