କନକ ବ୍ୟୁରୋ : କୋର୍ଟ କଚେରି କଥା ଉଠିଲେ ସମସ୍ତଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳିଥାଏ । ଭାଇ ସବୁ କରିବ କୋର୍ଟ କଚେରି ମାମଲାରେ ପଡିବନି... କୋର୍ଟ କଚେରି ମାମଲାରେ ଦୌଡି ଦୌଡି ଚପଲ ଘୋରି ହୋଇଯିବ ସିନା ନ୍ୟାୟ ମିଳିବନି... ଆଉ ଯଦି ନ୍ୟାୟ ମିଳେ ତେବେ ଏତେ ବିଳମ୍ବରେ ମିଳିବ ଯେ, ସେହି ସମୟ ଭିତରେ ବୟସ ବିତିଯାଇଥିବ... ଏହିଭଳି କଥା ସାଧାରଣ ଲୋକଙ୍କ ମନରେ ଥିବା ବେଳେ କୋର୍ଟ କଚେରି ମାମଲାକୁ ନେଇ ଏପରି ଏକ ସତ୍ୟ ସମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ।
ବମ୍ବେ ହାଇକୋର୍ଟର ବିଚାରପତି ମାଧବ ଜାମଦାର ଏକ ଅର୍ଡର କପି ପ୍ରଦାନ କରିବାରେ ଛଅ ମାସ ବିଳମ୍ବ ହେବାର କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି, ଅତ୍ୟଧିକ ନ୍ୟାୟିକ କାର୍ଯ୍ୟ ଯୋଗୁଁ ଏହି ବିଳମ୍ବ ହୋଇଛି । ଏହି ମାମଲା ପୁଣେରେ ଅବସ୍ଥିତ ଏକ ସମ୍ପତ୍ତି ସହିତ ଜଡିତ ଥିଲା । ଏହି ଅର୍ଡର ୧୯ ଡିସେମ୍ବର ୨୦୨୪ରେ ଓପନ୍ କୋର୍ଟରେ ଶୁଣାଣି କରାଯାଇଥିଲା, କିନ୍ତୁ ଏହାର କପି ୩୦ ମେ’ ୨୦୨୫ରେ ଉପଲବ୍ଧ କରାଗଲା ।
ନ୍ୟାୟିକ କାର୍ଯ୍ୟଭାର
ତାଙ୍କର 85 ପୃଷ୍ଠାର ଅର୍ଡରରେ ସେ ଏହି ବିଳମ୍ବର କାରଣ ଦର୍ଶାଇଛନ୍ତି । ଜଷ୍ଟିସ୍ ମାଧବ ଜାମଦାର କହିଛନ୍ତି, ସେ ନିୟମିତ କୋର୍ଟ ସମୟ ପରେ ବି ୨ ରୁ ଅଢ଼େଇ ଘଣ୍ଟା ପାଇଁ କୋର୍ଟ କାମ କରନ୍ତି ଏବଂ ପ୍ରତିଦିନ ରାତି ୧୦.୩୦ରୁ ୧୧.୩୦ ମଧ୍ୟରେ କୋର୍ଟରୁ ବାହାରନ୍ତି । ଏହା ପରେ ସେ ତାଙ୍କ ବାସଭବନରେ ରାତି ୨ଟା ପର୍ଯ୍ୟନ୍ତ କେସ୍ ଫାଇଲ୍ ପଢ଼ନ୍ତି ଏବଂ ସକାଳେ ଅତି କମରେ ଗୋଟିଏ ଘଣ୍ଟା ପାଇଁ କେସ୍ ପେପର୍ ପଢ଼ନ୍ତି । ସେ ଆହୁରି କହିଛନ୍ତି ଯେ ସେ ପ୍ରାୟ ପ୍ରତି ଶନିବାର, ରବିବାର ଏବଂ ଛୁଟିଦିନରେ ତାଙ୍କ କାର୍ଯ୍ୟାଳୟରେ ପଡ଼ି ରହିଥିବା କାମକୁ କରିଥାନ୍ତି । ତଥାବି ମାମଲାର ଶୁଣାଣିରେ ବିଳମ୍ୱ ହୋଇଥାଏ, କାରଣ ପ୍ରତିଦିନ ହଜାର ହଜାର ମାମଲା କୋର୍ଟକୁ ଆସିଥାଏ । ଆଉ ସେ ସବୁକୁ ସମାଧାନ କରିବା ପାଇଁ ଜେତେ କାମ କଲେ ବି ଶୀଘ୍ର ସାରି ହୁଏନାହିଁ ।