କନକ ବ୍ୟୁରୋ : କର୍ଣ୍ଣାଟକରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ସାମ୍ପ୍ରଦାୟିକ ହିଂସା । ଶତାଧିକ ଦୋକାନ ପୋଡ଼ି ଦେଲେ ଦଙ୍ଗାକାରୀ । ଘଟଣାକୁ ନେଇ ବିବାଦ ବଢୁଥିବା ବେଳେ ପୁଲିସ ଆଜି ୫୨ ଜଣଙ୍କୁ ଅଟକ ରଖିଛି । ଗତକାଲି ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ମାଣ୍ଡୟାରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା ।

ସୂଚନା ଅନୁସାରେ, ନାଗମଙ୍ଗଳା ଟାଉନ୍‌ ଥାନା ଅଞ୍ଚଳ ମାଣ୍ଡୟାରେ ଗତକାଲି ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ବାହାରିଥିଲା । ମୈସୁର ରୋଡରେ ଶୋଭାଯାତ୍ରା ଯିବା ସମୟରେ କିଛି ଲୋକ ପଥର ମାଡ଼ କରିଥିଲେ । ଏପରିକି ସେମାନେ ମଧ୍ୟ ଖଣ୍ଡା ବୁଲାଇ ଭୟଭୀତ କରିଥିଲେ । ଫଳରେ ଶୋଭାଯାତ୍ରାରେ ଯାଉଥିବା ଲୋକେ ଅନ୍ୟ ଗୋଷ୍ଠୀ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ସହ ପଥର ମାଡ଼ ହୋଇଥିଲା ।

ଏପରିକି ଉତ୍ତ୍ୟକ୍ତ ଲୋକେ କିଛି ଦୋକାନରେ ନିଆଁ ଲଗାଇ ଦେଇଥିଲେ ଏବଂ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ପଥରେ ମାଡ଼ରେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ । ଆଜି ଏହି ଘଟଣାରେ ପୁଲିସ ୫୨ ଜଣ ଲୋକଙ୍କୁ ଅଟକ ରଖିଛି । ସେପଟେ ଅଟକ ଥିବା ଲୋକଙ୍କ ସମ୍ପର୍କୀୟ ଥାନା ଘେରାଉ କରିଛନ୍ତି । ସେମାନେ କିଛି ଭୁଲ୍ କରିନାହାନ୍ତି, ତୁରନ୍ତ ଛାଡ଼ିବାକୁ ଦାବି କରିଛନ୍ତି ।