କନକ ବ୍ୟୁରୋ: ଚୀନ କେବେ ସୁଧୁରିବନି । କେମିତି ଭାରତ ଉପରେ ନଜର ରଖିବ ସେନେଇ ମାଷ୍ଟର ପ୍ଲାନ୍ କରେ । ବୋଧହୁଏ ସେଇଥି ଲାଗି ଏଲ୍ଏସିରେ ନିର୍ମାଣ କରୁଛି ରେଲୱେ ପ୍ରକଳ୍ପ । ଏହି ରେଲୱେ ପ୍ରକଳ୍ପ ହଠାତ୍ କାହିଁକି କଲା ଚୀନ୍ ତାହାକୁ ନେଇ ବି ଚର୍ଚ୍ଚା ଚାଲିଛି । କୁହାଯାଉଛି କି, ଭାରତ ଉପରେ ନଜର ରଖିବାକୁ ଚୀନ୍ ଏହି ପ୍ରକଳ୍ପ କରୁଛି । ଯାହା ଭାରତ ପାଇଁ ପରୋକ୍ଷରେ ଚେତାବନୀ ସଦୃଶ୍ୟ । ପ୍ରକଳ୍ପଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜିନଜିଆଙ୍ଗ ଏବଂ ତିବ୍ଦତକୁ ସଂଯୋଗ କରୁଥିବା ଏକ ନୂଆ ରେଳ ଲାଇନ୍, ଯାହାର କିଛି ଅଂଶ LAC ନିକଟରେ ଏବଂ ବିବାଦୀୟ ଅକ୍ସାଇ ଚୀନ୍ ଅଞ୍ଚଳ ଦେଇ ଯିବ । ଏହି ରେଳ ପ୍ରକଳ୍ପ ଭାରତର ସୁରକ୍ଷା ପାଇଁ ଏକ ଆହ୍ବାନ ସୃଷ୍ଟି କରୁଛି ।
ଏଲ୍ଏସିରେ ଚୀନ୍ ତିଆରି କରୁଛି ନୂଆ ରେଲୱେ ପ୍ରକଳ୍ପ
ଭାରତ ପାଇଁ ଟେନ୍ସନ୍ର କାରଣ
କେଉଁଠୁ କେତେ ବାଟ ତିଆରି ହେଉଛି ପ୍ରକଳ୍ପ ?
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ୫୦୦୦ କିଲୋମିଟର ଲମ୍ବର ରେଳ ପ୍ରକଳ୍ପଟି ଚୀନ୍ର ଜିନଜିଆଙ୍ଗ ପ୍ରଦେଶର ହୋଟାନକୁ ତିବ୍ଦତର ଲାସା ସହିତ ସଂଯୋଗ କରିବ। ଏହାର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଆରମ୍ଭ ହୋଇପାରେ । ୨୦୩୫ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପରେ ପ୍ରାୟ ୧୩.୨ ବିଲିୟନ ଡଲାର ଖର୍ଚ୍ଚ ହେଲାର ଲକ୍ଷ୍ୟ ରହିଛି । ଏହି ରେଳ ଲାଇନ୍ କୁନଲୁନ୍, କାରାକୋରାମ, କୈଳାଶ ଏବଂ ହିମାଳୟ ପରି ଦୁର୍ଗମ ପାର୍ବତ୍ୟ ଅଞ୍ଚଳ ଦେଇ ଯିବ ବୋଲି ଜଣାପଡ଼ିଛି ।
କାହିଁକି ଭାରତ ପାଇଁ ଟେନ୍ସନ୍ ?
