କନକ ବ୍ୟୁରୋ : କେଉଁଠି ରକ୍ତ ଛିଟା ପଡିଛି କେଉଁଠି ଖଣ୍ଡବିଖଣ୍ଡିତ ଶରୀର । ଜିନିଷପତ୍ର ଛାରଖାର, ଶୁଭୁଛି କାନ୍ଦବୋବାଳି । ରେଳଷ୍ଟେସନରୁ ଡାକ୍ତରଖାନାକୁ ଆହତଙ୍କୁ ନିଆଯାଉଛି । ମାଳ ମାଳ ଶବ ଭିତରେ ନିଜ ସର୍ମ୍ପକୀୟଙ୍କୁ ଖୋଜା ଚାଲିଛି । ପାକିସ୍ତାନ ବଲୁଚର କ୍ୱେଟା ରେଳଷ୍ଟେସନରେ ଶନିବାର ଏକ ବଡଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିବାରେ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ୧୪ଜଣ ପାକିସ୍ତାନ ସୈନିକ ଅଛନ୍ତି ।
ଷ୍ଟେସନରେ ଖଚାଖଚ ଭିଡ । ଟ୍ରେନକୁ ଅପେକ୍ଷା କରି ସାଧାରଣ ଯାତ୍ରୀ ଓ ସେନା ଅପେକ୍ଷା କରି ଛିଡା ହୋଇଥିଲେ । ହଠାତ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । କିଛି ବୁଝିବା ଆଗରୁ ରେଳଷ୍ଟେସନରେ ଆତଙ୍କ ଖେଳିଯାଇଥିଲା । ଆଖି ଯୁଆଡେ ପଡୁଛି, ସେଠି କେବଳ ରକ୍ତ, ମୃତଦେହ, ନଷ୍ଟ ହୋଇଥିବା ଜିନିଷପତ୍ର ପଡି ରହିଥିବା ଦେଖିବାକୁ ମିଳିଥିଲା ।
ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବଲୁଚ ଲିବରେସନ ଆର୍ମି । ସଂଗଠନ ସ୍ୱାକାର କରିଛି ଯେ, ପାକିସ୍ତାନ ସୈନିକଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି । ବଲୁଚ ଲିବରେସନ ଆର୍ମିର ମଜିଦ ବିଗ୍ରେଡ ୟୁନିଟ ଆକ୍ରମଣ କରିଛି । ଜାଫର ଏକ୍ସପ୍ରେସ ବଲୁଚରୁ ପେଶାୱର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଥିଲା ।
ଯଦି କଥା ହେବା ବଲୁଚ ଲିବରେସନ ଆର୍ମି ଓ ପାକିସ୍ତାନର ଶତ୍ରୁତା ଉପରେ ତେବେ ବଲୁଚିସ୍ତାନକୁ ପାକିସ୍ତାନଠୁ ସ୍ୱାଧୀନ କରିବାକୁ ଗଢ଼ିଉଠିଛି ବଲୁଚିସ୍ତାନ ଲିବରେସନ ଆର୍ମି । ୧୯୭୦ରୁ ବିଚ୍ଛିନତାବାଦୀ ଉଗ୍ରବାଦୀ ସଂଗଠନ ବଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଛି । ତତକାଳୀନ ଭୁଟୋ ସରକାର ଏହାକୁ ମାଟିରେ ମିଶାଇଥିଲେ । ୨୦୦୦ ମସିହାରେ ପୁଣି ମୁଣ୍ଡ ଟେକିଥିଲା ବିଏଲଏ । ନିଜ ଅଧିକାର ପାଇବା ପାଇଁ ପାକିସ୍ତାନ ସହ ଲଢ଼ୁଛି । ତେବେ ଭାରତରେ ଆତଙ୍କୀଙ୍କୁ ପଠାଇ ଆକ୍ରମଣ କରୁଥିବା, ନିରୀହ ଲୋକଙ୍କୁ ହତ୍ୟା କରୁଥିବା ପାକିସ୍ତାନକୁ ଏବେ ନିଜ ଘରେ ହିଁ ମାଟି କାମୁଡିବାକୁ ପଡୁଛି ।