stress management in syllabus Photograph: (Kanak News)
କନକ ବ୍ୟୁରୋ: ଅନେକ ସମୟରେ ଦେଖାଯାଏ ପିଲାମାନେ ପାଠପଢ଼ାକୁ ନେଇ ଚାପରେ ରୁହନ୍ତି । ଖାଲି ଚାପରେ ରୁହନ୍ତି ତାହା ନୁହେଁ ବରଂ ଆତ୍ମହତ୍ୟା ବି କରିଦିଅନ୍ତି । ହେଲେ ମାନସିକସ୍ତରରେ ଶାନ୍ତିରେ ରହିବାକୁ ଅନେକ ପରାମର୍ଶ ଦିଅନ୍ତି । କିନ୍ତୁ ଏହାପରେ ବି ଚାପମୁକ୍ତ ହୋଇପାରୁନାହାନ୍ତି ପିଲା । ଯାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲେ । ଏହାରି ଭିତରେ ଗୋଆର ବିର୍ଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସର ପିଲାନି କ୍ୟାମ୍ପସରେ ବାରମ୍ବାର ଛାତ୍ର ମୃତ୍ୟୁ ଘଟଣା ଉଦବେଗ ସୃଷ୍ଟି କରିଛି । ଏହି ଘଟଣାରେ ସ୍ଥାନୀୟ ବିଧାୟକମାନେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଚାପ ପରିଚାଳନାକୁ ଗୁରୁତ୍ୱ ଦେଇ ଏହାକୁ ଶିକ୍ଷା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି।
ମାନସିକ ସ୍ତରରେ କେମିତି ଶାନ୍ତିରେ ରହିବେ ପିଲା
ପାଠ୍ୟକ୍ରମରେ ରହିବ ମାନସିକ ଶାନ୍ତି ବିଷୟ
ସୂଚନା ଅନୁସାରେ, ୨୦ ବର୍ଷୀୟ ଛାତ୍ର କୁଶାଗ୍ର ଜୈନଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା। କଥାହେଲା, ଗତ ୮ ମାସ ମଧ୍ୟରେକ୍ୟାମ୍ପସରେ ଏହା ଚତୁର୍ଥ ଛାତ୍ର ମୃତ୍ୟୁ ଘଟଣା । ହେଲେ କ୍ୟାମ୍ପସରେ କାହିଁକି ପିଲାମାନେ ଆତ୍ମହତ୍ୟା କରୁଛନ୍ତି ସେନେଇ ପୁଲିସ୍ ତଦନ୍ତ କରୁଛି ସତ କିନ୍ତୁ ଘଟଣାର ପର୍ଦ୍ଦାଫାସ୍ ହୋଇପାରୁନାହିଁ ।
ଛାତ୍ର ମୃତ୍ୟୁ…ବିଧାୟକଙ୍କ ବଡ଼ ଦାବି
କ୍ୟାମ୍ପସରେ ବାରମ୍ବାର ଛାତ୍ରଙ୍କ ଆତ୍ମହତ୍ୟା ପରେ ପୂରା ରାଜ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଏହାରି ଭିତରେ ଗୋଆର ବିଧାୟକ ଏହି ପ୍ରସଙ୍ଗକୁ ନେଇ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନର ପାଠ୍ୟକ୍ରମରେ ଚାପ ପରିଚାଳନାକୁ ବାଧ୍ୟତାମୂଳକ ଭାବେ ସାମିଲ କରାଯିବାର ଆବଶ୍ୟକତା ରହିଛି । ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ମାନସିକ ସ୍ୱାସ୍ଥ୍ୟ ଶିକ୍ଷାକୁ ନିୟମିତ ପାଠ୍ୟକ୍ରମର ଏକ ଅଂଶ କରାଯିବା ଆବଶ୍ୟକ ।
କ୍ରମାଗତ ଛାତ୍ର ମୃତ୍ୟୁ ପରେ ବିଟସ୍ ପିଲାନି, ଗୋଆ କ୍ୟାମ୍ପସ୍ କର୍ତ୍ତୃପକ୍ଷ ଛାତ୍ରଙ୍କ ପାଇଁ ଅନେକ ପଦକ୍ଷେପ ନେଉଥିବା କହିଛନ୍ତି । ଏହି ପାଠ୍ୟକ୍ରମରେ ସଂଶୋଧନ, ଚାପଗ୍ରସ୍ତ ଛାତ୍ରଙ୍କ ପାଇଁ ପରୀକ୍ଷାରେ ନମନୀୟତା ଏବଂ ମାନସିକ ଓ ଶାରୀରିକ ସୁସ୍ଥତା ତଥା ଚାପ ପରିଚାଳନା ଉପରେ ନୂତନ ପାଠ୍ୟକ୍ରମ ଆରମ୍ଭ କରିବା ଆଦି ଅନ୍ତର୍ଭୁକ୍ତ । ଏହାସହ ଛାତ୍ରଙ୍କୁ ବ୍ୟକ୍ତିଗତ ସହାୟତା ଯୋଗାଇବା ପାଇଁ ଏକ 'ଷ୍ଟୁଡେଣ୍ଟ ୱେଲବିଙ୍ଗ ଡ୍ୟାସବୋର୍ଡ' ମଧ୍ୟ ଗଠନ କରାଯାଉଛି । ଏବେ ସମୟ କହିବ କେବେ ପିଲାଙ୍କ ଆତ୍ମହତ୍ୟା କମୁଛି ।
Follow Us