ଚୀନ୍ ପ୍ରକଳ୍ପୁ କରିବା କଥା ଜଣାପଡ଼ିବା ପରେ ଭାରତ ପାଇଁ ଟେନ୍ସନ୍ର କାରଣ ପାଲଟିଲାଣି । କାରଣ ପ୍ରକଳ୍ପ ହେବା ପରେ ସୀମାରେ ଚୀନ୍ ଅଧିକ ଶକ୍ତିଶାଳୀ ହେବ ଯାହାଦ୍ବାରା ଭାରତର ସୁରକ୍ଷା ପ୍ରତି ବିପଦ ବଢ଼ିପାରେ ।
ସାମରିକ ଗତିବିଧି ବୃଦ୍ଧି
ଏଲ୍ଏସିରେ ପ୍ରକଳ୍ପ ହେବା ଦ୍ବାରା ସୀମାରେ ଚୀନ୍ ଶକ୍ତି ବଢ଼ିବ । ଅର୍ଥାତ୍ ସାମରିକ କ୍ଷେତ୍ରରେ ପଡୋଶୀ ସୁଦୃଢ ହେବ । ଏମିତିକି ଯୁଦ୍ଧ ପରିସ୍ଥିତିରେ ଚୀନ୍ ଶକ୍ତିଶାଳୀ ବି ହେବ ।
ଅକ୍ସାଇ ଚୀନ୍ ଦେଇ ନିର୍ମାଣ
ଅକ୍ସାଇ ଚୀନ୍ । ବିବାଦୀୟ ଅଞ୍ଚଳ । ଚୀନ୍ କରୁଥିବା ନୂଆ ପ୍ରକଳ୍ପ ବିବାଦୀୟ ଅଞ୍ଚଳ ଦେଇ ଯାଉଥିବାରୁ ଚିନ୍ତାରେ ଭାରତ । କାରଣ ଅକ୍ସାଇ ଅଞ୍ଚଳରୁ ଭାରତ ନିଜ ଅଞ୍ଚଳ ବୋଲି ଦାବି କରେ ।
ଏଲ୍ଏସିରେ ବଢ଼ିବ ଚୀନ୍ର ଦବଦବା
ଏଲ୍ଏସି । ଭାରତ-ଚୀନ୍ ସୀମାର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ । ଏହି ଅଞ୍ଚଳରେ ରେଲୱେ ନିର୍ମାଣ କରିବା ପରେ ଏଲ୍ଏସିରେ ଚୀନ୍ ଶକ୍ତିଶାଳୀ ହେବ । ଚୀନ୍ କେବଳ ରେଲୱେ ନିର୍ମାଣ କରୁଛି ତାହା ନୁହେଁ ବରଂ ଅନେକ କାମ ଜାରି ରଖିଛି । ଏଥିରେ G695 ଜାତୀୟ ରାଜପଥ ନିର୍ମାଣ ଅନ୍ତର୍ଭୁକ୍ତ । ଯାହା G219 ରାଜପଥଠାରୁ ମଧ୍ୟ LACର ଅଧିକ ନିକଟବର୍ତ୍ତୀ ହେବ। ଏହି ରାଜପଥ ଡେପସାଙ୍ଗ ସମତଳ, ଗଲୱାନ୍ ଉପତ୍ୟକା ଏବଂ ହଟ୍ ସ୍ପ୍ରିଙ୍ଗ୍ସ ପରି ସମ୍ବେଦନଶୀଳ ଅଞ୍ଚଳ ନିକଟ ଦେଇ ଯାଇପାରେ । ଏହା ବ୍ୟତୀତ, ଚୀନ୍ ବ୍ରହ୍ମପୁତ୍ର ନଦୀ ଉପରେ ଏକ ବିଶାଳ ଡ୍ୟାମ୍ ମଧ୍ୟ ନିର୍ମାଣ କରୁଛି, ଯାହା ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଅବସ୍ଥିତ ।
ଭାରତ ଏବେ କଣ କରିବ ?
ଚୀନ୍ ସୀମାରେ ହଲ୍ଚଲ୍ ହେବା ପରେ ଭାରତ ବି କଡ଼ା ନଜର ରଖିଛି । ଯଦିଓ ଦୁଇ ଦେଶର ସମ୍ପର୍କରେ ଅନେକ ସୁଧାର ଆସିଛି ହେଲେ ଚୀନ୍ ଉପରେ ସଂପୂର୍ଣ୍ଣ ବିଶ୍ବାସ କରିପାରୁନି ଭାରତ ।