କନକ ବ୍ୟୁରୋ : ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ବଡ଼ୋତ-ମୁଜଫରନଗର କାଉଡ଼ିଆ ଯାତ୍ରାରେ ଶିବଭକ୍ତି ସହ ପ୍ରେମର ଏକ ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳିଛି । ଦିଲ୍ଲୀର ନରେଲାରେ ରହୁଥିବା ଶିବ ଭକ୍ତ ରାହୁଲ କୁମାର ହରିଦ୍ବାରରୁ ୧୨୧ ଲିଟର ଗଙ୍ଗା ଜଳ ଭାର ଉଠାଇ କାଉଡ଼ିଆ ଯାତ୍ରା ଆରମ୍ଭ କରିଛନ୍ତି । ରାହୁଲଙ୍କ ଏପରି କଠିନ ସଂକଳ୍ପ ପଛରେ ଏକ କାରଣ ରହିଛି । 

Advertisment
kavaugdha
kavaugdha Photograph: (google)

ମଙ୍ଗଳବାର ପାଣି ଭାର ଧରି ବଡ଼ୋତ ପହଞ୍ଚିଥିବା ରାହୁଲ କହିଛନ୍ତି ଯେ ଏହା ତାଙ୍କର ଚତୁର୍ଥ କାଉଡ଼ିଆ ଯାତ୍ରା । ଏହା ପୂର୍ବରୁ ସେ ୧୦୧ ଲିଟର ଗଙ୍ଗା ଜଳ ଧରି କାଉଡ଼ିଆ ଯାତ୍ରା ସଂପର୍ଣ୍ଣ କରିଛନ୍ତି । ତେବେ ରାହୁଲ ସଂକଳ୍ପ ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ କିଛି କହିବାକୁ ମନା କରିଥିଲେ । ସେ କହିଥିଲେ ସଂକଳ୍ପ ଯେତେବେଳେ ପୂରା ହେବ ମୁଁ ସମସ୍ତଙ୍କୁ କହିବି । ଚଳିତବର୍ଷ ସେ ୧୨୧ ଲିଟର ଜଳଭାର ଧରି ୨୨୦ କିଲୋମିଟର ଯାତ୍ରା ଚାଲିଛନ୍ତି । ଦେବାଧିଦେବ ମହାଦେବଙ୍କ ଏହି ଭକ୍ତି ମାର୍ଗରେ ରାହୁଲଙ୍କ ସାଥୀ ପାଲଟିଛନ୍ତି ତାଙ୍କ ସାଙ୍ଗ ନନ୍ଦଲାଲ । ସେ ବାଇକ୍ ଧରି ରାହୁଲଙ୍କ ସାଙ୍ଗରେ ଚାଲୁଛନ୍ତି । ଦୁହେଁ ‘ବୋଲ୍ ବମ୍ ହର ହର ବମ୍’ କହି ଆଗକୁ ବଢୁଛନ୍ତି । ତେବେ ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ହିଁ କିଛି ସ୍ଥାନରେ କାଉଡ଼ିଆ ଭକ୍ତ ସଂକଳ୍ପ ହୋଇ ପାଣି ଭାର ଧରି ଭୋଳାବାବାଙ୍କୁ ଅଭିଷେକ କରାଇବା ପାଇଁ ବାହାରି ସାରିଲେଣି । ୧୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରାବଣ କାଉଡ଼ିଆ ଯାତ୍ରା ଅଗଷ୍ଟ ୯ ତାରିଖରେ ଶେଷ ହେବ । ରାହୁଲଙ୍କ ଭଳି ଅନେକ ଶ୍ରଦ୍ଧାଳୁ ମନରେ ସଂକଳ୍ପ ନେଇ ମହାଦେବଙ୍କ ଶିବାଳୟକୁ ଯାଆନ୍ତି ଏବଂ ଜଳାଭିଷେକ କରି ମାନସିକ ପୂର୍ତ୍ତି ପାଇଁ ଭୋଳାବାବାଙ୍କୁ ବିନତି କରନ୍ତି । ରାହୁଲଙ୍କ ଏହି ଭକ୍ତି ଏବଂ ପ୍ରେମର ଉଦାହରଣ କାଉଡ଼ିଆ ଯାତ୍ରାରେ ସାମିଲ ହେଉଥିବା ଭକ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ।