କନକ ବ୍ୟୁରୋ : ପାକିସ୍ତାନ । ଆତଙ୍କୀର ଅନ୍ୟ ନାମ । ପ୍ରତି ମୁହୂର୍ତ୍ତରେ ଭାରତରେ କେମିତି ଅଶାନ୍ତି ସୃଷ୍ଟି ହେବ ସେନେଇ ଚିନ୍ତା କରେ । ଖାଲି ଚିନ୍ତା କରେ ତାହା ନୁହେଁ ବରଂ କାମରେ କରିକି ଦେଖାଏ । ଥରେ କି ଅଧେ ନୁହେଁ ବରଂ ବାରମ୍ବାର ଏମିତି କରିବା ପରେ ଭାରତ ମଧ୍ୟ କଡା ଜବାବ ଦିଏ । ଏଇ ଯେମିତି ସଜସଜ ପହଲଗାମ୍‌ ଆକ୍ରମଣ ପରେ ଭୟାନକ ଆକ୍ରମଣ କରିଥିଲା ଭାରତ । ପାକିସ୍ତାନ ଛାତିରେ ଗୁଳି ଏମିତି ବର୍ଷା କଲା ଯେ ଆମେରିକା ଶରଣରେ ପଶିଲା ଶତ୍ରୁରାଷ୍ଟ୍ର । ଖାଲି ଏତିକି ନୁହେଁ ବରଂ ଭାରତର ଗୋଡ଼ ଧରିବା ସ୍ଥିତି ବି ହେଲା । ଆଉ ପାଖାପାଖି ୨ ମାସ ପରେ ପୁଣି ଥରେ ଭାରତକୁ ଚୋରା ଡ୍ରୋନ୍‌ ପଠାଉଥିବା ବେଳେ ଭାରତ ଖସାଇ ଦେଲା ଡ୍ରୋନ୍‌ । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।    

Advertisment

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ପଞ୍ଜାବର ଅମୃତସର ସୀମାରେ ବିଏସଏଫର ଯବାନମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଗତକାଲି ରାତିରେ ଏକାଧିକ ଘଟଣାରେ ବିଏସଏଫ୍ ଯବାନମାନେ ୬ଟି ପାକିସ୍ତାନୀ ନାର୍କୋ-ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପ୍ରାୟ ୨.୩୪ କିଲୋଗ୍ରାମ୍‌ ଓଜନର ୪ଟି ହେରୋଇନ୍ ପ୍ୟାକେଟ୍ ମଧ୍ୟ ଜବତ କରାଯାଇଛି । ଏହି ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । 

ବିଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଗତକାଲି ରାତିରେ ଅମୃତସର ସୀମାରେ ପାକିସ୍ତାନ ପଟୁ ଏକାଧିକ ଡ୍ରୋନ୍ ଅନୁପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ସୀମାରେ ପହରା ଦେଉଥିବା ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସୀମାରେ ଲଗାଯାଇଥିବା ବୈଷୟିକ ପ୍ରତିରୋଧକ ବ୍ୟବସ୍ଥାକୁ ସକ୍ରିୟ କରାଯାଇଥିଲା, ଯାହାଫଳରେ ପାକିସ୍ତାନ ପଟୁ ଆସୁଥିବା ପ୍ରତ୍ୟେକ ନାର୍କୋ-ଡ୍ରୋନ୍‌କୁ ନିଷ୍କ୍ରିୟ କରି ଦିଆଯାଇଥିଲା ।

ପ୍ରଥମେ ପୁଲମୋରନ୍ ସୀମା ପୋଷ୍ଟ ପାଖରେ ଯବାନମାନେ ଲଗାତାର ଡ୍ରୋନ୍ ଅନୁପ୍ରବେଶକୁ ରୋକିଥିଲେ । ଏହାପରେ ସେହି ଅଞ୍ଚଳରେ ତଲାସି ଅଭିଯାନ ଚାଲିଥିଲା । ତଲାସି ସମୟରେ ପୁଲମୋରନ୍ ଗାଁ ନିକଟ ଚାଷ ଜମିରୁ ୪ଟି DJI ମାଭିକ୍ ୩ କ୍ଲାସିକ୍ ଡ୍ରୋନ୍ ସହିତ ୧.୭୪୪ କିଲୋଗ୍ରାମ୍‌ ଓଜନର ୩ଟି ହେରୋଇନ୍ ପ୍ୟାକେଟ୍ ମିଳିଥିଲା । ସେହିପରି ରାତିରେ ଅନ୍ୟ ଏକ ଅଭିଯାନରେ ରୋରାଁୱାଲା ଖୁର୍ଦ ଗାଁ ନିକଟରୁ ଆଉ ଏକ DJI ମାଭିକ୍ ୩ କ୍ଲାସିକ୍ ଡ୍ରୋନ୍ ସହିତ ୫୯୬ ଗ୍ରାମ୍‌ ଓଜନର ଗୋଟିଏ ହେରୋଇନ୍ ପ୍ୟାକେଟ୍ ଜବତ କରାଯାଇଥିଲା । 

ସେପଟେ, ପୂରା ଘଟଣାରେ ବିଏସଏଫ୍ କହିଛି ଯେ ପାକିସ୍ତାନୀ ଚୋରା ବେପାରୀମାନେ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇବା ପାଇଁ ଡ୍ରୋନ୍‌ର ବ୍ୟବହାର ବଢ଼ାଇ ଦେଇଛନ୍ତି । ତେବେ ସୀମାରେ ଥିବା ବିଏସଏଫ୍ ଯବାନମାନଙ୍କର ସତର୍କତା ଯୋଗୁଁ ସେମାନଙ୍କର ଏହି ଚକ୍ରାନ୍ତକୁ ସଫଳ ହେବାକୁ ଦିଆଯାଉନାହିଁ । ମୋଟ୍‌ ଉପରେ ସୀମା ସେପଟେ ଭାରତ ବିରୋଧରେ ଯେଉଁ ଷଡ୍‌ଯନ୍ତ୍ର ହେଉଛି ତାହାକୁ ନେଇ ଭାରତ ନଜର ରଖିଥିବା ସ୍ପଷ୍ଟ ହୋଇଛି ।