କନକ ବ୍ୟୁରୋ: ବଲିଉଡ ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ଅପହରଣ କାହାଣୀର ପର୍ଦ୍ଦାଫାଶ ହୋଇଛି । ଗତ ୨ ତାରିଖରେ ସୁନୀଲ ପାଲ ଅପହରଣ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ । ପୋଲିସ ଛାନଭିନ୍ ଆରମ୍ଭ କରିବାମାତ୍ରେ ତା’ପରଦିନ ହିଁ ସୁନୀଲ ଘରକୁ ଫେରିଆସିଥିଲେ ଏବଂ କେମିତି ଅପହରଣ ହେଲେ ସେନେଇ ପୂରା କାହାଣୀ କହିଛନ୍ତି କମେଡିଆନ୍ ସୁନୀଲ ପାଲ ।

Advertisment

ସୁନୀଲ ପାଲଙ୍କ କହିବା ମୁତାବକ, ଗୋଟେ ଇଭେଣ୍ଟ କରିବାକୁ ଫୋନ୍ କଲ୍ ଆସିବାରୁ ମୁଁ ରାଜି ହୋଇଯାଇଥିଲି । ଅପହରଣକାରୀ ମାନେ ଦିଲ୍ଲୀ ସୀମାନ୍ତରୁ ମୋତେ କିଡନାପ କରିନେଲେ । ପରେ ମୋତେ ୨୦ ଲକ୍ଷ ଟଙ୍କା ମାଗିଲେ, ଯଦି ନଦିଏ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଚମକ ଦେଲେ । କିନ୍ତୁ ମୋ ମୋବାଇଲରୁ ମୋ ବନ୍ଧୁ ପରିଜନଙ୍କୁ ଫୋନ୍ କରି ୭.୫ ଲକ୍ଷ ଟଙ୍କା ଯୋଗାଡ଼ କରି ମୋତେ ଛାଡ଼ିଦେଲେ । 

ଅପହରଣକାରୀଙ୍କ ମଧ୍ୟରେ ଜଣେ ଅମିତ ନାମକ ବ୍ୟକ୍ତି  ଫୋନ୍ କରି ସୁନୀଲଙ୍କୁ ହରିଦ୍ୱାରରେ ଇଭେଣ୍ଟ କରିବାକୁ କହିଥିଲେ । ଡିଲ୍ କନଫର୍ମ କରିବାକୁ ପାଇଁ ସେମାନେ ମୋ ଆକାଉଣ୍ଟକୁ କିଛି ଆଡଭାନ୍ସ ଟଙ୍କା ପଠାଇଲେ । ଡିସେମ୍ବର ୨ରେ ମୁଁ ଦିଲ୍ଲୀରେ ପହଞ୍ଚିବା ପରେ ମୋତେ ଏକ ଗାଡ଼ିରେ ବସାଇ ଟେକିନେଇଗଲେ । ଆଖିରେ କଳା କପଡ଼ା ବାନ୍ଧି ମୁହଁ ବନ୍ଦ କରିଦେଲେ । ପରେ ଏକ ଦୁଇ ମହଲା କୋଠାକୁ ନେଇ ମୋତେ ୨୦ ଲକ୍ଷ ଟଙ୍କା ମାଗିଥିଲେ ।

ଏପରିକି ଅପହରଣକାରୀଙ୍କ ପାଖରେ ମୋ ବାବଦରେ ଟିକିନିଖ ଖବର ଥିଲା, ଯେମିତି କି ମୋ ପିଲାଛୁଆଙ୍କ ସ୍କୁଲ ଏବଂ ମୋ ଘର ଠିକଣା ସବୁ କିଛି ସେମାନଙ୍କୁ ଜଣାଥିଲା ତେଣୁ ମୁଁ ଡରିଯାଇଥିଲି । ଏନେଇ ମୁଁ ଥାନାରେ ଏତଲା ଦେଇଛି । ପୋଲିସ ପୂରା ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । ଯେଉଁମାନେ ମୋ ଅପହରଣ ଘଟଣାକୁ ପବ୍ଲିସିଟି ଷ୍ଟଣ୍ଟ କହୁଛନ୍ତି ସେମାନେ ମୋ ସ୍ଥାନରେ ଥିଲେ କେମିତି ଅନୁଭବ କରିଥାନ୍ତେ ଥରେ ଭାବିବେ ନିଶ୍ଚୟ ।