କନକ ବ୍ୟୁରୋ: ଜାତି ଜନଗଣନା ରିପୋର୍ଟକୁ ନେଇ କର୍ଣ୍ଣାଟକ କଂଗ୍ରେସ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି । ଏହି ଜନଗଣନା ଆଧାରରେ କର୍ଣ୍ଣାଟକ ପଛୁଆବର୍ଗ ଓ ମୁସଲିମଙ୍କ ସଂଖ୍ୟା ଅଧିକ ଥିବା ଦୃଷ୍ଟିରୁ ଏମାନଙ୍କୁ ସଂରକ୍ଷଣ ପାଇଁ ସୁପାରିଶ କରାଯାଇଛି । ଯାହାକୁ ଦଳର ଏକ ବଡ ଗୋଷ୍ଠୀ ବିରୋଧ କରୁଛି ।
ଏକ ରିପୋର୍ଟ ଆଧାରରେ ରାଜ୍ୟରେ ଦୁଇ ପ୍ରଭାବଶାଲୀ ସମ୍ପ୍ରଦାୟ ଭୋକ୍କାଲିଗା ଓ ଲିଙ୍ଗାୟତଙ୍କ ସଂଖ୍ୟା କମିଛି । ଅନ୍ୟପକ୍ଷରେ ପଛୁଆ,ଦଳିତ, ମୁସଲିମାନଙ୍କ ସଂଖ୍ୟା ବଢ଼ୁଥିବାରୁ ଏମାନଙ୍କୁ ଅଧିକ ସଂରକ୍ଷଣ ଦରକାର । ଯାହାକୁ କଂଗ୍ରେସ ଉଭୟ ଭୋକ୍କାଲିଗା ଓ ଲିଙ୍ଗାୟତ ଗୋଷ୍ଠୀର ନେତା ତୀବ୍ର ବିରୋଧ କରୁଛନ୍ତି । ରିପୋର୍ଟ ଆଧାରରେ ଭୋଲକାଲିଙ୍ଗାଙ୍କୁ ୭%, ଲିଙ୍ଗାୟତଙ୍କୁ ୮ ସଂରକ୍ଷଣ ଦେବାକୁ ସୁପାରିଶ କରାଯାଇଛି । ସମୁଦାୟ ଜନସଂଖ୍ୟାରେ ୧୨.୬% ମୁସଲିମ ହୋଇଥିବାରୁ ସେହି ଅନୁପାତରେ ତାଙ୍କ ସଂରକ୍ଷଣ ବଢ଼ିବ । ଏଭଳି ହିସାବରେ ସମୁଦାୟ ସଂରକ୍ଷଣ ଭାଗ ୮୦% ବଢ଼ି ୭୩.୫% ହେବ । ଯାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦାରିତ ୫୦% ଠାରୁ ଅଧିକ ମଧ୍ୟ ହେବ ।
ଏବେ କର୍ଣ୍ଣାଟକ ଭୋକ୍କାଲିଗା ସମ୍ପ୍ରଦାୟର ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ସହ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଛନ୍ତି । ଆଗାମୀ ଦିନରେ ନେତୃତ୍ବ ପରିବତ୍ତର୍ନ ହେଲେ ପରବତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଦାବିଦାର ଅଛନ୍ତି । ଏଭଳି ସ୍ଥିତିରେ ଭୋକ୍କାଲିଗା ସମ୍ପ୍ରଦାୟର ସଂରକ୍ଷଣ କମିବା ଆଶଙ୍କାକୁ ନେଇ ପରବର୍ତ୍ତୀ ପଦକ୍ଷେପ ଖୁବ ଗୁରୁତ୍ବପୂର୍ଣ୍ଣ ହୋଇପାରେ ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜାତି ଜନଗଣନାକୁ ନେଇ ବାରମ୍ବାର ବିଜେପି ସରକାରଙ୍କୁ ସମାଲୋଚନା କରୁଛନ୍ତି । ମାତ୍ର ନିଜ ଦଳ ଶାସିତ ରାଜ୍ୟରେ ଜାତିଗତଜନଗଣନା ରିପୋର୍ଟକୁ ନେଇ ଦ୍ବନ୍ଦ, ଖାସ୍ କରି ରାଜ୍ୟ ସଭାପତି ଡିକେ ଶିବକୁମାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଶିବକୁମାର ଦଳୀୟ ହାଇକମାଣ୍ଡଙ୍କୁ ମାନିବେ ନା ନିଜ ସମ୍ପ୍ରଦାୟକୁ ସୁରକ୍ଷା ଦେବେ? ମାତ୍ର ପଛୁଆବର୍ଗକୁ ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଜାତିଗତ ଜନଗଣନା ରିପୋର୍ଟ କାର୍ଯ୍ୟକାରୀ କରିବା ସପକ୍ଷରେ ଅଛନ୍ତି ।